ରବି ରଥ
- ଜାତୀୟ ପ୍ରେସ ଦିବସ ଉପଲକ୍ଷେ
ଓଡ଼ିଶାରେ ପ୍ରଥମେ ୧୮୬୬ ମସିହାରେ ଆନୁଷ୍ଠାନିକ ଭାବେ ‘ଉକ୍ରଳ ଦୀପିକା’ ନାମରେ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ସେଇ ବର୍ଷଟି ଥିଲା ଓଡ଼ିଶା ପାଇଁ ଏକ ଦୁଃଖଦ ବର୍ଷ । ସେତେବେଳେ ଓଡ଼ିଶା ବୋଲି କୌଣସି ସ୍ୱତନ୍ତ୍ର ରାଜ୍ୟ ବା ପ୍ରଦେଶ ନଥିଲା । ଓଡ଼ିଶା କହିଲେ କେବଳ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲାକୁ ନେଇ ଗଠିତ ଓଡ଼ିଶା ଡିଭିଜନ୍କୁ ବୁଝାଉଥିଲା । ସମ୍ବଲପୁର ଜିଲ୍ଲା ତତ୍କାଳୀନ ‘ସେଣ୍ଟ୍ରାଲ ପ୍ରଭିନ୍ସ’ର ଅନ୍ତର୍ଭୁକ୍ତ ଥିଲା ବେଳେ ଗଂଜାମ ଜିଲ୍ଲା ମାଡ଼୍ରାସ୍ ପ୍ରେସିଡେ଼ନ୍ସି ଅଧୀନରେ ରହିଥିଲା । ଓଡ଼ିଆ ଭାଷାଭାଷୀମାନେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ସଂଖ୍ୟାଲଘୁ ବାସିନ୍ଦା ଭାବରେ ବସବାସ କରୁଥିଲେ । ସେମାନଙ୍କୁ ଏକାଠି କରି ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ନିମିତ୍ତ କୌଣସି ଉଦ୍ୟମ ସେ ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନଥିଲା । ୧୮୬୬ ମସିହାରେ ଘଟିଥିବା ‘ନ’ଅଙ୍କ ଦୁର୍ଭିକ୍ଷ’ରେ ପ୍ରାୟ ଦଶଲକ୍ଷ ଲୋକ ପ୍ରାଣ ହରାଇଥିବା କଥା ଏକ ଆକଳନରୁ ଜଣାପଡ଼ିଥିଲା ।
ଉକ୍ରଳ ଦୀପିକା ପ୍ରକାଶନର ପୃଷ୍ଠଭୂମି ସମ୍ପର୍କରେ ଜଣାପଡେ଼ ଯେ, ସେତେବେଳର କମିଶନର ଥିବା ଇଂରେଜ ସାହେବ ଟି.ଇ. ରେଭେନ୍ସା, ତାଙ୍କ ଶିରସ୍ତାଦାର ବିଚିତ୍ରାନନ୍ଦ ଦାସଙ୍କୁ ଗୋଟିଏ ପ୍ରେସ୍ ବସାଇବାକୁ ଉତ୍ସାହିତ କରିଥିଲେ । ରେଭେନ୍ସା ସାହେବଙ୍କ ପ୍ରେରଣାରେ କଟକ ସହରରେ କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରତିଷ୍ଠା କରାଯାଇ ସେଠାରେ ଉକ୍ରଳ ଦୀପିକା ଛପା ଯାଇଥିଲା । ଉକ୍ରଳଦୀପିକା ଦୀର୍ଘ ୭୦ ବର୍ଷ କାଳ ବଞ୍ôଚ ରହିଥିଲା । ଏହି ସମୟ ମଧ୍ୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ଓଡ଼ିଶାର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ଥିତିର ନିଖୁଣ ଚିତ୍ର ପ୍ରଦାନ କରି ଏହି ସମ୍ବାଦପତ୍ର ନିଜ ନାମର ସାର୍ଥକତା ପ୍ରମାଣ କରିଥିଲା । ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ଉକ୍ରଳ ଦୀପିକା ସହିତ ଉକ୍ରଳ ଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ ପ୍ରମୁଖ ବିଭିନ୍ନ ଭାବରେ ସଂପୃକ୍ତ ଥିଲେ । ଉକ୍ରଳ ଦୀପିକା ପ୍ରକାଶ ପାଇବା ପୂର୍ବରୁ ୧୮୩୭ ମସିହାରେ ଖ୍ରୀଷ୍ଟିଆନ୍ ମିଶନାରୀମାନେ କଟକଠାରେ ‘କଟକ ମିଶନ୍ ପ୍ରେସ୍’ ନାମରେ ଗୋଟିଏ ପ୍ରେସ୍ ସ୍ଥାପନା କରିଥିଲେ । ମୁଖ୍ୟତଃ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଏହା ପ୍ରତିଷ୍ଠା କରାଯାଇଥିଲା । ବଙ୍ଗଳାର ଶ୍ରୀରାମପୁରରୁ ଓଡ଼ିଆ ଅକ୍ଷର ଆଣି ରେଭରେଣ୍ଡ ଲେସିଙ୍କ ସମ୍ପାଦନାରେ ସେ ହାତଚାଳିତ ମେସିନ୍ରୁ ୧୮୪୯ ମସିହାରେ ପ୍ରଥମ ଓଡ଼ିଆ ପତ୍ରିକା ‘ଜ୍ଞାନାରୁଣ’ ସେଠାରୁ ପ୍ରକାଶ ପାଇଥିଲା । ମାତ୍ର ଅଳ୍ପଦିନ ପରେ ତାହା ବନ୍ଦ ହୋଇଯାଇଥିଲା । ଏହାର ସାତବର୍ଷ ପରେ ୧୮୫୬ ମସିହାରେ ସେଠାରେ ‘ପ୍ରବୋଧ ଚନ୍ଦ୍ରିକା’ ଓ ୧୮୬୧ ମସିହାରେ ‘ଅରୁଣୋଦୟ’ ନାମରେ ଦୁଇଟି ପତ୍ରିକା ମିଶନାରୀମାନେ ପ୍ରକାଶ କରିଥିଲେ । ଏ ଦୁଇଟି ପତ୍ରିକାରେ ଧର୍ମ ସମ୍ପର୍କୀୟ ବିଷୟବସ୍ତୁ ସହିତ ଇଂରେଜ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଜନସାଧାରଣଙ୍କ ସାଧାରଣ ସମସ୍ୟା ସଂପର୍କରେ ଲେଖାମାନ ପ୍ରକାଶ ପାଉଥିଲା ।
ମିଶନାରୀମାନଙ୍କର ଏପରି ଉଦ୍ୟମର ବହୁ ପୂର୍ବରୁ ମରହଟ୍ଟା ଶାସନ ସମୟରୁ ଓଡ଼ିଆ ଭାଷାରେ ଯେଉଁ କେତେକ ହାତଲେଖା ପତ୍ରିକା ପ୍ରକାଶ ପାଉଥିଲା, ସେଥିମଧ୍ୟରୁ ‘କୁଜୀବରପତ୍ର’ ଅନ୍ୟତମ । କଟକ ଜିଲ୍ଲାର ଚୌଦ୍ୱାର ନିକଟବର୍ତ୍ତୀ କୁଜୀବର ଗ୍ରାମର ମହନ୍ତ ସାଧୁସୁନ୍ଦର ଦାସ ଏହି ପତ୍ରିକା ପ୍ରକାଶ କରିଥିଲେ । ତାଳପତ୍ର ଓ କାଗଜରେ ହାତରେ ସୁନ୍ଦର ଅକ୍ଷରରେ ପ୍ରକାଶ ପାଉଥିବା ଏହି ପତ୍ରିକା ବହୁ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ସେ ସମୟରେ କୁଜୀବରପତ୍ର ବେଶ୍ ପ୍ରଭାବଶାଳୀ ଥିଲା । ଏଥିରେ ମୁଖ୍ୟତଃ ଧର୍ମ, ସାହିତ୍ୟ, ନୃତ୍ୟ, ସଂଗୀତ ଓ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା ସ୍ଥାନ ପାଉଥିଲା ଓ ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏହା ପଠାଯାଉଥିଲା । ସେତେବେଳେ ଇଂରାଜୀ କିମ୍ବା ଓଡ଼ିଆରେ ଅନ୍ୟ କୌଣସି ପତ୍ରପତ୍ରିକା ପ୍ରକାଶ ପାଉନଥିବାରୁ କୁଜୀବରପତ୍ର ରାଜା, ମହାରାଜା, ଜମିଦାରଙ୍କ ସମେତ ଯୁବ ସମାଜକୁ ବିଶେଷ ଆକୃଷ୍ଟ କରୁଥିଲା । ଇଂରେଜ ସରକାରଙ୍କ ସମ୍ପର୍କରେ ସମାଲୋଚନାମୂଳକ କେତେକ ତଥ୍ୟ ଏଥିରେ ପ୍ରକାଶ ପାଇଥିବା ଯୋଗୁଁ ପତ୍ରିକାର ସଂପାଦକ ସାଧୁସୁନ୍ଦର ଦାସଙ୍କୁ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିଥିଲା । ସେ ସମୟରେ ଓଡ଼ିଶାରେ ପ୍ରକାଶ ପାଉଥିବା ସମ୍ବାଦପତ୍ରଗୁଡ଼ିକର ମୁଖ୍ୟତଃ ଚାରୋଟି ମୁଖ୍ୟ ଲକ୍ଷ୍ୟ ଥିଲା । ସେଗୁଡ଼ିକ ହେଲା ୧. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା, ୨. ଓଡ଼ିଆ ଭାଷାଭାଷୀମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରି ନୂତନ ଓଡ଼ିଶା ପ୍ରଦେଶ ଗଠନ ପ୍ରକ୍ରିୟାରେ ସହଯୋଗ, ୩. ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ପ୍ରଚାର କରିବା ଓ ୪. ସ୍ୱାଧୀନତା ପରବର୍ତ୍ତୀ ସମୟରେ ବିକାଶର ଧାରାକୁ ଲୋକଙ୍କ ପାଖରେ ପହଞ୍ଚାଇବା ।
ସେହି ସମୟରେ ୧୮୭୧ ମସିହାରେ ‘କଟକ କ୍ରାନିକାଲ’, ୧୮୭୩-୭୪ରେ ‘ଉକ୍ରଳ ଦର୍ପଣ’, ‘ଉକ୍ରଳପତ୍ର ବିଦେଶୀ’, ‘ଶିକ୍ଷକ’, ‘ଧର୍ମବୋଧିନୀ’, ‘ଉକ୍ରଳ ସଂସ୍କାରକ’ ଓ ‘ଚନ୍ଦ୍ରିକା’, ୧୮୭୭ରେ ‘ଉକ୍ରଳ ମଧୁପ’, ‘ସ୍ୱଦେଶୀ’, ‘ବାର୍ତ୍ତା ଲହରୀ’, ୧୮୮୦ରେ ‘କୋହିନୂର’ ଓ ‘ପୁରୁଷୋତ୍ତମ’, ୧୮୮୧ରେ ‘ମୟୂରଭଂଜ ଦୋଭାଷୀ ପତ୍ରିକା’, ୧୮୮୨ରେ ‘ପ୍ରଜାବନ୍ଧୁ’, ୧୮୮୩-୮୪ରେ ‘ଧୂମକେତୁ’, ‘ସେବକ’, ‘ସଂସ୍କାରକ’ ଓ ‘ତାରକା’, ୧୮୮୫ରେ ‘ପ୍ରଦୀପ’, ‘ଶିକ୍ଷାବନ୍ଧୁ’, ଓ ‘ହରିଭକ୍ତି’, ୧୮୮୬ରେ ‘ଓଡ଼ିଶା ଷ୍ଟୁଡେ଼ଣ୍ଟସ୍’ (ଇଂରାଜୀ) ଓ ‘ନବଭାରତ’, ୧୮୮୭ରେ ‘ଓଡ଼ିଆ’, ‘ସାମ୍ୟବାଦ’ ଓ ‘ଉକ୍ରଳ ସେବକ’, ୧୮୮୮ରେ ‘ଓଡ଼ିଆ ପେଟ୍ରିଅଟ’, ୧୮୮୯ରେ ‘ଦୀପକ’ ଓ ‘ସମ୍ବଲପୁର ହିତୈଷିଣୀ’, ୧୮୯୧ରେ ‘ଉକ୍ରଳ ପ୍ରଭା’, ୧୮୯୨ରେ ‘ଆଶା’, ୧୮୯୩ରେ ‘ଇନ୍ଦ୍ରଧନୁ’, ‘ବିଜୁଳି’ ଓ ‘ଭକ୍ତିତତ୍ତ୍ୱ’, ୧୮୯୪ରେ ‘ଉକ୍ରଳ ଚିକିତ୍ସକ’, ଓ ‘ବ୍ରହ୍ମ’, ୧୮୯୬ରେ ‘ଉକ୍ରଳବନ୍ଧୁ’, ‘ପ୍ରଭାତିତାରା’ ଓ ‘ଗଂଜାମ ନିଉଜ୍’ (ଇଂରାଜୀ), ୧୮୯୭ରେ ‘ଉକ୍ରଳ ସାହିତ୍ୟ’, ୧୮୯୯ରେ ‘ଗଂଜାମ ହିତବାଦିନୀ’, ୧୯୦୦ରେ ‘ଆଲୋଚନା’, ୧୯୦୩ରେ ‘ନୀଳାଚଳ ସମାଚାର’, ୧୯୦୫ରେ ‘ମୁକୁର’, ୧୯୦୯ରେ ‘ଷ୍ଟାର୍ ଅଫ୍ ଉକ୍ରଳ’ ଓ ୧୯୧୦ରେ ‘ଦି ଓଡ଼ିଆ’ (ଇଂରାଜୀ) ପ୍ରକାଶ ପାଇଥିଲା ।
ଏହାର ପରବର୍ତ୍ତୀ ସମୟରେ ସ୍ୱାଧୀନତା ସଂଗ୍ରାମର ବାର୍ତ୍ତାବହ ଭାବରେ ଉକ୍ରଳମଣି ଗୋପବନ୍ଧୁ ଦାସ ପ୍ରଥମେ ସାପ୍ତାହିକ ପତ୍ରିକା ଭାବରେ ‘ସମାଜ’ ପ୍ରକାଶ କରିଥିଲେ । ପ୍ରଥମେ ସତ୍ୟବାଦୀ ଏବଂ ପୁରୀରୁ ଏହା ପ୍ରକାଶିତ ହୋଇ ପରେ ଏହା କଟକକୁ ସ୍ଥାନାନ୍ତରିତ ହୋଇଥିଲା । କଟକ ସହରର ନିମ୍ଚଉଡ଼ି ଅଞ୍ଚଳରୁ ଏହା ପ୍ରକାଶ ପାଉଥିଲା । ପ୍ରତିଷ୍ଠାତା ଗୋପବନ୍ଧୁ ଏହାର ସମ୍ପାଦକ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ଲିଙ୍ଗରାଜ ମିଶ୍ର, ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଦାସ ପ୍ରମୁଖ ଏହାର ସମ୍ପାଦନା କରୁଥିଲେ । ୧୯୧୯ ମସିହାରେ ଗୋପବନ୍ଧୁଙ୍କ ପରାମର୍ଶ କ୍ରମେ ସରକାରୀ ଚାକିରିରୁ ଇସ୍ତଫା ଦେଇ ରାଧାନାଥ ରଥ ଏହାର ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ ଓ ପରବର୍ତ୍ତୀ ସମୟରେ ‘ସମାଜ’ର ସମ୍ପାଦକ ହୋଇ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କର୍ତ୍ତବ୍ୟ ନିର୍ବାହ କରିଥିଲେ । ୧୯୩୦ ମସିହା ଅପ୍ରେଲ ୬ ତାରିଖରୁ ସମାଜର ଦୈନିକ ସଂସ୍କରଣ ପ୍ରକାଶ ପାଇଲା । ଦୈନିକ ସମାଜ ପ୍ରକାଶ ପାଇବା ପୂର୍ବରୁ ୧୯୨୮ ମସିହାରେ ଶଶିଭୂଷଣ ରଥଙ୍କ ସମ୍ପାଦନାରେ ଦୈନିକ ‘ଆଶା’ ଆତ୍ମପ୍ରକାଶ କରିଥିଲା । ଓଡ଼ିଶାରେ ମୁଦ୍ରଣ ହୋଇଥିବା ଦୈନିକ ସମ୍ବାଦପତ୍ର ମଧ୍ୟରେ ‘ଆଶା’କୁ ପ୍ରଥମ ଦୈନିକ ଭାବରେ ବିଚାର କରାଯାଏ । ଦୈନିକ ଭାବରେ ପ୍ରକାଶ ପାଇବା ପୂର୍ବରୁ ୧୯୧୩ ମସିହାରେ ଏହା ସାପ୍ତାହିକ ଭାବରେ ପ୍ରକାଶିତ ହୋଇଥିଲା । ଓଡ଼ିଶାର ବିଶିଷ୍ଟ ଜନନାୟକ ଡକ୍ଟର ହରେକୃଷ୍ଣ ମହତାବ ୧୯୨୩ ମସିହାରେ ସାପ୍ତାହିକ ‘ପ୍ରଜାତନ୍ତ୍ର’ ପତ୍ରିକା ପ୍ରକାଶ କରିଥିଲେ । ପ୍ରଥମେ ଏହା କଟକରେ ବ୍ରଜସୁନ୍ଦର ଦାସଙ୍କ ମୁକୁର ପ୍ରେସ୍ରେ ଛପା ଯାଉଥିଲା । ଜାତୀୟ କବି ବୀରକିଶୋର ଦାସ ଏହାର ମୁଦ୍ରାକର ଓ ପ୍ରକାଶକ ଥିଲେ । ୧୯୩୦ ମସିହାରେ ଅଳ୍ପ ସମୟ ପାଇଁ ପ୍ରଜାତନ୍ତ୍ର ଦୈନିକ ଆକାରରେ ପ୍ରକାଶ ପାଇଥିଲା । ମାତ୍ର ଡକ୍ଟର ମହତାବ ଇଂରେଜ ସରକାରଙ୍କ ବିରୋଧୀ ରାଜନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଯୋଗୁଁ ସରକାରୀ କୋପଦୃଷ୍ଟିରୁ ଏହା ବନ୍ଦ ହୋଇଯାଇଥିଲା । ଦେଶ ସ୍ୱାଧୀନତା ପାଇବାର ଏକ ସପ୍ତାହ ପୂର୍ବରୁ ୧୯୪୭ ମସିହା ଅଗଷ୍ଟ ୮ ତାରିଖରୁ ପ୍ରଜାତନ୍ତ୍ର ନିୟମିତ ଭାବରେ ପ୍ରକାଶ ପାଇଲା । ଡକ୍ଟର ମହତାବ ଶେଷ ନିଶ୍ୱାସ ତ୍ୟାଗ ପର୍ଯ୍ୟନ୍ତ ଏହାର ସମ୍ପାଦକ ରହିଥିଲେ । ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ରଦେବଙ୍କ ଉଦ୍ୟମରେ ତିନୋଟି ପତ୍ରିକା ମଧ୍ୟରୁ ପ୍ରଭାତ (ଦୈନିକ), ଶିଶିର (ମାସିକ) ଏବଂ ନବୀନ (ସାପ୍ତାହିକ) ଭାବେ ପ୍ରକାଶ ପାଉଥିଲା । କିଛିଦିନ ପରେ ପ୍ରଭାତ ଓ ଶିଶିରର ପ୍ରକାଶନ ବନ୍ଦ ହୋଇଯାଇଥିଲା । ତେବେ ନବୀନ ୧୯୩୦ରୁ ଅଦ୍ୟାବଧି ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ୯୩ ବର୍ଷରେ ପଦାର୍ପଣ କରିଛି । ସଂପ୍ରତି ରବିରଥଙ୍କ ସଂପାଦନାରେ ଏହା ପ୍ରକାଶ ପାଇ ଆସୁଛି । ୧୯୬୧ ମସିହାରେ ବିଜୁ ପଟ୍ଟନାୟକ ଓଡ଼ିଶାର ଶାସନଭାର ହାତକୁ ନେବା ପରେ ‘କଳିଙ୍ଗ’ ନାମରେ ଏକ ଦୈନିକ ସମ୍ବାଦପତ୍ର ପ୍ରକାଶ କରିଥିଲେ । ବିଶିଷ୍ଟ ସମାଜବାଦୀ ନେତା ମନମୋହନ ମିଶ୍ର ଏହାର ପ୍ରଥମ ସମ୍ପାଦକ ଥିଲେ ଓ ପରେ ପରେ ସୁରେନ୍ଦ୍ର ମହାନ୍ତି ଏହାର ସମ୍ପାଦନା ଦାୟିତ୍ୱ ନେଇଥିଲେ । ଏହା ଦୀର୍ଘ ୧୧ ବର୍ଷ ଧରି ପ୍ରକାଶ ପାଇଥିଲା ।
ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର ଜନକଲ୍ୟାଣ ପବ୍ଲିକେଶନ୍ ଗଠନ କରି ୧୯୬୬ ମସିହା ଅପ୍ରେଲ ୧୪ ତାରିଖରେ ‘ଜନଶକ୍ତି’ ନାମରେ ଏକ ଦୈନିକ ସମ୍ବାଦପତ୍ର ପ୍ରକାଶ କରିଥିଲେ । ଓଡ଼ିଶା ବିଧାନସଭାର ତତ୍କାଳୀନ ଉପବାଚସ୍ପତି ଲୋକନାଥ ମିଶ୍ର ଏହାର ପ୍ରଥମ ସମ୍ପାଦକ ଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ସ୍ୱତନ୍ତ୍ର -ଜନକଂଗ୍ରେସ ସରକାର କ୍ଷମତାସୀନ ହେବା ପରେ ରାଜନୈତିକ କାରଣରୁ ଜନଶକ୍ତିର ସରକାରୀ ବିଜ୍ଞାପନକୁ ବନ୍ଦ କରିଦେବାରୁ ଏହାର ଅକାଳ ମୃତ୍ୟୁ ଘଟିଥିଲା ।
୧୯୭୨ ମସିହାରେ ନନ୍ଦିନୀ ଶତପଥୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ପିତା ବିଶିଷ୍ଟ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଗଠିତ ସମାଜବାଦୀ ସୋସାଇଟି ଆନୁକୂଲ୍ୟରେ ୧୯୭୪ ମସିହା ନଭେମ୍ବର ୨୪ ତାରିଖରେ ଦୈନିକ ‘ଧରିତ୍ରୀ’ ଆତ୍ମପ୍ରକାଶ କଲା । ପ୍ରଥମେ ରାମନାଥ ପଣ୍ଡା ଏହାର ସମ୍ପାଦକ ହୋଇଥିଲେ । ସମ୍ପ୍ରତି ଶ୍ରୀମତୀ ଶତପଥୀଙ୍କ ପୁତ୍ର ତଥାଗତ ଶତପଥୀ ଏହାର ସମ୍ପାଦକ ରହିଛନ୍ତି । ଏହି ସମୟରେ ଗଣତନ୍ତ୍ର ପରିଷଦ ପକ୍ଷରୁ ‘ଗଣତନ୍ତ୍ର’ ନାମରେ ଏକ ଦୈନିକ ସମ୍ବାଦପତ୍ର ପ୍ରକାଶ ପାଇଥିଲା ଓ ଏହାର ପ୍ରତିଷ୍ଠାତା ରାଜେନ୍ଦ୍ର ନାରାୟଣ ସିଂଦେଓ, ପରେ ଏହା ‘ସ୍ୱରାଜ୍ୟ’ରେ ରୂପାନ୍ତରିତ ହୋଇଥିଲା । ଏହାପୂର୍ବରୁ ୧୯୫୧ ମସିହାରେ ବାଳକୃଷ୍ଣ କରଙ୍କ ସମ୍ପାଦନାରେ ଦୈନିକ ‘ମାତୃଭୂମି’ ପ୍ରକାଶ ପାଇଥିଲା । ତାଙ୍କ ବିୟୋଗ ପରେ ଗୌରଚନ୍ଦ୍ର ରାଉତ ଓ ତାଙ୍କ ପୁତ୍ର ବିଚିତ୍ରାନନ୍ଦ କର ମାତୃଭୂମିର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ । କିଛିଦିନ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଭୁଧେନ୍ଦ୍ର ମିଶ୍ର ଏହାର ସମ୍ପାଦକ ହୋଇଥିଲେ । କେତେକ କାରଣ ଯୋଗୁଁ ମାତୃଭୂମିର ପ୍ରକାଶନ ବନ୍ଦ ହୋଇଯାଇଥିଲା ।
୧୯୮୦ ମସିହାରେ ଓଡ଼ିଶାର ସମ୍ବାଦପତ୍ର ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଲା । ସାମ୍ବାଦିକତାରୁ ରାଜନୀତିକୁ ଆସି ମୁଖ୍ୟମନ୍ତ୍ରୀ ହୋଇଥିବା ଜାନକୀ ବଲ୍ଲଭ ପଟ୍ଟନାୟକ, ସମ୍ବାଦପତ୍ରକୁ ଏକ ଶିଳ୍ପର ମାନ୍ୟତା ଦେଲେ । ଏହାଫଳରେ ସମ୍ବାଦପତ୍ର ପ୍ରକାଶ ନିମିତ୍ତ ଜମି, ଗୃହ, ଆନୁଷଙ୍ଗିକ ଋଣ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେଲା । ଦୀର୍ଘଦିନରୁ ବନ୍ଦ ହୋଇଥିବା ଶଶିଭୂଷଣ ରଥଙ୍କ ଆଶା ‘ଦୈନିକଆଶା’ ଭାବେ ୧୯୮୨ ଫେବୃଆରୀ ୧୦ ତାରିଖରେ ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ଦ୍ୱାରା ପୁନଃ ପ୍ରକାଶ ପାଇଲା । ଏହାର ସୁଯୋଗ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅନେକ ସମ୍ବାଦପତ୍ର ପ୍ରକାଶ ପାଇଲା । ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼୍ ଆନୁକୂଲ୍ୟରେ ୧୯୮୪ ମସିହା ଅକ୍ଟୋବର ୪ ତାରିଖ, ବିଜୟା ଦଶମୀ ଦିନ ଆତ୍ମପ୍ରକାଶ କଲା ଦୈନିକ ‘ସମ୍ବାଦ’ । ପ୍ରଭାତୀ ସଂସ୍କରଣ ପ୍ରକାଶନରେ ଇଷ୍ଟର୍ଣ୍ଣ ମିଡ଼ିଆ ଏକ ଅଗ୍ରଣୀ ଭୂମିକା ଗ୍ରହଣ କଲା । ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ସମ୍ବାଦର ପ୍ରଥମ ସମ୍ପାଦକ ଥିଲେ । ପରେ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଅଶୀ ଦଶନ୍ଧିରେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିବା ଓ ପରବର୍ତ୍ତୀ ସମୟରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଥିବା ବସନ୍ତ କୁମାର ବିଶ୍ୱାଳ ନବେ ଦଶନ୍ଧିରେ ଏକ ଦୈନିକ ସମ୍ବାଦପତ୍ର ପ୍ରକାଶ ନିମନ୍ତେ ଇଚ୍ଛା ପ୍ରକାଶ କରି ୧୯୯୬ ମସିହା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ତାକୁ କାର୍ଯ୍ୟକାରୀ କଲେ । ଆଶୀର୍ବାଦ ପବ୍ଳିକେଶନ୍ ପକ୍ଷରୁ ସେଦିନ ଦୈନିକ ସମ୍ବାଦପତ୍ର ‘ସମୟ’ ଜନ୍ମଲାଭ କଲା । ବିଶିଷ୍ଟ ପ୍ରଶାସକ ଓ ଲବ୍ଧପ୍ରତିଷ୍ଠ ସାହିତ୍ୟିକ ସାତକଡ଼ି ହୋତା ଏହାର ମୁଖ୍ୟ ସମ୍ପାଦକ ରହିଛନ୍ତି ।
ତରୁଣ ତୁର୍କ ନେତା ଭାବରେ ପରିଚିତ ଥିବା ପ୍ରଦ୍ୟୁମ୍ନ ବଳ ୧୯୭୨ ମସିହାରେ ଝାଞ୍ଜିରିମଙ୍ଗଳା କଟକରୁ ‘ପ୍ରଗତିବାଦୀ’ ନାମରେ ଏକ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ କରିଥିଲେ ଓ ପରବର୍ତ୍ତୀ ସମୟରେ ଏହା ଦୈନିକରେ ପରିଣତ ହୋଇଥିଲା । ୧୯୭୯ ମସିହାରୁ ଏହା ରାଜଧାନୀ ଭୁବନେଶ୍ୱରରୁ ପ୍ରକାଶ ପାଇ ଆସୁଛି । ଶ୍ରୀ ବଳ ଏହାର ପ୍ରତିଷ୍ଠାତା ସମ୍ପାଦକ ରହିଥିବା ବେଳେ ସାମ୍ବାଦିକ ରବି ଦାସ ପରିଚାଳନା ସମ୍ପାଦକ ଥିଲେ । ପରେ ପ୍ରଗତିବାଦୀରୁ ଅଲଗା ହୋଇଯାଇ ୧୯୯୯ ମସିହାରୁ ଦୈନିକ ‘ପର୍ଯ୍ୟବେକ୍ଷକ’ ନାମରେ ଏକ ଦୈନିକ ସମ୍ବାଦପତ୍ର ପ୍ରକାଶ କରିଥିଲେ । ବ୍ରହ୍ମପୁର ସହରରୁ ୧୯୯୬ ମସିହାରେ ସ୍ୱର୍ଗତ କାଳି ଚରଣ ପଣ୍ଡାଙ୍କ ଉଦ୍ୟମରେ ‘ଅନୁପମ ଭାରତ’ ନାମରେ ଏକ ଦୈନିକ ସମ୍ବାଦପତ୍ର ଦୀର୍ଘଦିନ ହେଲା ପ୍ରକାଶିତ ହେଉଛି । ୨୦୧୦ରେ ସୁମା ରିଏଲ ମିଡିଆ ନାଁରେ ଦୈନିକ “ପ୍ରମେୟ’, ୨୦୧୨ରେ ନିର୍ଭୟ ପବ୍ଲିକେସନ ନାମରେ ନବୀନ ଦାଶ ନାମରେ ‘ନିର୍ଭୟ’ ଓ ୧୫ ଅଗଷ୍ଟ ୨୦୧୫ରେ ଦୈନିକ ଏଜ ମିଡିଆ ଏଣ୍ଡ ପବ୍ଲିକେସନ ନାମରେ ‘ନିତିଦିନ’ ପ୍ରକାଶ ପାଇ ଆସୁଛି । ମସିହାରେ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ସାପ୍ତାହିକ ସକାଳ ୨୦୨୦ରେ ଦୈନିକ ଆକାରରେ ପ୍ରକାଶିତ ହେଉଛି ।
ଇତିମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରକାଶ ପାଇ ରାଜ୍ୟ ସରକାରଙ୍କ ସ୍ୱୀକୃତି ଲାଭ କରିଥିବା ଦୈନିକ ସମ୍ବାଦପତ୍ରର ସଂଖ୍ୟା ବୃଦ୍ଧି ପାଇ ୧୨୧ ରେ ପହଞ୍ôଚଲାଣି । ମାତ୍ର ଏଗୁଡ଼ିକ ମଧ୍ୟରୁ ବାସ୍ତବରେ କେତେ ସମ୍ବାଦପତ୍ର ନିୟମିତ ଭାବରେ ପ୍ରକାଶିତ ହୁଏ, ତାହା ନିରୂପଣ କରିବା ସହଜସାଧ୍ୟ ନୁହେଁ । ୧୧୭ଟି ଦୈନିକ ସମ୍ବାଦପତ୍ରକୁ ବାଦ୍ ଦେଲେ ଓଡ଼ିଶାରୁ ପ୍ରାୟ ୫୦୦ ସାପ୍ତାହିକ, ପାକ୍ଷିକ ଓ ମାସିକ ପତ୍ରିକା ପ୍ରକାଶ ପାଉଥିବା ଜଣାପଡ଼ିଛି ।
ସମୟର ପରିବର୍ତ୍ତନ ସହିତ ସମ୍ବାଦପତ୍ରଗୁଡ଼ିକର ସଂଜ୍ଞା, ଲକ୍ଷ୍ୟ, ଆଦର୍ଶ ମଧ୍ୟ ବଦଳି ଗଲାଣି । ଆଗେ ଯେଉଁମାନେ ରାଜନୀତିରେ ଥିଲେ କିମ୍ବା ରାଜନୀତିକୁ ଆସିବା ପାଇଁ ଆଗ୍ରହୀ ଥିଲେ ସାଧାରଣତଃ ସେଇମାନେ ସମ୍ବାଦପତ୍ର ପ୍ରକାଶ ପାଇଁ ଅଗ୍ରସର ହେଉଥିଲେ । ମାତ୍ର ଏବେ କେତେକ ଦୁର୍ନୀତିଗ୍ରସ୍ତ ରାଜନେତା, ଅସାଧୁ ବ୍ୟବସାୟୀ, ଖଣି ଖାଦାନ ମାଲିକ, ବିଲଡ଼ର ଏହାକୁ ସେମାନଙ୍କ ବ୍ୟବସାୟର ମାଧ୍ୟମ ରୂପେ ବ୍ୟବହାର କରୁଛନ୍ତି । ଏଥିରେ ସେମାନଙ୍କର ଦୁଇଟି ଉଦ୍ଦେଶ୍ୟ ସାଧିତ ହେଉଛି । ପ୍ରଥମତଃ ସେମାନେ ସମ୍ବାଦପତ୍ର ମାଧ୍ୟମରେ ସେମାନଙ୍କ ବ୍ୟବସାୟର ସୁରକ୍ଷା କରିପାରୁଛନ୍ତି ଏବଂ ଦ୍ୱିତୀୟତଃ ଅସାଧୁ ଉପାୟରେ ଆୟ କରୁଥିବା ‘କଳାଧନ’କୁ ଧଳା କରିବାରେ ସମ୍ବାଦପତ୍ର ଏକ ଆୟୁଧ ଭାବରେ ବ୍ୟବହାର କରୁଛନ୍ତି । ଏହାଫଳରେ ସମ୍ବାଦପତ୍ରର ସାଧୁତା ଉପରେ ସାଧାରଣ ଲୋକଙ୍କର ବିଶ୍ୱାସନୀୟତା କ୍ରମେ କମି କମି ଯାଉଛି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ପରିଚିତ ଗଣମାଧ୍ୟମର ଗରିମା ଓ ମର୍ଯ୍ୟାଦା ମଧ୍ୟ କ୍ଷୁର୍ଣ୍ଣ ହେଉଛି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା କଦାପି ଶୁଭଙ୍କର ହୋଇ ନପାରେ ।
ସମ୍ପାଦକ ନବୀନ, ନବୀନ ଭବନ, ବ୍ରହ୍ମପୁର-୭୬୦୦୧୦
ମୋ-୯୮୬୧୦୧୩୭୮୦