ରଣଜିତପୁରରେ ବିଶ୍ୱ ଖାଦ୍ୟ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆମ ଖାଦ୍ୟ ଥାଳିରେ ପୁଷ୍ଟିଯୁକ୍ତ ଖାଦ୍ୟର ଘୋର ଅଭାବ ଦେଖା ଦେଇଛି । ଏଥି ଯୋଗୁଁ ମଣିଷ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛି । ଏହାକୁ ପ୍ରତିହତ କରିବା ପାଇଁ ଆମ ଖାଦ୍ୟ ଥାଳିକୁ ପୁଣି ଥରେ ପାରମ୍ପରିକ ଖାଦ୍ୟ ଫେରାଇ ଆଣିବାକୁ ପଡ଼ିବ ବୋଲି ପାଇକମାଲ ବ୍ଲକ ରଣଜିତପୁର ଠାରେ ଅନୁଷ୍ଠିତ ବିଶ୍ୱ ଖାଦ୍ୟ ଦିବସ- ୨୦୨୨ ଅବସରରେ ମତ ପ୍ରକାଶ ପାଇଛି । ଅହିଂସା କ୍ଲବ ପକ୍ଷରୁ ରଣଜିତପୁରର ପ୍ରାକୃତିକ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରୁ ପାଞ୍ଚ ହଜାର ଚାଷୀ ଯୋଗ ଦେଇଥିଲେ । ସମାରୋହର ପ୍ରମୁଖ ଆକର୍ଷଣ ଥିଲା ଖାଦ୍ୟ ପ୍ରଦର୍ଶନୀ । ସ୍ଥାନୀୟ ଅଂଚଳର ୮୦ରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ ପିଠା, ମଣ୍ଡା, ଭଳିକିଭଳି ଶାଗ, ଜଙ୍ଗଲର ଫଳମୂଳ, କନ୍ଦମୂଳ ଜାତୀୟ ଖାଦ୍ୟ, କୁଦୋ, ମାଣ୍ଡିଆ, ସୂଆଁ ଗୁରଜୀ, କାଙ୍ଗୁ ଆଦିରେ ତିଆରି ମିଷ୍ଟାନ୍ନ ଆଦିକୁ ନେଇ ଖାଦ୍ୟ ପସରା କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା । ଏହି ଅବସରରେ ଗନ୍ଧମାର୍ଦ୍ଦନ ପର୍ବତରେ ପୂଜାର୍ଚ୍ଚନା ପରେ ସେଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରିଥିଲା । ମହିଳାମାନେ ମୁଣ୍ଡରେ କୁଦୋ, ମାଣ୍ଡିଆରେ ସୁସଜ୍ଜିତ ମାଟି କଳସୀ ମାନ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଅହିଂସା କ୍ଲବର ସଂପାଦକ ଶିବ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ରାଇଜ ଏଗେନ୍‌ଷ୍ଟ ହଙ୍ଗର ଇଣ୍ଡିଆର ନିର୍ଦ୍ଦେଶକ ଡୋଲାମଣି ମହାପାତ୍ର, ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ୱୟ ସମିତିର ପ୍ରବକ୍ତା ସରୋଜ ମହାନ୍ତି, ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କୃଷି ଅଧିକାରୀ ଅମୀୟ କୁମାର ସାହୁ, ସୋହେଲା ସିଡ଼ିପିଓ ରାସେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ସିଂ ବରିହା, ପାଇକମାଲ ସରପଞ୍ଚ ତୁଳାବତୀ ସୁନା, କୃଷକ ନେତା ନାରାୟଣ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ସବୁଜ ବିପ୍ଳବ କାରଣରୁ ଆମ ଦେଶରେ ଖାଦ୍ୟ ବିବିଧତାର ଘୋର ଅଭାବ ଦେଖାଦେଇଛି । ବିଶ୍ୱର ଭୋକିଲା ତାଲିକାରେ ଭାରତର ସ୍ଥାନ ୧୦୭ରେ ରହିଛି । ଏହାକୁ ପ୍ରତିହତ କରିବା ପାଇଁ ପନିବରିବା, ଫଳମୂଳ, ଡ଼ାଲି ଜାତୀୟ ଖାଦ୍ୟ, ଶାଗ, ଜଙ୍ଗଲ ଜାତୀୟ ଦେଶୀ ଖାଦ୍ୟକୁ ଆପଣାଇବାକୁ ପଡ଼ିବ ବୋଲି ବକ୍ତାମାନେ ମତ ଦେଇଥିଲେ । ଏହି ଅବସରରେ ପାରମ୍ପରିକ ଚାଷ କରୁଥିବା ବିଭିନ୍ନ ଅଂଚଳର ପ୍ରମୁଖ ଚାଷୀଙ୍କୁ ଖାଦ୍ୟ ବୀର ଭାବରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!