- ସୌମେନ୍ଦ୍ର ଜେନା
ରୁଷିଆ- ୟୁକ୍ରେନ ଯୁଦ୍ଧକାଳରେ ୟୁକ୍ରେନର ଭିନ୍ନ ଭିନ୍ନ ସହରଗୁଡିକ ରୁଷସେନାର ଆକ୍ରମଣରେ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ସହରକୁ ଚାରିପଟୁ ଘେରିଯାଇ ଆକ୍ରମଣ କରିବାଲାଗି ରୁଷସେନା ଯୋଜନା କରି ସହରଗୁଡିକରେ ସଡକପଥ, ବିଦ୍ୟୁତ, ସୁରକ୍ଷା, ଯୋଗାଯୋଗ, ତୈଳ ଯୋଗାଣ ବ୍ୟବସ୍ଥାଗୁଡିକୁ ରକେଡମାଡ କରି ନଷ୍ଟ କରୁଥିବାରୁ ଭାରତର ଅନେକ ଛାତ୍ରଛାତ୍ରୀ ଡାକ୍ତରୀ ପଢିବାକୁ ଯାଇ ସେହିସବୁ ସହରଗୁଡିକରେ ଅଟକି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ବାହାରିଯିବା ପାଇଁ ବାରମ୍ବାର ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଫେବୃଆରୀ ୧୫ ତାରିଖରୁ ଜାରି କରାଯିବା ସତ୍ତେ୍ୱ ଅନେକ ଛାତ୍ରଛାତ୍ରୀ ୟୁକ୍ରେନକୁ ନଛାଡି ରହିଯାଇଥିଲେ । କିନ୍ତୁ ରୁଷସେନାର ଆକ୍ରମଣରେ ୟୁକ୍ରେନ ବିମାନବନ୍ଦରଗୁଡିକ କ୍ଷତିଗ୍ରସ୍ତ ହେବା ଯୋଗୁଁ ଏବଂ ରକେଡମାଡ ଜାରିଥିବା ହେତୁ କଣସି ଯାତ୍ରୀବାହୀ ବିମାନ ୟୁକ୍ରେନକୁ ଯାଉନାହିଁ କିମ୍ବା ୟୁକ୍ରେନରୁ ବାହାରକୁ ଆସୁନାହିଁ । ଗୋଟିଏ ପରେ ଗୋଟିଏ ସହରର ପତନ ହେବା ଯୋଗୁଁ ସେଠାରେ ଧ୍ୱଂସର ଭୟାବହତା ବଢିବାରେ ଲାଗିଛି । ଭାରତର ପ୍ରାୟ ୧୮ହଜାର ଛାତ୍ରଛାତ୍ରୀ ଡାକ୍ତରୀ ଶିକ୍ଷା ପାଇଁ ୟୁକ୍ରେନରେ ଅଟକି ରହିବା ଯୋଗୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଦେଶକୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ଅପରେସନ ଗଙ୍ଗା ନାମକ ବିମାନ ସେବା ଅଭିଯାନ ଚାଲୁରହିଛି । ଯୁଦ୍ଧର ଘନଘଟା ମଧ୍ୟରେ ଏପ୍ରକାର ଉଦ୍ଧାର କାର୍ୟ୍ୟ ଭାରତ ସରକାରଙ୍କ ପାଇଁ ନୂଆ ନୁହେଁ । ନରେନ୍ଦ୍ର ମୋଦୀ ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ପରେ ୨୦୧୫ରେ ଅପରେସନ ରାହତ ମାଧ୍ୟମରେ ଯୁଦ୍ଧଗ୍ରସ୍ତ ୟେମେନରୁ ଭାରତୀୟ ନାଗରିକମାନଙ୍କୁ ସେ ସମୟରେ ଉଦ୍ଧାର କରିଥିଲେ । ସେତେବେଳେ କେବଳ ଭାରତୀୟ ନୁହନ୍ତି ଅନ୍ୟାନ୍ୟ ଅନେକ ଦେଶର ନାଗରିକଙ୍କୁ ଭାରତର ବାୟୁସେନା ଏବଂ ନୌସେନାର ସେହି ମିଳିତ ଅଭିଯାନରେ ଉଦ୍ଧାର କରାଯାଇଥିଲା । ସେତେବେଳେ ସାଉଦି ଆରବ ସେନା ପକ୍ଷରୁ ୟେମେନ ଉପରେ ଅହରହ ବୋମାମାଡ କରାଯାଉଥିବା ହେତୁ ସେଠାରୁ ଭାରତୀୟମାନଙ୍କୁ ଉଦ୍ଧାର କରାଯିବା କଷ୍ଟକର ଥିଲା । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବର ରାଜାଙ୍କୁ ଫୋନକରି ଏକ ସପ୍ତାହ ପାଇଁ ବୋମାମାଡ ବନ୍ଦ କରିବାକୁ କହିଥିଲେ । କିନ୍ତୁ ମୋଦୀଙ୍କ କଥାରେ ସାଉଦି ରାଜା ରାଜି ହୋଇନଥିଲେ । ଏକ ସପ୍ତାହ ପାଇଁ ବୋମାମାଡ ବନ୍ଦ କରିବା ବଦଳରେ ଦୁଇଘଣ୍ଟା ପାଇଁ ବୋମାମାଡ ନକରିବାକୁ ସେ ରାଜି ହୋଇଥିଲେ । ସେହି ସମୟ ମଧ୍ୟରେ ୟେମେନରୁ ଭାରତୀୟମାନଙ୍କୁ ପାଖ ଦେଶକୁ ବାହାର କରିନେଇ ସେଠାରୁ ଜଳ ଓ ଆକାଶମାର୍ଗରେ ଦେଶକୁ ଫେରାଇ ଅଣାଯାଇଥିଲା । ୟେମେନରୁ ୫୦୦୦ ଭାରତୀୟଙ୍କ ସମେତ ୨୦୦୦ ବିଦେଶୀ ନାଗରିକ ସେହି ଅଭିଯାନରେ ସୁରକ୍ଷିତ ଭାବେ ଉଦ୍ଧାର ପାଇଥିଲେ । ବର୍ତ୍ତମାନର ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଥିବା ଜେନେରାଲ ଭିକେ ସିଂହ ସେହି ଅଭିଯାନର ନେତୃତ୍ୱ ନେଇଥିଲେ । ତେଣୁ ଏବେ ୟୁକ୍ରେନରେ ଅଟକିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ୟ୍ୟରେ ପୋଲାଣ୍ଡ ସୀମାରେ ନେତୃତ୍ୱ ନେବାକୁ ଅନ୍ୟ ତିନିଜଣ ମନ୍ତ୍ରୀଙ୍କ ସହ ସେ ସାମିଲ ହୋଇଛନ୍ତି । ଅପରେସନ ଗଙ୍ଗାର ଅଭିପ୍ରାୟ କେବଳ ୟୁ୍କ୍ରେନରୁ ଭାରତୀୟ ନାଗରିକମାନଙ୍କୁ ଯେ ଉଦ୍ଧାର କରିବା ତା ନୁହେଁ, ସେଠାକୁ ମାନବିକ ସହାୟତା ସାମଗ୍ରୀମାନ ମଧ୍ୟ ପଠାଇବା । ତେଣୁ ୟୁକ୍ରେନର ପଡୋଶୀ ରାଷ୍ଟ୍ର ପୋଲାଣ୍ଡ, ରୋମାନିଆ, ହଙ୍ଗେରୀ, ମାଲଡୋଭା, ସ୍ଲୋଭାକିଆର ସୀମାରେ ସହାୟତା ସାମଗ୍ରୀ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି । ଏହି ଅଭିଯାନ ଭାରତର ବିଦେଶ ବିଭାଗ ଏବଂ ପ୍ରତିରକ୍ଷା ବାହିନୀର ମିଳିତ ସହଯୋଗରେ ଚାଲୁଛି । ଏଥିରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସଜେଟ, ଏୟାର ଇଣ୍ଡିଆ ଏକ୍ସପ୍ରେସ ସମେତ ଭାରତୀୟ ବାୟୁସେନାର ବିମାନ ସାମିଲ ହୋଇଛନ୍ତି । ବୈଦେଶିକ ବିଭାଗର ଭିନ୍ନ ଦେଶରେ ଥିବା ରାଷ୍ଟ୍ରଦୂତଙ୍କ କାର୍ୟ୍ୟାଳୟଗୁଡିକ ମଧ୍ୟ ମିଶି କାର୍ୟ୍ୟ କରୁଛନ୍ତି ।
୨୪ଫେବୃଆରୀ ଦିନ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ଭାରତର ନାଗରିକଙ୍କ ସୁରକ୍ଷିତ ଉଦ୍ଧାର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ୨୬ ଫେବୃଆରୀରେ କଥା ହୋଇଥିଲେ । ତେଣୁ ବୁକାରେଷ୍ଟରୁ ନୂଆଦିଲ୍ଲୀକୁ ପ୍ରଥମ ବିମାନ ୨୪୯ ଜଣ ନାଗରିକଙ୍କୁ ଧରି ଯାତ୍ରା ଭରିଥିଲା । କାର୍ୟ୍ୟକୁ ତ୍ୱରାନ୍ୱିତ କରିବାକୁ ୪ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ପୋଲାଣ୍ଡ, ରୋମାନିଆ, ମାଲ୍ଡୋଭା, ହଙ୍ଗେରୀ, ସ୍କୋଭାନିଆ ଆଦି ୟୁକ୍ରେନର ପଡୋଶୀ ରାଷ୍ଟ୍ରକୁ ପଠାଗଲା । ୨୪ ଫେବୃଆରୀ ଦିନ ୟୁକ୍ରେନର ଆକାଶପଥ ବନ୍ଦ ହେବା ପୂର୍ବରୁ ପ୍ରାୟ ୯୦୦୦ ଭାରତୀୟ ୟୁକ୍ରେନ ଛାଡି ସାରିଥିଲେ । ୧୫ ଫେବୃଆରୀ ଦିନ ଏନେଇ ସରକାରଙ୍କ ପକ୍ଷରୁ ପରିସ୍ଥିତି ଦୃଷ୍ଟିରୁ ମାର୍ଗଦର୍ଶିକା ପ୍ରକାଶ ପାଇଥିଲା । ୨୮ତାରିଖ ଦିନ ବୈଦେଶିକ ବିଭାଗର ମାର୍ଗଦର୍ଶିକାରେ ଭାରତୀୟ ନାଗରିକମାନଙ୍କୁ ୟୁକ୍ରେନର ପଶ୍ଚିମରେ ଥିବା ସହରକୁ ଯାଇ ସୀମା ଅତିକ୍ରମ କରିବା ପାଇଁ କୁହାଯାଇଥିଲା । ଏଥିପାଇଁ ଚବିଶ ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇ ଇମେଲ, ଟ୍ୱିଟର, ଟେଲିଫୋନ ନମ୍ବର ଆଦିର ସୂଚନା ଦିଆଯାଇଥିଲା । ପଡୋଶୀ ରାଷ୍ଟ୍ରରେ ଥିବା ଭାରତ ସରକାରଙ୍କ ରାଷ୍ଟ୍ରଦୂତ କାର୍ୟ୍ୟାଳୟ ଏବଂ ଭାରତୀୟ ନାଗରିକ କଲ୍ୟାଣ ପାଣ୍ଠିର ଲୋକେ ସକ୍ରିୟ ହୋଇଥିଲେ । ମାର୍ଚ୍ଚ ୩ ତାରିଖରେ ମନୋହର ପାରିକର ଇନ୍ଷ୍ଟିଚ୍ୟୁଟ ଫର ଡିଫେନ୍ସ ଷ୍ଟଡିଜ୍ ଏଣ୍ଡ ଆନାଲିସିସ୍ ସହଯୋଗରେ ଜୀବନରକ୍ଷା ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଥିଲା । କାରଣ ଖାରକିଭ ସହରରେ ଭୟଙ୍କର ବୋମାମାଡ ଆରମ୍ଭ ହୋଇଯାଇଥିଲା । ଫେବୃଆରୀ ୨୭ତାରିଖରେ ରୋମାନିଆର ବୁକାରେଷ୍ଟରୁ ୪୬୯ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ଇଣ୍ଡିଗୋ, ଏୟାର ଇଣ୍ଡିଆ, ସ୍ପାଇସଜେଟ, ଏୟାର ଇଣ୍ଡିଆ ଏକ୍ସପ୍ରେସ ସହ ବାୟୁସେନାର ବୃହତକାୟ ପରିବହନ ବିମାନ ସି-୧୭ ଗ୍ଲୋବମାଷ୍ଟର ଏବଂ ଇଲ୍ୟୁସିନ୍ -୭୬ ବିମାନ ଏଥିରେ ସାମିଲ ହୋଇଥିଲେ । ସବୁ ବିମାନ ବନ୍ଦରରେ କୋରୋନା ନିୟମାନୁଯାୟୀ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଉଦ୍ଧାର କାର୍ୟ୍ୟ ତଦାରଖ ପାଇଁ କେନ୍ଦ୍ର ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋମାନିଆ ଓ ମାଲଡୋଭା, କିରେନ ରିଜିଜୁ ସ୍କୋଭାକିଆ, ହରଦୀପ ସିଂହ ପୁରୀ ହଙ୍ଗେରୀ, ଜେନେରାଲ ଭିକେ ସିଂହ ପୋଲାଣ୍ଡରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଏହି ଉଦ୍ଧାର କାର୍ୟ୍ୟକୁ ନିଜେ ନୂଆଦିଲ୍ଲୀରୁ ପରିଚାଳନା କରିବାକୁ ଯାଇ ବୈଦେଶିକ ମନ୍ତ୍ରୀ, ବିଦେଶ ସଚିବ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହ ନିୟମିତ ବୈଠକରେ ବଦଳୁଥିବା ପରିସ୍ଥିତିକୁ ନେଇ ଆଲୋଚନା ଜାରି ରଖିଲେ । ଘଟଣାବଳୀର ଖବର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଜଣାଇବା ସହ ଏନ୍ଡିଆର୍ଏଫ୍ ଦଳଙ୍କୁ ସାମିଲ କରି ଚିକିତ୍ସା ସହାୟତା, ଟେଣ୍ଟ, ଚାଦର, ସୌରବତୀ ସିପିଂ ମ୍ୟାଟ ଆଦି ପଠାଇଲେ । ୟୁକ୍ରେନର ପଡୋଶୀ ରାଷ୍ଟ୍ରଗୁଡିକର ରାଜଧାନୀ ସହ ମୁମ୍ବାଇ ଏବଂ ଦିଲ୍ଲୀରୁ ବିମାନ ଯୋଗାଯୋଗ ଥିଲା ବେଳେ ମାଲଡୋଭା-ରୋମାନିଆ ମଧ୍ୟରେ ସଡକ ଯୋଗାଯୋଗ ରହିଥିଲା । ଛାତ୍ରଛାତ୍ରୀମାନେ ଯୁଦ୍ଧର ଘନଘଟା ମଧ୍ୟରେ ପୋଲାଣ୍ଡ ସୀମାରେ ପ୍ରବେଶ କରିବା ଏତେଟା ସହଜ ନଥିଲା । କିଛି କିଛି ସ୍ଥାନରେ ଯୁଦ୍ଧରତ ସେନାଗଣ ଛାତ୍ରଛାତ୍ରୀଙ୍କ ଯାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଜାତୀୟ ପତାକା ବ୍ୟବହାର କରିବାକୁ କୁହାଗଲା । ଏପରିକି ରାସ୍ତାରେ ଅଟକଥିବା ଛାତ୍ରଛାତ୍ରୀଙ୍କୁ ବାହାର କରି ପୋଲାଣ୍ଡ ସୀମାକୁ ଆଣିବା ଲାଗି ପୋଲାଣ୍ଡରୁ ସ୍ୱତନ୍ତ୍ର ବସ୍ ୟୁକ୍ରେନ ମଧ୍ୟକୁ ପଠାଯାଇଥିଲା । କେତେକ ସ୍ଥଳେ ବଙ୍କର ଭିତରେ ଥିବା ଛାତ୍ରଛାତ୍ରୀଙ୍କୁ ବସ୍ କିମ୍ବା ଟ୍ରେନ ଯୋଗେ ୟୁକ୍ରେନ-ପୋଲାଣ୍ଡର ସୀମା, ରୋମାନିଆ, ମାଲଡୋଭା, ସ୍ଲୋଭାକିଆର ସୀମାକୁ ଆସିବା ପାଇଁ କୁହାଯାଇଥିଲା । ଏହି ସମୟରେ ମାର୍ଚ୍ଚ ୧ ତାରିଖ ଦିନ ଖାର୍କିଭ ସହରରେ ଗୁଳିଚାଳନା ଯୋଗୁଁ କର୍ଣ୍ଣାଟକର ଛାତ୍ର ନବୀନ ଶେଖରାପ୍ପା ଜ୍ଞାନଗୌଡାଙ୍କ ମୃତ୍ୟୁ ହୋଇଥିଲା । ଚନ୍ଦନ ଜିନ୍ଦଲ ନାମକ ଛାତ୍ର ୟୁକ୍ରେନର ଭିନୀତସିଆ ଠାରେ ହୃଦରୋଗରେ ଚିକିତ୍ସିତ ହେବା ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
ଅପରେସନ ଗଙ୍ଗାର ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱୀତ କରିବା ପାଇଁ ସରକାର ୧୦ ମାର୍ଚ୍ଚ ସୁଦ୍ଧା ୮୦ ଉଡାଣ ଭରିବା ଲାଗିି ନିଷ୍ପତ୍ତି ନେଇଛନ୍ତି । ୨୪ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ୟୁ୍କ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ସ୍ୱାଗତ ଏବଂ ସେମାନଙ୍କ ଗନ୍ତବ୍ୟସ୍ଥଳୀକୁ ପଠାଇବା କାର୍ୟ୍ୟରେ ସାହାଯ୍ୟ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ରୋମାନିଆର ବୁକାରେଷ୍ଟ ସହରରୁ ୩୫ ଉଡାଣ ଭରିବା ପାଇଁ ଏୟାର ଇଣ୍ଡିଆର ୧୪ବିମାନ, ଏୟାର ଇଣ୍ଡିଆ ଏକ୍ସପ୍ରେସର ୮ ବିମାନ, ଇଣ୍ଡିଗୋର ୭ ବିମାନ, ସ୍ପାଇସଜେଟର ୧ ବିମାନ, ବିସ୍ତାରାର ୨ ବିମାନ ସହ ଭାରତୀୟ ବାୟୁସେନାର ୨ ବିମାନକୁ କାର୍ୟ୍ୟରେ ଲଗାଯାଇଛି । ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରୁ ୨୮ବିମାନ ଉଡାଣ ହେବ ବୋଲି ଜଣାପଡିିଛି । ଯେଉଁଥିରେ ଗୋ ଏୟାର ୧୫, ଇଣ୍ଡିଗୋର ୯, ଏୟାର ଇଣ୍ଡିଆର ୨, ବାୟୁସେନାର ୧, ସ୍ପାଇସଜେଟର ୧ ଉଡାଣ ରହିବ । ପୋଲାଣ୍ଡର ଜେସ୍ଜୋରୁ ୯ ବିମାନ ଉଡାଣ ମଧ୍ୟରେ ଇଣ୍ଡିଗୋର ୮, ବାୟୁସେନାର ୧ ଉଡାଣ ରହିବ । ରୋମାନିଆର ସୁସିଏଭରୁ ୩ ଉଡାଣ ଏବଂ ସ୍ଲୋଭାକିଆର କୋସିସେରୁ ୩ ଉଡାଣ ଭରାଯିବ । ଫେବୃଆରୀ ୨୬ରୁ ମାର୍ଚ୍ଚ ୬ ମଧ୍ୟରେ ପ୍ରାୟ ୬୩ ଉଡାଣ ମାଧ୍ୟମରେ ୧୩୩୦୦ ରୁ ଅଧିକ ନାଗରିକଙ୍କୁ ଭାରତକୁ ଉଦ୍ଧାର କରି ଅଣାଯାଇଛି । ୟୁକ୍ରେନରୁ ଆସୁଥିବା ବିମାନକୁ ସ୍ୱାଗତ କରିବା ପାଇଁ ଜିତେନ୍ଦ୍ର ସିଂହ, ମୁଖତାର ଆବାସ ନକ୍ବୀ, ରାଓ ଇନ୍ଦରଜିତ ସିଂହ, ନାରାୟଣ ରାଣେ, ଜି କିଷନ ରେଡ୍ଡୀ, କୈଳାସ ଚୌଧୁରୀ, ପୁରୁଷୋତ୍ତମ ରୁପାଲା, ଭଗୱନ୍ତ ଖୁଦା, ବୀରେନ୍ଦ୍ର କୁମାର, ମୀନାକ୍ଷୀ ଲେଖି, ଭି ମୁରଲୀଧରନ, ଭାଗୱତ କରାଡି, ନିଶିଥ ପ୍ରମାଣିକ, ଶାନ୍ତନୁ ଠାକୁର, ରାଓ ସାହେବ ଦାନ୍ଭେ, ଦର୍ଶନା ଜାର୍ଦ୍ଦୋସ, ଦେବୁସିଂ ଚୌହାନ, ଭାରତୀ ପ୍ରବୀଣ ପାୱାର, ସାଧ୍ୱୀ ନିରଞ୍ଜନ ଜ୍ୟୋତି, ଭାନୁପ୍ରତାପ ସିଂହ ବର୍ମା, ସୁଭାସ ସରକାର, କପିଳ ପାଟିଲ ପ୍ରମୁଖ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
ୟୁକ୍ରେନର ପୂର୍ବରେ ଥିବା ଖାରକିଭ ଏବଂ ପିସୋଚୀନ ସହରରୁ ୧୦୦୦ ଛାତ୍ରଛାତ୍ରୀଙ୍କ ଉଦ୍ଧାର ପାଇଁ ୬ଘଣ୍ଟା ଗୁଳିମାଡ ବନ୍ଦ କରିବାକୁ ରୁଷିଆ ସରକାର ରାଜି ହେବା ସହ ସୁମୀରେ ଅଟକି ଥିବା ୭୦୦ ଛାତ୍ରଛାତ୍ରୀଙ୍କୁ ରୁଷ ସୀମା ଦେଇ ବୋଲଗୋରୋଡ ସହରକୁ ଅଣାଯିବା ପରେ ସେଠାରୁ ସିଧାସଳଖ ବିମାନ ଯୋଗେ ମସ୍କୋରୁ ଭାରତକୁ ଅଣାଯିବା ଲାଗି ଯୋଜନା ହୋଇଛି । ଏଥିପାଇଁ ରୁଷ ନିର୍ମିତ ଆଇଏଲ୍-୭୬ ବିମାନକୁ ପ୍ରସ୍ତୁତ କରି ରଖାଯାଇଥିବା ଜଣାପଡିଛି । ତେବେ କିଭରୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ନୂଆଦିଲ୍ଲୀର ଛତରପୁର ନିବାସୀ ହରଜୋତ ସିଂହ ଗୁଳିବିଦ୍ଧ ହୋଇ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ୟୁକ୍ରେନରୁ ନାଗିରକଙ୍କ ଉଦ୍ଧାର ପାଇଁ ଭାରତ ସରକାର ଜରୁରୀ ଯୋଗାଯୋଗ ପାଇଁ ଟେଲିଫୋନ୍ ସେବା ରଖିଛନ୍ତି । ପୋଲାଣ୍ଡ ସୀମାରେ ୪୮୨୨୫୪୦୦୦୦୦/୪୮୭୯୫୮୫୦୮୭୭/୪୮୭୯୨୭୧୨୫୧୧ ନମ୍ବର, ରୋମାନିଆ ସୀମା ପାର ପାଇଁ ୪୦୭୩୧୧୨୪୩୦୯/୪୦୭୭୧୬୩୨୫୬୭/୪୦୭୪୫୧୬୧୬୩୧ /୪୦୭୪୧୫୨୮୧୨୩ ନମ୍ବର, ହଙ୍ଗେରୀ ସୀମା ପାଇଁ ୩୬୩୦୮୫୧୭୩୭୩/୩୬୧୩୨୫୭୭୪୨/୩୬୧୩୨୫୭୭୪୩ ନମ୍ବର ଏବଂ ସ୍ଲୋଭାକିଆ ସୀମାପାର ପରେ ଯୋଗାଯୋଗ ପାଇଁ ୪୨୧୨୫୨୬୩୧୩୭୭/୪୨୧୨୫୨୯୬୨୯୧୬/୪୨୧୯୫୧୬୯୭୫୬୦ନମ୍ବରରେ ଫୋନ କରିବାକୁ କୁହାଯାଇଛି । ସେହିପରି ଟ୍ୱିଟରରେ @opganga ଆକାଉଣ୍ଟ ଖୋଲାଯାଇଛି । ବୈଦେଶିକ ବିଭାଗ ପକ୍ଷରୁ ଯେଉଁ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି, ତାର ଟୋଲ ଫ୍ରି ନମ୍ବର ୧୮୦୦୧୧୮୭୮୭ ରହିଛି । ଏହାଛଡା ୯୧୧୧୨୩୦୧୨୧୧୩/ ୯୧୧୧୨୩୦୧୪୧୦୪ / ୯୧୧୧୨୩୦୧୭୯୦୫ ନମ୍ବରରେ ମଧ୍ୟ ଯୋଗାଯୋଗ କରିହେବ । ବିଭାଗର ଫାକ୍ସ ନମ୍ବର ୯୧୧୧୨୩୦୮୮୧୨୪ ରହିଥିଲା ବେଳେ ଇ ମେଲ [email protected] ରହିଛି । ଅପରେସନ୍ ଗଙ୍ଗାର ସଫଳତା ସମସ୍ତଙ୍କ ସହଯୋଗ ଏବଂ ଧୈର୍ୟ୍ୟ ଉପରେ ନିର୍ଭର କରୁଛି । ସରକାର ଯେପରି ଦାୟିତ୍ୱର ସହ ଏହି ସେବା ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦେଉଛନ୍ତି ତାହା ଅନ୍ୟ ରାଷ୍ଟ୍ରଗୁଡିକ ପାଇଁ ମଧ୍ୟ ଗ୍ରହଣୀୟ । ଯୁଦ୍ଧ ଦୃଷ୍ଟିରୁ ୟୁକ୍ରେନର ରାଜଧାନୀ କିଭ ୨୦-ବି ମାକ୍ସିମା ବଲିନ୍ସ୍କୋଗୋ ଷ୍ଟ୍ରୀଟରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ୟ୍ୟାଳୟକୁ ୧ ମାର୍ଚ୍ଚ ୨୦୨୨ରୁ ବନ୍ଦ କରିଦିଆଯାଇଛି । ଏହି ଅଭିଯାନର ସଫଳତା ପ୍ରତ୍ୟେକ ଭାରତବାସୀଙ୍କ କାମ୍ୟ ରହିଛି ।