- ସୁରେନ୍ଦ୍ର ହୋତା, ସାମ୍ବାଦିକ, ବରଗଡ଼
ଶରତ ଋତୁରେ ପାର୍ବଣର ଆଗମନ ଠିକ ପୂର୍ବରୁ ବରଗଡ଼ ସହରରୁ ଚିରଦିନ ପାଇଁ ଶରତ ଉଭେଇ ଗଲେ । ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏ ଶରତ କିଏ ? ତାଙ୍କ କଣ କିଛି ସ୍ୱାତନ୍ତ୍ରତା ଥିଲା ଯେ, ତାଙ୍କ ସମ୍ପର୍କରେ ଫେସବୁକରେ ଚର୍ଚ୍ଚା ହେଉଛି । ସହରରେ ଅନେକ ଶରତ ଅଛନ୍ତି ହେଲେ ଚର୍ଚ୍ଚାର ପ୍ରସଙ୍ଗ ହେଉଛନ୍ତି ବରଗଡ଼ ସହରର ପୁରୁଣା ସେଲୁନ ମାଲିକ ଶରତ ବାରିକଙ୍କ । ଗତକାଲି ଶରତ ବାରିକଙ୍କ ଦେହାନ୍ତ ହୋଇଯାଇଛି । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ ବରଗଡ଼ର ସାଇ ମଲ୍ଟି ସ୍ପେଶାଲିଟି ହସପିଟାଲରେ ଭର୍ତି କରାଯାଇଥିଲା । କରୋନା ନଥିଲା । ସୁଗର ବ୍ଳଡ଼ ପ୍ରେସର ସବୁ କିଛି ଠିକ ଥିଲା । ପରୀକ୍ଷଣରୁ ଜଣାଗଲା ଯେ, ସେ କାମଳ ରୋଗରେ ପିଡ଼ିତ । କିଛି ଦିନର ଚିକିତ୍ସାପରେ ତାଙ୍କୁ ବୁର୍ଲା ସମଲେଶ୍ୱରୀ ନରସିଙ୍ଗ ହୋମକୁ ପଠାଗଲା । ସେଠାରେ ଡ଼ାକ୍ତର କହିଲେ କିଡ଼ନି ଖରାପ ହୋଇ ଯାଇଛି, ତୁରନ୍ତ ଡ଼ାଏଲିସିସ୍ ଆବଶ୍ୟକ । ଡ଼ାଏଲିସିସ କରାଗଲା ଓ ତା’ପରେ ତାଙ୍କର ମୃତ୍ୟୁ ହୋଇଗଲା । ଗତକାଲି ସକାଳେ ନିତ୍ୟାନନ୍ଦ ବାବୁଙ୍କ ଠାରୁ ଶରତଙ୍କ ମୃତ୍ୟୁ ଖବର ପାଇ ଦୁଃଖ ଲାଗିଲା, କାରଣ ଶରତ ବାରିକଙ୍କ ସହ ବିଗତ ପାଂଚ ଦଶନ୍ଧୀ ଧରି ସମ୍ପର୍କ ଥିଲା । ୯୦ ଦଶକର ପ୍ରାରମ୍ଭରେ ମୁଁ ଯେତେ ବେଳେ ସାମ୍ବାଦିକତା ଆରମ୍ଭ କରିଥିଲି ସେ ସମୟରେ ତତ୍କାଳୀନ ପ୍ରଜାତନ୍ତ୍ର ସାମ୍ବାଦିକ ୰ ପ୍ରଫୁଲ୍ଲ ଦାଶ, ମାତୃଭୂମି ସାମ୍ବାଦିକ ୰ ବିପିନ ବିହାରି ଅଗ୍ରୱାଲ, ସମାଜ ଓ ହିନ୍ଦୀ ଦୈନିକ ନବଭାରତର ସାମ୍ବାଦିକ ୰ ରୋଶନଲାଲ ଅଗ୍ରୱାଲ, ହିନ୍ଦୁସ୍ଥାନ ସମାଚାରର ତଥା ଏବର ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ଧରିତ୍ରୀ ସାମ୍ବାଦିକ ଶଙ୍କର ବଲ୍ଲଭ ମିଶ୍ରଙ୍କ ସମ୍ପର୍କ ବଢ଼ିଥିଲା । ଆଉ ଆମେ ସବୁ ଏକତ୍ର ହେଉଥିଲୁ ବର୍ତମାନ ଲେଙ୍ଗୁ ମିଶ୍ର ଛକ କୁହାଯାଉଥିବା ପ୍ରଫୁଲ୍ଲ ଦାଶଙ୍କ ପୁରୁଣା ସାଇକେଲ ମରାମତି ଦୋକାନରେ । ସେଠାରୁ କମରେଡ଼ ୰ ଲେଙ୍ଗୁ ମିଶ୍ର, ସମାଜବାଦୀ ନେତା ୰ କିଶନ ପଟ୍ଟନାୟକ ପ୍ରାୟ ଆସୁଥିଲେ । ତା’ର ସମ୍ମୁଖରେ ପୁରୁଣା ଧର୍ମୁସିନ୍ଧୀ ଦୋକାନ ସମ୍ମୁଖରେ ଥିଲା ଆନନ୍ଦ ଆଚାର୍ଯ୍ୟଙ୍କ ଫିଲିପସ ରେଡ଼ିଓ ଦୋକାନ ‘ମୋଡ଼େର୍ଣ୍ଣ ଡ଼ିଲର’ । ତା’ର ପାଶ୍ୱରେ ଥିଲା ବୀରମଣି ପଟ୍ଟନାୟକଙ୍କ ଘଡ଼ି ଦୋକାନ ‘ପଟ୍ଟନାୟକ ୱାଚ କୋ’ । ପରବର୍ତି ସମୟରେ ଆନନ୍ଦ ଆଚାର୍ଯ୍ୟଙ୍କ ମୋଡ଼େର୍ଣ୍ଣ ଡ଼ିଲର ଦୋକାନଟି ରାସ୍ତାର ଅପର ପାଶ୍ୱର୍ରେ ଥିବା ସାମ୍ବାଦିକ ପ୍ରଫୁଲ୍ଲ ଦାଶଙ୍କ ସାଇକେଲ ଦୋକାନ ପାଶ୍ୱର୍କୁ ଉଠି ଆସିଥିଲା । ତାଙ୍କ ଦୋକାନକୁ ଲାଗିକରି ଥିଲା ୰ ଗିରୀଶ ପଟ୍ଟନାୟକଙ୍କ ଲାଇଟ ଏଣ୍ଡ ସାଉଣ୍ଡ ଦୋକାନ । ଗିରୀଶ ପଟ୍ଟନାୟକ ହେଉଛନ୍ତି ବର୍ତମାନର ନୃତ୍ୟଗୁରୁ ଶଙ୍କର ପଟ୍ଟନାୟକ, ହର ପଟ୍ଟନାୟକ, ଦେବୀ ପଟ୍ଟନାୟକଙ୍କ ପିତା । ଏ ସମସ୍ତେ ସାମାଜବାଦୀ ଚିନ୍ତା ଧାରା ଦ୍ୱାରା ପ୍ରଭାବିତ ଓ ଜନନାୟକ କିଶନ ପଟ୍ଟନାୟକ ଓ ରାମ ମନୋହର ଲୋହିଆଙ୍କ ଅନୁଗାମୀ । ପ୍ରଫୁଲ୍ଲ ଦାଶଙ୍କ ସାଇକଲ ମରାମତି ଦୋକାନର ଅପର ପାଶ୍ୱର୍ରେ ଥିଲା ୰ ବାବୁରାଓ ସୋମନାଥେଙ୍କ ଜଲଖିଆ ଦୋକାନ । ବାବୁରାଓ ସୋମନାଥେ ମୂଳତଃ ମହାରାଷ୍ଟ୍ରର ବାସିନ୍ଦା, ବିବାହ ପରେ ସେ ବରଗଡ଼କୁ ଚାଲି ଆସିଥିଲେ । ସେମାନେ ପ୍ରଥମେ କଲେଜ ରୋଡ଼ରେ ରହୁଥିଲେ ପରେ ଗଙ୍ଗାଧର ନଗରରେ ରହିଲେ ଏବଂ ଶେଷରେ ଜୀରାନଦୀ କୂଳରେ ନିଜସ୍ୱ ଘର ନିର୍ମାଣ କଲେ । ସେ ସମୟରେ ଜୀରାନଦୀ କୂଳରେ କେବଳ ତାଙ୍କର ଗୋଟିଏ ଘର ଥିଲା । ବିଜୁଳି ଆଲୁଅ ନଥିଲା । ବର୍ତମାନ ସେ ଅଂଚଳଟି ସହର ଧନାଢ଼୍ୟମାନଙ୍କ ଆଶ୍ରୟସ୍ଥଳୀରେ ପରିଣତ ହୋଇଛି । ବାବୁରାଓ ସୋମନାଥେଙ୍କ ସେହି ଦୋକାନଟି ଥିଲା ବରଗଡ଼ର ସାମ୍ବାଦିକ ମାନଙ୍କ ଆଶ୍ରୟ ସ୍ଥଳୀ । ସେ ସମୟରେ ବରଗଡ଼ ସାମ୍ବାଦିକ ସଂଘ ପ୍ରତିଷ୍ଠା ହୋଇ ନଥିଲା ଏଣୁ କେହି ଯଦି ସାମ୍ବାଦିକମାନଙ୍କୁ ଖୋଜିବ ବାବୁରାଓ ହୋଟେଲରେ ହିଁ ସେମାନଙ୍କୁ ପାଇବ । ଏହି ହୋଟେଲ ବେଂଚରେ ବସୁଥିବା ବ୍ୟକ୍ତିଙ୍କ ଭିତରେ ୰ କିଶନ ପଟ୍ଟନାୟକ, ୰ ଆନନ୍ଦ ଆଚାର୍ଯ୍ୟ, ପ୍ରସନ୍ନ ଆଚାର୍ଯ୍ୟ, ୰ ଲେଙ୍ଗୁ ମିଶ୍ର, ୰ ନାଟ୍ୟାଚାର୍ଯ୍ୟ ହରେକୃଷ୍ଣ ପୂଜାରୀ, ୰ ଲଳିତ ସାହୁ , ୰ ଚନ୍ଦ୍ରଶେଖର ମିଶ୍ର (ବଟୁ ମାଷ୍ଟ୍ରେ), ୰ ପ୍ରସନ୍ନ ଦାଶ, ଅମ୍ବାଭୋନାର ପୂର୍ବତନ ବିଧାୟକ ୰ କୁଞ୍ଜବିହାରୀ ନାୟକ, ବିମ୍ବାଧର କୁଅଁର, ସୁରେଶ୍ୱର ଶତପଥୀ ବି ସାମିଲ ଥିଲେ । ଏପରିକି ରାଷ୍ଟ୍ରୀୟ ସ୍ତରର ନେତା ରାମମନୋହର ଲୋହିଆ, ରବି ରାୟ ବି ବାବୁରାଓ ହୋଟେଲର ସେହି ଭଂଗା ବେଂଚରେ ବସି ସ୍ଥାନୀୟ ପ୍ରସଙ୍ଗଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ପ୍ରସଙ୍ଗ ପର୍ଯ୍ୟନ୍ତ ଚର୍ଚ୍ଚା କରିଥିଲେ । ରାମମନୋହର ଲୋହିଆଙ୍କ ସହ ମୋର ସମ୍ପର୍କ ନଥିଲା ମାତ୍ର, ରବିରାୟଙ୍କ ସହ ଆମେ ସେହି ବେଂଚରେ ଏକାଠି ବସିଥିଲୁ । ସେହି ବାବୁରାଓ ହୋଟେଲର ସମ୍ମୁଖରେ ଏକ କେବିନରେ ସେ ସମୟର ବାଳକ ଶରତ ବାରିକ ସେଲୁନ ଖୋଲିଥିଲେ । ଶରତଙ୍କ ସେଲୁନ ସେ ସମୟରେ ବି ପ୍ରତ୍ୟୁଷରୁ ଖୋଲୁଥିଲା । ସାଇକେଲରେ ପ୍ରତିଦିନ ଆସି ଭୋରରୁ ସେଲୁନ ଖୋଲୁଥିବାରୁ ଗିରଧର(ବାବୁରାଓଙ୍କ ପୁତ୍ର) ହୋଟେଲରେ ବସୁଥିବା ଏସବୁ ମହାନୁଭବ ମାନେ ଶରତଙ୍କ ସେଲୁନରେ ବାଳ ଦାଢ଼ି କାଟୁଥିଲେ । ମୋର ତ ମନେ ଅଛି ଆନନ୍ଦ ଆଚାର୍ଯ୍ୟ ମନ୍ତ୍ରୀ ହେଲା ପରେ ବି ଶରତ ତାଙ୍କ ଘରକୁ ଯାଇ ଆନନ୍ଦ ଆଚାର୍ଯ୍ୟଙ୍କ ବାଳଦାଢ଼ି କାଟୁଥିଲେ । ଶରତ ବାରିକଙ୍କ ଶାଳିନତା ଓ ସ୍ପଷ୍ଟବାଦିତା ମୋତେ ପ୍ରଭାବିତ କରିଥିଲା । ସେ କେବେ କାହାରିକୁ କଠୋର ସ୍ୱରରେ କହିବା ମୁଁ ଜାଣିନାହିଁ । ଅପରନ୍ତୁ ତାଙ୍କର ସୀମିତ ଆୟ ମଧ୍ୟରେ ସେ ଅନେକଙ୍କୁ ସାହାଯ୍ୟ କରୁଥିବା ଜାଣିଛି । ଘଟଣା ଚକ୍ରରେ ଆନନ୍ଦ ଆଚାର୍ଯ୍ୟ, ପ୍ରଫୁଲ୍ଲ ଦାଶ, ବାବୁରାଓ ସୋମନାଥେ, ଶରତ ବାରିକଙ୍କ ଦୋକାନ ଉପରେ ଏଡ଼ଭୋକେଟ ବିମଳ କର ତାଙ୍କର ମାଲିକାନା ଦାବି ଜଣାଇଲେ । ଅନେକ ବର୍ଷ ଧରି ଏହି ମାମଲା ଚାଲିଲା । ସେ ସମୟରେ ଏଡ଼ଭୋକେଟ ବିମଲ କରଙ୍କ ବିରୁଦ୍ଧରେ ଲଢ଼ିବାକୁ କୌଣସି ଆଇନଜୀବୀ ବାହାରି ନଥିଲେ । ପରିଶେଷରେ ତତ୍କାଳୀନ ଯୁବ ଆଇନଜୀବୀ ଦେବଦତ୍ତ ମିଶ୍ର ଏମାନଙ୍କ ପକ୍ଷରୁ ମକଦ୍ଦମା ଲଢ଼ିଥିଲେ । ଏଥିସକାଶେ ଏଡ଼ଭୋକେଟ ବିମଳ କରଙ୍କ ସହ ଦେବଦତ୍ତ ମିଶ୍ରଙ୍କ ସମ୍ପର୍କ ମଧ୍ୟ କିଛି ସମୟ ପାଇଁ କ୍ଷୁର୍ଣ୍ଣ ହୋଇଥିଲା । ଘଟଣା ଚକ୍ରରେ ଆନନ୍ଦ ଆଚାର୍ଯ୍ୟ ମାମଲାରୁ ଓହରିଯିବା ପରେ ଅନ୍ୟମାନେ ମଧ୍ୟ ମାମଲାରୁ ଓହରିଗଲେ । ଏହି ଘଟଣା ପରେ ଶରତ ବାରିକ ବରଗଡ଼ ଥାନା ପାଶ୍ୱର୍ରେ ତାଙ୍କ ସେଲୁନ କଲେ । ବର୍ତମାନର ବିଜେପି ନେତ୍ରୀ ଭୁବନେଶ୍ୱର ଲୋକସଭା ସଦସ୍ୟା ଅପରାଜିତା ଷଡ଼ଙ୍ଗୀ ବରଗଡ଼ ଜିଲ୍ଳାପାଳ ଥିବା ସମୟରେ ବରଗଡ଼ ସହରର ପ୍ରମୁଖ ରାସ୍ତାର ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ କରିବାରୁ ଶରତଙ୍କ ସେଲୁନ ପୁଣି ଭାଙ୍ଗିଲା । ଏହି ସମୟରେ ବରଗଡ଼ର ବିଶିଷ୍ଟ ବ୍ୟବସାୟୀ ପ୍ରଦୀପ ଦେବତା ଓ ଜପୁ ଲାଠ ପ୍ରମୁଖ ଅପରାଜିତା ମ୍ୟାଡ଼ାମଙ୍କ ପ୍ରମୁଖ ସମର୍ଥକ ଥିଲେ । ବାଘ ନ ଦେଖିଲେ ବିରାଡ଼ି ଦେଖିବା ପରି ପ୍ରଦୀପ ଦେବତା ଓ ଜପ୍ପୁଲାଠଙ୍କୁ ସେ ସମୟରେ ଲୋକେ ଅପରାଜିତାଙ୍କ ବିଜେ ପ୍ରତିମା ପରି ଗ୍ରହଣ କରି ନେଇଥିଲେ । ସେମାନଙ୍କର ମଧ୍ୟସ୍ଥତାରେ ବରଗଡ଼ ସହରକୁ ଆଧୁନିକ ରୂପ ଦିଆଗଲା । ଏହି ସମୟରେ ପ୍ରଦୀପ ଓ ଜପ୍ପୁଙ୍କ ମାଧ୍ୟମରେ ଶରତ ପୁଣି ତାଙ୍କର ସେଲୁନ କରିବା ପାଇଁ ସ୍ଥାନଟିଏ ଯୋଗାଡ଼ କରି ପାରିଥିଲେ । ସେ ସମୟର ପିପଲାନୀ କପଡ଼ା ଦୋକାନ (ବର୍ତମାନର ଅରୁନ୍ଧତୀ ଜ୍ୱେଲର୍ସ) ସମ୍ମୁଖରେ ରବିନ୍ଦ୍ର ଚକ୍ରବର୍ତୀଙ୍କ ଷ୍ଟୁଡ଼ିଓ ଆର୍ଟସମେନ ପାଖରେ ତାଙ୍କର ସେଲୁନ ଆରମ୍ଭ ହେଲା । ଏହି ସେଲୁନର ସ୍ୱତନ୍ତ୍ରତା ହେଲା ଯେ, ପ୍ରତିଦିନ ଭୋର ୫ଟାରୁ ସେଲୁନ ଖୋଲୁଥିଲା । ବରଗଡ଼ ସହରବାସୀ ଯେତେବେଳେ ପ୍ରତ୍ୟୁଷରେ ପ୍ରାତଃ ଭ୍ରମଣରେ ସେ ସମୟରେ ଶରତ ତାଙ୍କ ସେଲୁନ ଖୋଲି କାମ କରୁଥିବା ଦେଖୁଥିଲେ । ଆଜି ଶରତ ବାରିକଙ୍କ ମୃତ୍ୟୁ ପରେ ସମ୍ଭବତଃ ବରଗଡ଼ ସହରରେ ପ୍ରତିଦିନ ପ୍ରଥମେ ଖୋଳୁଥିବା ସେହି ସେଲୁନଟି ଆଉ ଦେଖାଯିବ ନାହିଁ । ଯଦିଓ ତାଙ୍କ ପୁଅ ଦଳଗଞ୍ଜନ ସେଲୁନଟି ଖୋଲିବେ ତାଙ୍କ ପିତାଙ୍କ ପରି ନିରବଚ୍ଛିନ୍ନ ରୂପେ ଭୋର ୫ଟାରୁ ସେଲୁନ ଖୋଲି ପାରିବେ ନାହିଁ । ବରଗଡ଼ ସହରର ଅସଂଖ୍ୟ ଚରିତ୍ର ଭିତରୁ ଶରତ ବାରିକ ଏକ ଚରିତ୍ର ଥିଲେ । ଜନ୍ମ ମାତ୍ରକେ ମୃତ୍ୟୁ ସୁନିଶ୍ଚିତ । ଜଣେ ସାମ୍ବାଦିକ ରୂପେ ମୃତ୍ୟୁ ସମ୍ପର୍କିତ ସମ୍ବାଦ ଆମ ପାଇଁ ସ୍ୱାଭାବିକ ଲାଗେ । ମାତ୍ର ଖୁବ କ୍ୱଚିତ ଲୋକଙ୍କ ମୃତ୍ୟୁ ଆମକୁ ପ୍ରଭାବିତ କରିଥାଏ । ବିଶ୍ୱକର୍ମା ପୂଜା ପରି ଦିନରେ ଶରତ ବାରିକଙ୍କ ମୃତ୍ୟୁ ସମ୍ବାଦ ବାସ୍ତବରେ ଦୁଃଖ ଦେଇଛି । ମୁଁ ତାଙ୍କର ଅମର ଆତ୍ମାର ସତଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜ୍ଞାପନ କରୁଛି ।