pakka

ନାଇଁ ଶୁଭୁଛେ ଆରୁ ‘ଛେର୍ ଛେର୍ ଛେର୍ ଛେରା’ : ଆଏଜ୍ ପରେ ପୁଷ୍‌ପୁନି, କୃଷି ପରମ୍ପରାର ଆଉ ଏକ ମହାନ ଗଣପର୍ବ

  • ହେମନ୍ତ ସାହୁ

ଆରୁ ନାଇଁ ଶୁଭୁଛେ ‘ଛେର୍ ଛେର୍ ଛେର୍ ଛେରା, ଇ ଘରର୍ ବୁଢୀ କାହିଁ ଗଲା, କୁଣା ଖାଇ ଖାଇ.. ଆଏଜ୍‌ ପୁନି, କାଏଲ ପୁନି, ନୂଆ ଲୁଗା ତୁନା ତୁନି..ଛେର୍ ଛେରା…’ କୃଷି ପରମ୍ପରାର ଆଉ ଏକ ଅନନ୍ୟ ପର୍ବ ତଥା ମୁକ୍ତିର ଆଉ ଉଲ୍ଲାସର ପର୍ବ ହେଉଛି ପୁଷ୍‌ପୁନି । ଆଏଜ୍‌ ସେ ପୁଷ୍ ପୁନି । କିନ୍ତୁ ଆଉ ନାହିଁ ପୁଷ୍‌ପୁନିର ସେହି ମହକ, କି ଗାଁ ଦାଣ୍ଡରେ ଆଉ ଶୁଭୁନି ପିଲାଙ୍କର ପୁଷ୍‌ପୁନିରେ ଛେର ଛେରା ମାଗିବାର ସେହି ଗୀତ । ଆଈ ବୁଢୀକୁ ଟାହି ଟାପରା କରି, କିଛି ଚାଉଳ, ପୁଷ୍‌ପୁନିର ପାଣି ଶିଝା ମଡ଼ାପିଠା, ଆଉ ଦୁଇ ଚାରି ଟଙ୍କା, ଯାହା ସବୁ ସେହି ଦିନରେ ଭୋଜି କରିବାର ଯୋଗାଡ଼ । ସେଇ ମଗାଯାଇଥିବା ଦରବ ସବୁକୁ ନେଇ, ପାଖ ନଈ କୂଳକୁ ଯାଇ ଭୋଜି କରିବାର ପ୍ରଥା ପରମ୍ପରା ଏବେ ଲୁପ୍ତ ପ୍ରାୟ । ଡ଼ିଜିଟାଲାଇଜେସନ୍‌ର ଯୁଗରେ ଏହାକୁ ସମସ୍ତେ ଭୁଲିବାକୁ ବସିଲେଣି । ବୋଧେ ଅନେକେ ଆଉ ଏଇ ଦିନରେ ଗୀତ ଶୁଣିବାକୁ ପାଉନଥିବେ । ଆମ ସମୟର ପିଲାମାନେ ଏବେ ମୋବାଇଲ ଆଉ ଫ୍ରି ଫାୟାର ଗେମ୍‌ରେ ବ୍ୟସ୍ତ ରହି ନିଜ ସଂସ୍କୃତିକୁ ସଂପୂର୍ଣ୍ଣ ଭୁଲି ଯାଇଛନ୍ତି । ଏବେ ଏଇ ସବୁ ସଂସ୍କୃତି ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ମଂଚ କାର୍ଯ୍ୟକ୍ରମ ହୋଇସାରିଛି । ଗାଁ ଦାଣ୍ଡରୁ ଏବେ ଅତ୍ୟାଧୁନିକ ମଂଚ ଉପରେ ଆସନ ଜମାଇଛି ଆମର ନିଆରା ପର୍ବ ପୁଷ୍‌ପୁନି । ସବୁଠୁ ମହତ୍ୱ ପୂର୍ଣ୍ଣ କଥା ହେଉଛି, ଏହି ଦିବସଟି ଥିଲା ହଳିଆମାନଙ୍କ ପାଇଁ ମୁକ୍ତିର ଦିବସ, ଯାହାକୁ ଗୋତି ଶ୍ରମିକ ପ୍ରଥା ଭାବରେ ଲୋକେ ଜାଣୁଥିଲେ । ସେମାନେ ଯେଉଁ ସାହୁକାର, ଗଉନ୍ତିଆ ପାଖରେ ବଛରକିଆ ବା ବାର୍ଷିକ ଚୁକ୍ତିରେ କାମ କରୁଥିଲେ, ଏଇ ଦିନ ତାଙ୍କରି ମିଆଦ ସଂପୂର୍ଣ୍ଣ ହେଉଥିଲା ଏବଂ ମାଲିକ ପାଖରୁ ସେମାନେ ନିଜକୁ ମୁକ୍ତ କରୁଥିଲେ । ବର୍ଷେ କାଳ ଜଣେ ମାଲିକ ଘରେ ନିଜକୁ ବନ୍ଧକ ପ୍ରାୟ ରଖି କାମ କରିବା ସହିତ ନିଜର ଏବଂ ନିଜ ପରିବାରର ଭରଣପୋଷଣ କରୁଥିଲେ । ଯାହାର ଅଲିଖିତ ମିଆଦଟି ହେଉଛି ଏହି ପୁଷ୍‌ପୁନି । ମାଲିକ ସବୁ ହିସାବ ଚୁକ୍ତି କରି ତାକୁ କିଛି ବକ୍‌ସିସ ଦେଉଥିଲେ ଏବଂ ସେହି ଭଳି ଅନ୍ୟ ସାହୁକାର ପାଖରେ ଥିବା ହଳିଆମାନେ ଏହି ଦିନ ମିଶିକି ମୁକ୍ତି ପାଇବାର ଖୁସିରେ ଭୋଜି ଭାତର ଆୟୋଜନ କରୁଥିଲେ । କାରଣ କୃଷି କାମଟି ପୁଷ୍‌ପୁନି ଭିତରେ ସଂପୂର୍ଣ୍ଣ ହୋଇଯାଏ, କିଛି ଦିନ ପାଇଁ ଚାଷ କାମରୁ ନିବୃତ୍ତ ରହେ ସାହୁକାର । ତାକୁ ଆଉ ହଳିଆର ଆବଶ୍ୟକ ପଡ଼େନି, ତେଣୁ ଏହି ମଝି ସମୟଟି ସେ ହଳିଆ ଉପରେ ନିର୍ଭରଶୀଳ ରୁହେନି । ପୁଷ୍‌ପୁନିର ପ୍ରାୟ ଏକ ସପ୍ତାହ ଆଗରୁ ଗାଁରେ ଶୁଭୁଥିଲା ଢେଙ୍କିର ଶବ୍ଦ । ଚାଉଳ ଚୁନା କରି ପ୍ରସ୍ତୁତ କରାଯାଉଥିଲା ଏବଂ ପୁଷ୍‌ପୁନି ଦିନ ଅଳେଇଚ, ଲବଙ୍ଗ, ନଡ଼ିଆ ପୁର ଦିଆ ପିଠାରେ ଗାଁ ଗୋଟା ମହକି ଯାଉଥିଲା । ଅନେକ ଗାଁରେ ଏହି ଦିନ ରାଧାକୃଷ୍ଣ ବେଶ ହୋଇ, ଢୋଲ ବାଦ୍ୟର ତାଳେ ତାଳେ ରାଧାକୃଷ୍ଣ ନୃତ୍ୟ ପରିବେଷଣ କରି ଜନମାନସରେ ଖୁସି ବିତରଣ କରିବା ସହିତ ଗାଁରେ ଥିବା ନୂଆବୋହୂଙ୍କ ପାଖରୁ ମଜା ମଜା ଗୀତ ପରିବେଷଣ କରି ଅର୍ଥ ସଂଗ୍ରହ କରୁଥିଲେ । ଏବେ ବି କିଛି ଗାଁରେ ଏହି ନୃତ୍ୟ ପରମ୍ପରା ବଞ୍ଚି ରହିଛି । ଦିନ ସାରାର ଏହି ମଉଜମଜଲିସ ଯେ, ଦିନବେଳେ ହିଁ ସିମୀତ ରହୁଥିଲା ତାହା ନୁହେଁ ପିଠା, ପଣା, ଭୋଜି ଭାତ ପରେ ଗ୍ରାମ୍ୟ ଯୁବକମାନେ ଗାଁ ଛକ ବା ଗାଁ ଖୁଏଲରେ ଦଣ୍ଡା ସୁର, ପୋଟଚୋକଲା ଭଳି ଖେଳରେ ମଜ୍ଜି ରହୁଥିଲେ ସନ୍ଧ୍ୟା ପର୍ଯ୍ୟନ୍ତ । କାରଣ ମକର ସଂକ୍ରାନ୍ତି ପରେ ସୂର୍ୟ୍ୟଙ୍କ ଅସ୍ତ ଯିବା ସମୟରେ ସାମାନ୍ୟ ପରିବର୍ତ୍ତନ ଆସୁଥିଲା ଏବଂ ପୁଷ୍‌ପୁନିରେ ଆକାଶରେ ପୁନି ଜହ୍ନ ଥିବା କାରଣରୁ ବିଳମ୍ବ ଯାଏଁ ଖେଳର ମଜା ନେଉଥିଲେ ଯୁବ ଗୋଷ୍ଠୀ । ତାକୁ ଦେଖିବା ପାଇଁ ଗାଁରେ ପିଲାଠାରୁ ବୁଢାଙ୍କର ଭିଡ଼ ବି ଜମୁଥିଲା ସମାନ୍ତରାଳରେ ଖେଳାଳୀଙ୍କୁ ବିଭିନ୍ନ ଟିକଲ୍ ମାରି ଉତ୍ସାହିତ କରୁଥିଲେ । ଏବେ କିନ୍ତୁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ମଞ୍ଚରେ ପୁଷ୍‌ପୁନି ଭେଟ ଦିନ ସାହିତ୍ୟ ଅନୁଷ୍ଠାନରେ କବିତା ପାଠ କରି ଏହି ଦିନକୁ ମନେ ପକାଉଛୁ ତ ଆଉ କୋଉଠି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକୁଛି । ଆମେ ଅନ୍ତତଃ ଏହି ଦିନର ମୌଳିକତା ତଥା ବିଶେଷତ୍ୱକୁ ଅନ୍ତତଃ ଆମ ଉତ୍ତରପୀଢିଙ୍କ ପାଖରେ ପହଞ୍ଚାଇବା ଉଚିତ୍ ନଚେତ ଆଉ କିଛି ବର୍ଷ ପରେ ପୁଷ୍‌ପୁନି ପରବ୍ ଟିଏ ଥିଲା ବୋଲି କହିଲେ, ଆମକୁ ଲାଜ ଲାଗିବ । ପୁଣି ଥରେ ପିଲାମାନେ ଗାଁରେ ଘର ଘର ବୁଲି ବାଡ଼ି ପିଟି ପିଟି..ସମବେତ ସ୍ୱରରେ ଗାଆନ୍ତୁ..’ଛେର୍ ଛେର୍ ଛେର୍ ଛେରା..ଇ ଘର୍ ବୁଢୀ କାହିଁ ଗଲା’ ।

ମୋ:-୭୭୩୫୫୯୦୪୯୬

Leave A Reply

Your email address will not be published.

14 − 7 =