ବାଲୁଗାଁ : ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିିଏ)ଙ୍କ ମିଳିତ ଆନୁକୂଲ୍ୟରେ ଆଜି ଠାରୁ ୩ ଦିନ ବ୍ୟାପୀ ସମଗ୍ର ଚିଲିକାରେ ଇରାୱାଡ଼ି ପ୍ରଜାତିର ଡଲଫିନ ଗଣନା କରାଯିବ । ଏଥିପାଇଁ ବିଭାଗୀୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପରିପ୍ରେକ୍ଷୀରେ ଗତକାଲି ଅପରାହ୍ନରେ ବାଲୁଗାଁ ଚିଲିକା କୂଳ ସ୍ଥିତ ବନ୍ୟପ୍ରାଣୀ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ଗଣନାକାରୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସିଡିଏର ସିନିୟର ସାଇଣ୍ଟିଷ୍ଟ୍ ଗୁରୁଦୀପ ରସ୍ତୋଗୀ, ପ୍ରଦୀପ୍ତ ରଞ୍ଜନ ମୁଦୁଲି, ବିନୋଦ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଡଲଫିନ୍ ଗଣନା ଦିଗରେ ତାଲିମ ପ୍ରଦାନ କରିଥିଲେ । ୧୯୧୫ ମସିହାରେ ଚିଲିକାରେ ପ୍ରଥମ କରି ଏହି ଇରାୱାଡ଼ି ପ୍ରଜାତିର ଡଲଫିନ୍କୁ ଚିହ୍ନଟ କରାଯାଇଥିଲା । ଉକ୍ତ ସମୟରୁ ଅଦ୍ୟାବଧି ଚିଲିକାରେ ଡଲଫିନ୍ ୧୬୦ରୁ ଊର୍ଦ୍ଧ୍ୱ ଦୃଷ୍ଟିଗୋଚର ହୋଇଥିବା ବିଗତ ବର୍ଷ ଗଣନାରୁ ଜଣାପଡ଼ିଛି । ଏହି ଗଣନା ଲାଇନ ଟ୍ରାଞ୍ଜାକ୍ଟ ପ୍ରଣାଳୀ ଅର୍ଥାତ୍ ଚିଲିକାର ଯେଉଁ ଅଞ୍ଚଳରେ ଡଲ୍ଫିନ୍ ଦୃଷ୍ଟିଗୋଚର ହୋଇଥାନ୍ତି, ସେଠାରେ ଗଣନାକାରୀଙ୍କ ଡ଼ଙ୍ଗା ଏକ ସରଳରେଖା ଦେଇ ଗତି କରିବ । ଏହି ସମୟରେ ଉଭୟ ପାର୍ଶ୍ୱରେ ଯେତିକି ସଂଖ୍ୟକ ଡଲଫିନ୍ ଦୃଷ୍ଟିଗୋଚର ହେବେ ତାହାକୁ ବାଇନାକୁଲାର ଓ ଜିପିଏସ ମାଧ୍ୟମରେ ସଂଖ୍ୟା ନିର୍ଦ୍ଧାରଣ କରାଯାଇଥାଏ । ଗଣନା ପାଇଁ ସମଗ୍ର ଚିଲିକାକୁ ୪ଟି ସେକ୍ଟର ମଧ୍ୟ, ଉତ୍ତର, ଦକ୍ଷିଣ ଏବଂ ବାହ୍ୟ ଚିଲିକା ଅଞ୍ଚଳ ଭାବେ ବିଭକ୍ତ କରାଯାଇଛି । ଭୋର ୬ଟାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଏହି ଗଣନା ଜାରି ରହିବ । ଡଲଫିନ୍ ଅଭୟାରଣ୍ୟ କୁହାଯାଉଥିବା ସାତପଡ଼ା ଅଞ୍ଚଳ ତଥା ଜହ୍ନିକୁଦା, ଗୁରୁବାଇ, ମହିସା, ବଡ଼ଗୋଠ, ସିପକୁଦା ଚିଲିକାରେ ୮ଟି ଟିମ୍ ଏବଂ ବାଲୁଗାଁ ଠାରୁ କାଳିଜାଈ, କୃଷ୍ଣପ୍ରସାଦ, ପାରିକୁଦ, ନଳବଣ, ବାଲିନାସି, ଦେଇପୁରୁ, ବରୁଣପଡ଼ା, ରମ୍ଭା ଆଦି ଅଞ୍ଚଳରେ ୧୦ଟି ଟିମ୍ ଗଣନା କରିବେ । ମୋଟ ୧୪୦ଜଣ ଏହି ଗଣନା କାର୍ଯ୍ୟରେ ସାମିଲ ହେବେ । ପ୍ରତ୍ୟେକ ଟିମ୍କୁ ଗୋଟିଏ ଲେଖାଏ ଡଙ୍ଗା ଏବଂ ଆବଶ୍ୟକ ଯନ୍ତ୍ରାଂଶ ଯୋଗାଇ ଦିଆଯାଇଛି । ଗତ ବର୍ଷ ୧୬୭ଟି ଡଲଫିନ୍ ଚିହ୍ନଟ ହୋଇଥିଲେ ।
Prev Post
Next Post