ସାହାଜ୍ ନାଲାରେ ବ୍ରିଜ୍ ନିର୍ମାଣ ଦାବୀ : ବର୍ଷକୁ ୪ମାସ ପଞ୍ଚାୟତ କାମ ସହ ପାଠପଢା ଓ ଅନ୍ୟାନ୍ୟ କାମରେ ଅସୁବିଧା ହେଉଥିବା ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଲର୍କା ପଞ୍ଚାୟତ ଅନ୍ତର୍ଗତ କାମପୁର କନକପଡାର ସାହାଜ୍ ନାଲା (ଜୋର)ରେ ବ୍ରିଜ୍ ନିର୍ମାଣ ଦାବୀ ହୋଇଛି । ପ୍ରକାଶ ଯୋଗ୍ୟ ଯେ କାମପୁର କନକପଡାରେ ପାଖାପାଖି ଅଢେଇ ସହ ଲୋକ ବସବାସ କରୁଥିବା ବେଳେ ନିଜ ପଞ୍ଚାୟତ କାର୍ଯ୍ୟ, ପାଠପଢା ଓ ଅନ୍ୟାନ୍ୟ କାମରେ ଲର୍କାକୁ ଯାତାୟାତ ହେବାକୁ ପଡୁଛି । ହେଲେ କାମପୁର ଓ କନକପଡା ମଝିରେ ସାହାଜ୍ ନାଲା ରହିଥିବା ବେଳେ ଏଠାରେ ବ୍ରିଜ୍ ନଥିବାରୁ ବର୍ଷର ୪ମାସ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । ଖାଉଟି ସାମଗ୍ରୀ, ପାଠପଢା ତଥା ଅନ୍ୟାନ୍ୟ କାର୍ଯ୍ୟରେ ଦୀର୍ଘ ୧୦ରୁ ଉର୍ଦ୍ଧ୍ବ କିଲୋମିଟର କରଙ୍ଗାମାଲ ପଞ୍ଚାୟତ ଦେଇ ଯିବା ଆସିବା କରିବାକୁ ପଡିଥାଏ । ବର୍ଷା ସମୟରେ ଉକ୍ତ ନାଲାରେ ବହୁ ଜୋରରେ ପାଣି ଆସୁଥିବା ବେଳେ ଏହି ପଡାଟି ଜଳବନ୍ଧୀ ଭାବରେ ରହିଥାଏ । ଫଳରେ ଭୋକ ଉପାସରେ ମଧ୍ୟ ରହିବାକୁ ପଡୁଥିବା ଲୋକେ ପ୍ରକାଶ କରିଛନ୍ତି । ଉକ୍ତ ନାଲାରେ ବ୍ରିଜ୍ ନିର୍ମାଣ ପାଇଁ ସ୍ଥାନୀୟ ପ୍ରଶାସନ ସମେତ ଜିଲ୍ଲା ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ଆଜି ଯାଏଁ କୌଣସି ପଦକ୍ଷେପ ନେଇ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ ପାଉଛି । ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଉଚିତ୍ ପଦକ୍ଷେପ ନେଇ ବ୍ରିଜ୍ ନିର୍ମାଣ କରିବାକୁ ପଡାବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.