ଆରମ୍ଭ ହେଲା ଆଇପିଏଲ ୨୦୨୧ ନିଲାମ ପ୍ରକ୍ରିୟା : ଅଲରାଉଣ୍ଡର କ୍ରିସ ମୋରିସଙ୍କୁ ୧୬.୨୫କୋଟିରେ ରେକର୍ଡ ସହ କିଣିଲା ରାଜସ୍ଥାନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଆରମ୍ଭ ହୋଇଛି ପ୍ରାଥମିକ ପ୍ରସ୍ତୁତି । ଇଣ୍ଡିଆନ୍‌ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ଖେଳାଳି ନିଲାମୀ ଜାରି ରହିଛି । ଆଇପିଏଲ୍ ୨୦୨୧ ପାଇଁ ଆଜି ଚେନ୍ନାଇରେ ୨୯୧ ଜଣ ଖେଳାଳିଙ୍କ ଲାଗି ନିଲାମୀ ଆରମ୍ଭ କରାଯାଇଛି । ଏଥିରେ ୧୬୪ ଜଣ ଭାରତୀୟ ଖେଳାଳି ଥିବା ବେଳେ ୧୨୫ ଜଣ ବିଦେଶୀ ଖେଳାଳି ଅଛନ୍ତି।

ଏହି ନିଲାମୀରେ ଏଯାବତ୍ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ୍ ମୋରିସ ଆଇପିଏଲ୍‌ ନିଲାମୀ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି । ରାଜସ୍ଥାନ ରୟାଲ୍ମ ତାଙ୍କୁ ୧୬.୨୫ କୋଟି ଟଙ୍କାରେ କିଣିଥିବା ଜଣାପଡ଼ିଛି । ମୁମ୍ବାଇ ଇଣ୍ଡିଆନ୍ସ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟ ମୋରିସଙ୍କୁ କିଣିବା ପାଇଁ ପ୍ରତିଯୋଗିତା କରିଥିବା ବେଳେ ଜିତିଛି ରାଜସ୍ଥାନ ରୟାଲ୍ । ଏହା ପୂର୍ବରୁ ୨୦୧୫ରେ ଯୁବରାଜ ସିଂ ଆଇପିଏଲ୍‌ ନିଲାମୀ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ। ଦିଲ୍ଲୀ କ୍ୟାପିଟାଲ୍ ତାଙ୍କୁ ୧୬କୋଟି ଟଙ୍କାରେ କିଣିଥିଲା, ଯାହା ଏଯାବତ୍ ସର୍ବକାଳୀନ ରେକର୍ଡ ଥିଲା ।

କ୍ରିସ୍‌ ମୋରିସଙ୍କ ପରେ ଅଷ୍ଟ୍ରେଲୀୟ ବ୍ୟାଟୁମ୍ୟାନ୍ ଗ୍ଲେନ ମାକ୍ସୱେଲ ଭଲ ଦରରେ ବିକ୍ରି ହୋଇଛନ୍ତି। ମାକ୍ସୱେଲଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ତାଙ୍କୁ କିଣିବା ପାଇଁ ଅନ୍ୟ କିଛି ଦଳ ୧୪କୋଟି ଅତିକ୍ରମ କରିଥିବା ବେଳେ ବାଜି ମାରିଛି ରୟାଲ ତାଲେଞ୍ଜର୍ସ ବାଙ୍ଗାଲୋର । ଆରସିବି ମାକ୍ସୱେଲଙ୍କୁ ୧୪.୨୫ କୋଟିରେ କିଣିଛି। ମାକ୍ସୱେଲଙ୍କୁ କିଣିବା ପାଇଁ ଆରସିବି ଏବଂ ଚେନ୍ନାଇ ସୁପର କିଙ୍ଗ୍ (ସିଏସକେ) ଭିତରେ କଢ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ସେହିଭଳି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ୨.୨୦କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ କିଣିଛି ।

Leave A Reply

Your email address will not be published.