jayashree

ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଜରିଆରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସଫଳତା ଲାଭ କରିଥିଲା : ନୃସିଂହନାଥରେ ଗାନ୍ଧୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଇଂରେଜ ଶାସନରୁ ଦେଶକୁ ମୁକ୍ତି କରିବା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ସତ୍ୟାଗ୍ରହ ଆନ୍ଦୋଳନ ସାରାଦେଶରେ ଚଲାଇଥିଲେ ସେହି ‘ସତ୍ୟାଗ୍ରହ ‘କୁ ପାଥେୟ କରି ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରୁ ବାଲକୋର ଖଣି ପ୍ରକଳ୍ପକୁ ବାତିଲ କରିବାରେ ଗନ୍ଧମାର୍ଦ୍ଦନର ସୁରକ୍ଷା ଯୁବ ପରିଷଦ ସଫଳ ହୋଇଥିଲା ବୋଲି ଆଜି ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଗାନ୍ଧୀ ସ୍ମୃତି ପୀଠ ଠାରେ ଆୟୋଜିତ ଗାନ୍ଧୀ ଜୟନ୍ତୀ ଅବସରରେ ବିଭିନ୍ନ ବକ୍ତା ମତବ୍ୟକ୍ତ କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଶ୍ରୀ ଦୁର୍ୟ୍ୟୋଧନ ପୁଟାଙ୍କ ଅଧ୍ୟକ୍ଷତାରେ ନୃସିଂହନାଥ ଗାନ୍ଧୀ ସ୍ମୃତି ପୀଠ ଠାରେ ଆୟୋଜିତ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ୟ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ପରିଷଦର ପୂର୍ବତନ ଆବାହକ ରାହାସ ବିହାରୀ ସାହୁଙ୍କ ସଂଚାଳନରେ “ରଘୁପତି ରାଘବ ରାଜାରାମ” ଗୀତ ଗାନ କରି ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା । ଗନ୍ଧମାର୍ଦ୍ଦନ ପର୍ବତରେ ବକ ସାଇଟ ଉତ୍ତୋଳନ ପାଇଁ ବାଲକୋକୁ ୪୭ ବର୍ଷର ଖଣି ପଟା ପ୍ରଦାନ କରିବା ପରେ ଗନ୍ଧମାର୍ଦ୍ଦନରେ ଖଣି ପ୍ରକଳ୍ପ ପ୍ରତିଷ୍ଠା କରିବା ପାଇଁ ବାଲକୋ ନିଜସ୍ୱ ଟାଉନସିପ, ରୋପୱେ, ଲଖନାରୁ ମନଭଙ୍ଗ ପର୍ଯ୍ୟନ୍ତ ରେଲୱେ ଲାଇନ କାର୍ୟ୍ୟକୁ ତ୍ୱରାନ୍ୱିତ କରୁଥିବା ବେଳେ ଗନ୍ଧମାର୍ଦ୍ଦନରେ ଖଣି ପ୍ରକଳ୍ପ ଦ୍ୱାରା ପ୍ରାକୃତିକ ପରିବେଶ, ଜୈବ ବିବିଧତା, ଝରଣା, ନଦୀ, ତୀର୍ଥକ୍ଷେତ୍ର ଆଦି ଧ୍ୱଂସ ପାଇ ଯିବାର ସମ୍ଭାବନା ଥିବାରୁ ବାଲକୋ ବିରୋଧରେ ଏକ ଜନ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରଦର୍ଶିତ ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନର ନେତୃତ୍ୱ ନେଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆନ୍ଦୋଳନରେ ସଫଳତା ଲାଭ କରିଥିଲା ବୋଲି ବିଭିନ୍ନ ବକ୍ତା ମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଦେଶ ସ୍ୱାଧୀନତା ପରବର୍ତ୍ତି ସମୟରେ ଦେଶରେ ଅନୁଷ୍ଠିତ ଗନ୍ଧମାର୍ଦ୍ଦନ ସୁରକ୍ଷାର ଆନ୍ଦୋଳନ ଏକ ଐତିହାସିକ ଆନ୍ଦୋଳନ ଭାବେ ଆଜି ପରିଚିତ ହୋଇଛି । ୫୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ସତ୍ୱେ ବାଲକୋର ଖଣି ପ୍ରକଳ୍ପକୁ ଜନ ଆନ୍ଦୋଳନର ଚାପରେ ସରକାର ବାତିଲ କରି ଦେବାକୁ ବାଧ୍ୟ ହୋଇଥିଲେ । ଏହି ଅବସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ବରିଷ୍ଠ ନେତୃ ମଣ୍ତଳୀ ସର୍ବଶ୍ରୀ ଡୋଲାମଣି ପାଣ୍ତେ, ଜଗଦିଶ ଲୁହାର, ଧୀରେନ ମହାନ୍ତି, ହୃଷିକେଶ ସାହୁ, ଡୋଲାମଣି ପାତ୍ର, ପ୍ରତିକ ସାହୁ, ଦିଲ୍ଲୀପ ବେହେରା, ରାଜେନ୍ଦ୍ର ସେଠ, ବିଦ୍ୟାଧର ସାହୁ, ପଙ୍କଜ ସାହୁ, ଶ୍ରୀମତୀ ସୁଭାଷିନୀସିନୀ ସାହୁ ଆଦି ଆଜିର ଦିନରେ ଗାନ୍ଧୀଜୀଙ୍କ ବିଚାରର ପ୍ରାସଙ୍ଗିତା ଉପରେ ନିଜ ନିଜର ମତବ୍ୟକ୍ତ ରହିଥିଲେ ।

Leave A Reply

Your email address will not be published.