ଓଡ଼ିଶା ଇତିହାସରେ ପ୍ରଥମ ଘଟଣା, ରାଜ୍ୟ ସରକାରଙ୍କ ସମ୍ପତ୍ତି ଜବତ କଲା ଏକ ଘରୋଇ ସଂସ୍ଥା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଇତିହାସରେ ପ୍ରଥମ ଘଟଣା, ରାଜ୍ୟ ସରକାରଙ୍କ ସମ୍ପତ୍ତି ଏକ ଘରୋଇ ସଂସ୍ଥା ଜବତ କରିଛି । ଅଧିକାରୀମାନଙ୍କର ଅପାରଗତା ଓ ପରିଚାଳନାଗତ ତୃଟି ଯୋଗୁଁ ସରକାର ଏଭଳି ଏକ ଅଭାବନୀୟ ପରିସ୍ଥିତିର ସାମ୍ନା କରିଛନ୍ତି ବୋଲି ମତ ପ୍ରକାଶ ପାଉଛି । ସମ୍ବଲପୁରରେ ଏକ ପ୍ରକଳ୍ପରେ ଖର୍ଚ୍ଚ ହୋଇଥିବା ୨୦ କୋଟି ଟଙ୍କା ଏଲ୍‌ ଆଣ୍ଡ ଟି କମ୍ପାନୀକୁ ସରକାର ନ ଦେବାରୁ ଗତକାଲି ସନ୍ଧ୍ୟାରେ ବାଣିଜ୍ୟ କୋର୍ଟ ସିଭିଲ୍‌ ଜଜ୍‌(ସିନିୟର ଡିଭିଜନ୍‌)ଙ୍କ ଆଦେଶ ବଳରେ, ପୁଲିସ୍‌ ସହାୟତାରେ ନିର୍ମାଣ ସୌଧରେ ଥିବା ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି । ଏହି ୨୦ କୋଟି ବଢ଼ି ବଢ଼ି ଏବେ ୧୨୦ କୋଟି ଛୁଇଁଛି । ସରକାର ଏହି ୧୨୦ କୋଟି ଦାଖଲ ନ କଲେ ଆଗକୁ ଏହି କୋଠାର ସମସ୍ତ ସାମଗ୍ରୀ ଜବତ ହେବ । ଏହି ପ୍ରକଳ୍ପରେ ସାମିଲ ଥିବା ସମସ୍ତ ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୋର୍ଟ ଆଦେଶ ଦେଇଛନ୍ତି ।

ସୂଚନା ମୁତାବକ, ସମ୍ବଲପୁରରୁ ରାଉରକେଲା ପର୍ଯ୍ୟନ୍ତ ୧୬୫ କିଲୋମିଟର ରାସ୍ତା ନିର୍ମାଣ କରିଥିଲା ଏଲ୍‌ ଆଣ୍ଡ ଟି । ଏଥିପାଇଁ ବିଧିବଦ୍ଧ ଟେଣ୍ଡର ହୋଇଥିଲା ଏବଂ ଏଲ୍‌ ଆଣ୍ଡ ଟି ଟେଣ୍ଡର ନେଇଥିଲା । କାମ ସରିବା ପରେ ପୂର୍ତ୍ତ ବିଭାଗ ୨୦ କୋଟି ଟଙ୍କା ସଂସ୍ଥାକୁ ଦେଇନଥିଲା । କାମ ସରିବା ପରେ ବିଭିନ୍ନ ବାହାନା କରି ପୂର୍ତ୍ତ ବିଭାଗ ଏହି ଅର୍ଥ ନ ଦେବାରୁ ଏଲ୍‌ଆଣ୍ଡଟି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ୨୦୦୪ ମସିହାରେ ଓଡ଼ିଶା ଆର୍ବିଟେସନ ସେଣ୍ଟରରେ ମାମଲାର ଫଏସଲା ହୋଇଥିଲା କି ଏହି ଅର୍ଥ ସରକାର ଏଲ୍‌ଆଣ୍ଡଟିକୁ ପ୍ରଦାନ କରିବେ । କିନ୍ତୁ ରାଜ୍ୟ ସରକାର ଏହି ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସେଠାରେ ହାରିବା ପରେ ସରକାର ସୁପ୍ରିମକୋର୍ଟ ଯାଇ ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ । ସେଠାରେ ମଧ୍ୟ ରାଜ୍ୟ ସରକାରଙ୍କର ପରାଜୟ ହୋଇଥିଲା । ତଥାପି ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ସେଠାରେ ଏକ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ସେଥିରେ ମଧ୍ୟ ସରକାର ହାରିଗଲେ । ଇତିମଧ୍ୟରେ ଏହି ୨୦ କୋଟି ଟଙ୍କାର ସୁଧ ବଢ଼ି ବଢ଼ି ମୂଳ ସହ ୧୨୦ କୋଟିରେ ପହଞ୍ଚିଯାଇଛି । କୋର୍ଟଙ୍କ ଆଦେଶ ସତ୍ତ୍ବେ ଏହି ଅର୍ଥ ସରକାର ପୈଠ ନ କରିବାରୁ ଏଲ୍‌ ଆଣ୍ଡ ଟି ସିଭିଲ୍‌ ଜଜ୍‌(ବାଣିଜ୍ୟ)ଙ୍କ ଦ୍ବାରସ୍ଥ ହୋଇଥିଲା । କୋର୍ଟ ବାରମ୍ବାର ନୋଟିସ୍‌ ପଠାଇବା ପରେ ସମ୍ପତ୍ତି ଜବତ କରିବାକୁ ଆଦେଶ ଦେଇଥିଲେ । ଗତକାଲି ସନ୍ଧ୍ୟାରେ ପୁଲିସ ସହାୟତାରେ ଏହି କାର୍ଯ୍ୟାଳୟରୁ ୯ ଟେବୁଲ୍‌, ୯ ଏସି, ୧୫ ଆଲମିରା ଓ ୧୮ କମ୍ପ୍ୟୁଟର ଜବତ ହୋଇଛି । ଏନେଇ ଏଲ୍‌ଆଣ୍ଡଟି ଓକିଲ ଗୌତମ ମୁଖାର୍ଜୀ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଆର୍ବିଟେସନ ସେଣ୍ଟର ଫଇସଲା ଶୁଣାଇବା ପରେ ସରକାର ଏହି ଅର୍ଥ ପଇଠ କରିଦେବାର ଥିଲା । କିନ୍ତୁ ଅଧିକାରୀମାନଙ୍କର ତୃଟିପୂର୍ଣ୍ଣ ନିଷ୍ପତ୍ତି ଏବେ ସରକାରଙ୍କୁ ଅକଳରେ ପକାଇଛି ।

ଏବେ ସୁଧ ବାବଦକୁ ଅତିରିକ୍ତ ଶହେ କୋଟି ଟଙ୍କା ସରକାର କୋଉଠୁ ଦେବେ ? ଏନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି, ଏବେ ତ ସବୁ ଇ-ପେମଣ୍ଟ ହେଉଛି । ଏତେଗୁଡ଼ାଏ ଟଙ୍କା କାହିଁକି ବାକି ରହିଲା ? ସରକାର କାହିଁକି କୋର୍ଟ ଯାଇଥିଲେ ? ତାହା ଦେଖିବାକୁ ପଡ଼ିବ । ଏ ସବୁ ବୁଝିବା ପରେ ଯାହା ଯାହା କିଛି କହିହେବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.