ଆଉ ଏକ ରୋମାଞ୍ଚଭରା ମ୍ୟାଚ୍ : ୧୫୦ ରନ୍ ପିଛା କରୁଥିବା ହାଇଦ୍ରାବାଦକୁ ୧୪୩ରେ ଅଟକାଇଲା ବାଙ୍ଗାଲୋର

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲ ୨୦୨୧ର ୬ଷ୍ଠ ମ୍ୟାଚରେ ବାଙ୍ଗାଲୋର ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି ୧୫୦ ରନର ବିଜୟ ଲକ୍ଷ୍ୟର ପିଛା କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୩ ରନ କରିପାରିଥିଲା । ଦଳ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୫୪ ଓ ମନିଷ ପାଣ୍ଡେ ୩୮ ରନ କରିଥିଲେ । ଆଜି ହାଇଦ୍ରାବାଦ ଦଳ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ବାଙ୍ଗାଲୋର ପକ୍ଷରୁ ଅଧିନାୟକ ବିରାଟ କୋହଲି ଓ ଦେବୀଦତ୍ତ ପଲିକ୍କଲ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ପାଡ଼ିକଲ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ସାହାବାଜ ଅହମ୍ମଦ ମଧ୍ୟ ମାତ୍ର ୧୪ ରନ କରି ଆଉଟ ହୋଇଯାଇଥିଲେ । ତେବେ ବିରାଟ ଗ୍ଲେନ ମାକ୍ସଓ୍ବେଲ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । କୋହଲି ୩୩ ରନ କରିଥିବା ବେଳେ ମାକ୍ସଓ୍ବେଲ ସର୍ବାଧିକ ୫୯ ରନ କରିଥିଲେ । ତେବେ ମାକ୍ସଓ୍ବେଲ ଆଉଟ ହେବା ପରେ ଆସିଥିବା ଦଳର ଅନ୍ୟ ବ୍ୟାଟ୍ସମ୍ୟାନ ମାନେ ବିଶେଷ ଯୋଗାଦାନ ଦେଇପାରିନଥିଲେ । ବାଙ୍ଗାଲୋର ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୯ ରନ କରିଥିଲା ।୧୫୦ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟକୁ ପିଛା କରି ୧୩ ଓଭରରେ ୨ ୱିକେଟ୍ ହରାଇ ୯୬ ରନ୍ କରି ନେଇଥିଲା ସନ୍‌ରାଇଜର୍ସ ହାଇଦ୍ରାବାଦ । ଅଧିନାୟକ ଡେଭିଡ୍ ୱାର୍ଣ୍ଣର (୫୪)ଙ୍କ ସହ ମନୀଷ ପାଣ୍ଡେ (୩୮) ଧୂଆଁଧାର ବ୍ୟାଟିଂ କରୁଥିଲେ । ସନ୍‌ରାଇଜର୍ସ ଶିବିରରେ ଆନନ୍ଦ ଉଲ୍ଲାସ ଭରି ରହିଥିଲା ବେଳେ ପ୍ରତିପକ୍ଷ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଘୋର ଚିନ୍ତାରେ ଥିଲା । ସମସ୍ତେ ଭାବୁଥିଲେ ସନ୍‌ରାଇଜର୍ସ ହିଁ ସହଜ ବିଜୟ ହାସଲ କରିବ। ମ୍ୟାଚ୍ କିନ୍ତୁ ହଠାତ୍ ନାଟକୀୟ ମୋଡ଼ ନେଲା। ଘୋର ବିପର୍ୟ୍ୟୟର ସମ୍ମୁଖୀନ ହୋଇ ସନ୍‌ରାଇଜର୍ସ ମାତ୍ର ୪୬ ରନ୍‌ ଭିତରେ ୯ ୱିକେଟ୍ ହରାଇ ବିଜୟ ହାତଛଡ଼ା କଲା । ଅନ୍ୟପକ୍ଷରେ ଆର୍‌ସିବି ୬ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରି ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନକୁ ଉଠିଲା । ସ୍ତବ୍ଧ ସନ୍‌ରାଇଜର୍ସ ବିଜୟ ଖାତା ଖୋଲିବାରୁ ବଞ୍ଚିତ ହେଲା ।

Leave A Reply

Your email address will not be published.