snbehera

ସୌହାର୍ଦ୍ଦ୍ୟର ପର୍ବ ନୂଆଁଖାଇ

ଡକ୍ଟର ଲକ୍ଷ୍ମଣ ମେହେର
ଜୀବନ ନିର୍ବାହର ମୂଳଦୂଆ ହେଉଛି ଅନ୍ନ । ଏଥିପାଇଁ କୃଷକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମାଟି ବିନା କୃଷିକାର୍ଯ୍ୟ ଅସମ୍ଭବ । ପଶ୍ଚିମ ଓଡ଼ିଶା କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଏହାର ପର୍ବପର୍ବାଣିଗୁଡ଼ିକ ମୁଖ୍ୟତଃ କୃଷିଭିତ୍ତିକ । ବିଭିନ୍ନ ପର୍ବ ମଧ୍ୟରେ ନୂଆଖାଇ ଏକ ଶ୍ରେଷ୍ଠ ଗଣ ପର୍ବ । ଅଞ୍ଚଳର ସମଗ୍ର ଜନତା ବର୍ଷ ତମାମ ଏହି ଦିନକୁ ଅନାଇ ରହିଥାନ୍ତି । ଏ ହେଉଛି କୃଷି ଓ କୃଷକ ପ୍ରତି ସମ୍ମାନର ପର୍ବ । ଶୁଷ୍କ ବନ୍ଧ୍ୟା ମାଟିକୁ ଉର୍ବର କରି ଜମିକୁ ଶସ୍ୟଶ୍ୟାମଳା କରିବା ସାଧାରଣ କଥା ନୁହେଁ । ଦିନ ଏବଂ ରାତିକୁ ଗୋଟିଏ କରି ମାଟି ସହିତ ମାଟି ହୋଇ କୃଷକ କ୍ଷେତରେ କଠୋର ପରିଶ୍ରମ କରେ । ସେଇ କଷ୍ଟକର ସାଧନା ଯୋଗୁଁ ମାଟି ମାଆ ନିଜ ଦେହରେ ରସ ସଞ୍ଚାର କରି ଆମ ମୁହଁରେ ଖାଦ୍ୟ ଯୋଗାଏ । ଧରିତ୍ରୀ ସମସ୍ତଙ୍କ ଦୌରାତ୍ମ୍ୟ ସହେ । ଏଣୁ ମାଟି ହେଉଛି ସର୍ବଂସହା ବସୁନ୍ଧରା । ସେଇଥିପାଇଁ କୃଷକ ସମାଜ ମାଟିକୁ ମାତୃ ତୁଲ୍ୟ ସମ୍ମାନ ଦିଏ ।

kp

କୃଷକ ଜୀବନ ଏକ ସ୍ପର୍ଶକାତର ଜୀବନ । ଗ୍ରୀଷ୍ମ, ଝଡ଼, କାକର ସବୁକୁ ସହିଯାଏ ସେ । ସର୍ବଦା ତା’ର ଗୋଟିଏ ସ୍ୱପ୍ନ, ତାହା ହେଉଛି ଭଲ ଅମଳ । ଯାହା ଉପରେ ନିର୍ଭର କରି ପୃଥିବୀର କୋଟି କୋଟି ଜୀବଜନ୍ତୁ ଜୀବନ ବଞ୍ଚନ୍ତି । ଏ ଦୃଷ୍ଟିରୁ ମନେହୁଏ ଦେଶର ପ୍ରକୃତ ପାଳନ କର୍ତ୍ତା ହେଉଛି କୃଷକ । ସେ ବର୍ଷସାରା କଷ୍ଟ କରି ଯେଉଁ ଫସଲ ଫଳାଏ, ତାହା ପ୍ରଥମେ ଇଷ୍ଟଦେବୀଙ୍କୁ ଅର୍ପଣ କରି ତା’ର ପ୍ରସାଦ ନିଜେ ସେବନ କରିଥାଏ । ଏହା ହେଉଛି ନୂଆଁଖାଇ । ଏହାର ଗାମ୍ଭୀର୍ଯ୍ୟକୁ ସମ୍ମାନ ଦେଇ କୃଷକ ସହିତ ସର୍ବ ସାଧାରଣ ସମସ୍ତେ ସାମିଲ ହୋଇଥାନ୍ତି । ସାରା ପଶ୍ଚିମ ଓଡ଼ିଶାର ସମସ୍ତ ପରିବାରରେ ଆନନ୍ଦର ଲହରୀ ଖେଳି ଉଠିଥାଏ । ଲୋକେ ଦିନଟିକୁ ମନଭରି ମଉଜରେ କଟେଇ ଦେଇଥାନ୍ତି ।

ପଶ୍ଚିମ ଓଡ଼ିଶାର ଜନ ଜୀବନରେ ଏହା ଏକ ଆଧ୍ୟତ୍ମିକ ପର୍ବ । ଏହିଦିନ ଗୁହାଳ ଏବଂ ଗୋରୁଙ୍କୁ ମଧ୍ୟ ପୂଜା କରାଯାଇଥାଏ । ବର୍ଷକର ସୁଖ ସମୃଦ୍ଧି ପାଇଁ ପ୍ରତ୍ୟେକ ପରିବାର ମନ ଭିତରେ ଗଭୀର ବିଶ୍ୱାସ ଓ ଆଶା ସ୍ଥାପନ ପୂର୍ବକ ଦେବାଦେବୀଙ୍କୁ ପୂଜା କରି ଆଶୀର୍ବାଦ କାମନା କରିଥାନ୍ତି । ନୂଆଁଖାଇ ହେଉଛି ଏକ ଉଦାର ବିଶ୍ୱଭାବନାର ପ୍ରତୀକ । ଏହାର ପୂର୍ବ ଦିନରୁ ଗୃହର ଯିଏ ଯେଉଁଠି ଥାଉନା କାହିଁକି ସମସ୍ତେ ଘରେ ଉପସ୍ଥିତ ରହନ୍ତି । ଯେଉଁମାନେ ଆସି ପାରନ୍ତି ନାହିଁ ସମାଜ ଦ୍ୱାରା ଭର୍ସିତ ହୁଅନ୍ତି । ଏ ହେଉଛି ପ୍ରକୃତରେ ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆଗ୍ରହର ଗଭୀର ସମ୍ବେଦନ । ନିଜର ଜନ୍ମମାଟି ଏବଂ ଇଷ୍ଟଦେବ ପ୍ରତି ସମ୍ମାନ । ପୁର ପଲ୍ଲୀ ହେଉ କିମ୍ବା ସହାରାଞ୍ଚଳ ହେଉ ପ୍ରତ୍ୟେକ ଆବାଳ, ବୃଦ୍ଧ, ବନିତାଙ୍କ ପାଇଁ ନବାନ୍ନ ହେଉଛି ଏକ ବହୁ ପ୍ରତୀକ୍ଷିତ ପର୍ବ । ପ୍ରତ୍ୟେକ ପରିବାରରେ ସ୍ୱାଦିଷ୍ଟ ବ୍ୟଞ୍ଜନ ସହିତ ବିଭିନ୍ନ ପ୍ରକାରର ପିଠାପଣା ତିଆରି କରାଯାଇଥାଏ ।

ନୂଆଖାଇ ପର୍ବଟି ଏକ ସଂହତିର ପର୍ବ । ବହୁଦିନର ମନୋମାଳିନ୍ୟ, ହିଂସା, ଦ୍ୱେଷ, ଅସହଯୋଗରେ ଏହିଦିନ ପୂର୍ଣ୍ଣଚ୍ଛେଦ ପଡ଼ିଥାଏ । ଅତୀତକୁ ଭୁଲିଯାଇ ସମସ୍ତେ ଏକାକାର ହୋଇ ଉଠନ୍ତି । ପରସ୍ପର ମଧ୍ୟରେ ସ୍ନେହ ତଥା ଭାବର ଆଦାନ ପ୍ରଦାନ ଘଟେ । ସମସ୍ତେ ବୟୋଜ୍ୟେଷ୍ଠଙ୍କୁ ପ୍ରଣିପାତ ଜଣାଇଥାନ୍ତି । ମାଆ ଭଉଣୀମାନେ ଗ୍ରାମସାରା ବୁଲି ବଡ଼ମାନଙ୍କୁ ମୁଣ୍ଡିଆ ମାରୁଥାନ୍ତି । ଯାହାକି ନୂଆଁଖାଇର ‘ଜୁହାର ଭେଟ୍‌’ ବୋଲି କୁହାଯାଏ । ବୃଦ୍ଧବୃଦ୍ଧାମାନେ ସାକ୍ଷାତ ହୋଇ ‘ଜିଇଁ ଜାଗିଥିଲେ ବର୍ଷେ’ ବୋଲି କଥାବାର୍ତ୍ତା ହେଉଥାନ୍ତି । ଯାହାକି ହୃଦୟ ସହିତ ଆଉ ଗୋଟିଏ ହୃଦୟକୁ ଏକାତ୍ମ କରିଦେଉଥାଏ । ଲୋକଙ୍କ ଭିତରୁ ସକଳ ପ୍ରକାର ସଂକୀର୍ଣ୍ଣତା ଦୂର ହୋଇ ହୃଦୟ ଭିତରେ ଅପୂର୍ବ ଉନ୍ମାଦନା ସୃଷ୍ଟି ହେଉଥାଏ । ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ପର୍ବଟି କେବଳ ଆନନ୍ଦ ପ୍ରାପ୍ତି ଉଦ୍ଦେଶ୍ୟରେ ନୁହେଁ, ସାମାଜିକ ଜୀବନକୁ ସୁସ୍ଥ ତଥା ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ ।

ଅନ୍ନକୁ କେନ୍ଦ୍ରକରି ଏଇ ପାର୍ବଣର ଉନ୍ମେଷ ଓ ବିକାଶ । ପର୍ବଟି ପ୍ରାଚୀନ ପରଂପରାକୁ ସମ୍ମାନ ଦେଇଥାଏ । ଋକ୍‌ବେଦରେ ମଧ୍ୟ ନବାନ୍ନ ପାଳନର ସୂଚନା ଅଛି । ଜନଶ୍ରୃତିରୁ ଜଣାଯାଏ, ପାଟଣା ରାଜା ରମାଇଁ ସିଂଦେଓ ନବାନ୍ନ ପର୍ବର ପ୍ରଚାର ପ୍ରସାର ପାଇଁ ଯଥେଷ୍ଟ ଭୂମିକା ଗ୍ରହଣ କରିଥିଲେ । ଏଇ ଭାବନା କେବଳ ପୂଜା ଆରାଧନା ଭିତରେ ସୀମିତ ନ ରହି ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟ୍‌ଘାଟ୍‌ର ଆୟୋଜନ ହୋଇଥାଏ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଅର୍‌କ୍ରେଷ୍ଟା, ପାଲା, ସଂକୀର୍ତ୍ତନ, ସତ୍‌ସଙ୍ଗ, ବିଭିନ୍ନ ପ୍ରକାର ଖେଳ, କବିତା ପାଠ, ନାଚ, ଗୀତ ମଧ୍ୟ ପ୍ରଦର୍ଶନ କରାଯାଇଥାଏ । ଏଠାରେ ସଦ୍‌ଭାବନାର ଧାରା ସ୍ପଷ୍ଟ । ଅଞ୍ଚଳବାସୀ ଉତ୍ସବ ଭିତରେ ବିହ୍ୱଳିତ ହୋଇ ପୁଣି ନୂତନ ବର୍ଷରେ ନୂତନ କର୍ମ ପାଇଁ ଦୃଢ ପରିକର ହୁଅନ୍ତି ।

ନବାନ୍ନ ଭକ୍ଷଣ ପ୍ରାୟତଃ କୁରେଇ ପତ୍ରର ଖଳିରେ ସଂପନ୍ନ ହୁଏ । ଭଗବାନଙ୍କୁ ପୂଜା ଅର୍ପଣ ପରେ ଗୃହର ସମସ୍ତ ସଦସ୍ୟ ଏକତ୍ର ବସି ଗୃହକର୍ତ୍ତାଙ୍କ ହାତରୁ ପ୍ରସାଦ ଗ୍ରହଣ କରି ସେବନ କରନ୍ତି । ଗ୍ରାମ୍ୟ ଜନତା ଅତ୍ୟନ୍ତ ନୀତିନିଷ୍ଠ । ନୂଆଁଖାଇ ପର୍ବ ପାଳନ ନହେବା ପର୍ଯ୍ୟନ୍ତ ସେଇ ବର୍ଷର ନୂଆଁଧାନରୁ ପ୍ରସ୍ତୁତ କୌଣସି ଖାଦ୍ୟ ଦ୍ରବ୍ୟ କେହି ଗ୍ରହଣ କରନ୍ତି ନାହିଁ । ଏହି ପର୍ବ ପାଳନ ପାଇଁ ଭାଦ୍ରବ ଶୁକ୍ଳ ପଞ୍ଚମୀକୁ ସରକାରୀ ଧାର୍ଯ୍ୟ ଦିନ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର କିଛି ସମ୍ପ୍ରଦାୟ ଏବଂ କେତେକ ଗ୍ରାମ ଏହାକୁ ଗ୍ରହଣ କରନ୍ତି ନାହିଁ । ନିଜ ଇଷ୍ଟଦେବୀଙ୍କ ପୂଜା ହେତୁ ଜ୍ୟୋତିଷ ଡ଼କାଇ ଶୁଭା ଶୁଭ ଗଣନା କରି ଭାଦ୍ରବ ଶୁକ୍ଳପକ୍ଷ ଦ୍ୱିତୀୟା ଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ଶୁଭ ଯୋଗ ଦେଖି ନବାନ୍ନ ଦିନ ଧାର୍ଯ୍ୟ କରନ୍ତି । ପୁଣି, କେତେକ କ୍ଷେତ୍ରରେ ଛୋଟ ଛୋଟ ଗ୍ରାମର କୌଣସି ପରିବାରର ଅଶୁଦ୍ଧ କିମ୍ବା ଅସୁବିଧା ହେଲେ ସେଇ ଗ୍ରାମର ନବାନ୍ନ ଦିନ ଘୁଞ୍ଚାଇ ଦିଆଯାଇଥାଏ । ନବାନ୍ନ ପୂର୍ବ ଦିନ ପ୍ରାୟତଃ ପରିବାରରେ ଅରୁଆ ଭାତ ଖାଇଥାନ୍ତି ଏବଂ ପୂଜାକାର୍ଯ୍ୟ ପାଇଁ ଶୁଦ୍ଧମନରେ ବିଭିନ୍ନ ସାମଗ୍ରୀ ସଂଗ୍ରହ କରନ୍ତି । ଏହି ଦିନ ଜମିରୁ ନୂତନ ଧଳାଧାନ ସଂଗ୍ରହ କରାଯାଏ । ଝାଙ୍କର ମଧ୍ୟ ଗ୍ରାମଦେବୀଙ୍କ ପୂଜା ସାରି ପ୍ରସାଦ ସ୍ୱରୂପ କିଛି କିଛି ଧାନ ସମସ୍ତ ଗୃହକୁ ପହଞ୍ଚାଇଥାଏ । ଏହାର ପୂର୍ବ ଦିନ କୃଷକମାନେ ନିଜର ହଳିଆ, କୁଠିଆ, ମଜୁରିଆମାନଙ୍କୁ ନୂଆଖାଇ ଭାର ଭାବରେ ଚାଉଳ, ଡ଼ାଲି, ଲୁଣ, ତେଲ ଇତ୍ୟାଦି ଦେଇଥାନ୍ତି । ନୂଆଖାଇ ପରବର୍ତ୍ତୀ ଦିନକୁ ନୂଆଖାଇବାସି କୁହାଯାଏ । ଏହି ଦିନ ପ୍ରତ୍ୟେକ ଘରେ ମଦ, ମାଂସ ସେବନ କରି ଜୀବନକୁ ଖୁସିରେ ବିତାଉଥିବାର ଦେଖାଯାଇଥାଏ । ଏଇଠାରେ ହିଁ ବିଧି ତଥା ପରଂପରା ପ୍ରତି ସମ୍ମାନ ବୋଧର ଭାବନା ପ୍ରଣିଧାନ ଯୋଗ୍ୟ ।

ନୂଆଁଖାଇ ପର୍ବଟି ପଶ୍ଚିମ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ । ଏହା ପଶ୍ଚିମ ଓଡ଼ିଶା ବ୍ୟତୀତ କୌଣସି ଯାଗାରେ ନିଷ୍ଠାର ସହ ପାଳନ ହେବା ଦେଖାଯାଏ ନାହିଁ । ଏବେ ବାହ୍ୟ ଅଞ୍ଚଳର କିଛି ଅନୁଷ୍ଠାନ ପଶ୍ଚିମ ଓଡ଼ିଶାର ଅଧିବାସୀଙ୍କ ସୌହାର୍ଦ୍ଦ୍ୟ ବନ୍ଧନ ପ୍ରତି ଆକର୍ଷିତ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଯାହାକି ସମୟ ବିଶେଷରେ ଭୁବନେଶ୍ୱର, ଦିଲ୍ଲୀରେ ସଂଗଠିତ ହୋଇଥାଏ । କିନ୍ତୁ, ତାହା ପ୍ଲାଷ୍ଟିକ ଗୋଳାପର ଆସର ଭିତରେ ମନକୁ ବୁଝାଉଥିବା ଭଳି ମନେହୁଏ । କାରଣ ସେଠାରେ ନୂଆଁଖାଇର ମାହୋଲ ନଥାଏ । ପାରିପାଶ୍ୱିର୍କ ସୌହାର୍ନ୍ଦ୍ୟପୂର୍ଣ୍ଣ ପରିବେଶ ନଥାଏ । କୌଣସି ନିଷ୍ଠା କିମ୍ବା ଉଲ୍ଲାସଭରା ମାଦକତା ମଧ୍ୟ ନଥାଏ, ଥାଏ କେବଳ ମନୋରଞ୍ଜନର ଭ୍ରମ ।

ଏହା ଏକ କୃଷିଭିତ୍ତିକ ପର୍ବ ହେଲେ ମଧ୍ୟ ମଣିଷ ନୂତନ ଭାବେ ବଞ୍ôଚବାର ସଂକେତ ଅଟେ । ପର୍ବଟି ଆର୍ଯ୍ୟ ଆଦିବାସୀ ସମସ୍ତଙ୍କର ସଂସ୍କୃତିର ମିଳନ ମହୋତ୍ସବ । ଏହା ଦ୍ୱାରା ମନରେ ଶୁଦ୍ଧ ଓ ପବିତ୍ରତା ଜାତ ହୁଏ । ପରସ୍ପର ପ୍ରତି ଦୟା, ପ୍ରେମ ଓ ସଦ୍‌ଚିନ୍ତାର ପ୍ରେରଣା ବଢେ । ଏହି ଅବସର ସମୟ ଏକ ଅମୃତ ବେଳା । କର୍ମସଂସ୍ଥାନକୁ ସୁଦୃଢ କରିବା ସହିତ ସୁସ୍ଥ ସମାଜ ଗଠନ ଦିଗରେ ପ୍ରତିଜ୍ଞାବଦ୍ଧ ହେବା ପାଇଁ । ହାରିବା-ଜିଣିବା, ଦୁଃଖ-ଯନ୍ତ୍ରଣା ମଣିଷର ଚିର ସହଚର । ଏଣୁ ପ୍ରତ୍ୟେକ ମାନବ ଜୀବନ ଓ ଜଗତର ମହାନତାକୁ ଉପଲବଧି କରିବା ଆବଶ୍ୟକ । ନିଜେ ତ୍ୟାଗଶୀଳ ହୋଇ ଅନ୍ୟମାନଙ୍କ ମୁଖରେ ହସ ଉକୁଟେଇ ପାରିଲେ ଆମ ପର୍ବ ପାଳନର ଉଦ୍ଦେଶ୍ୟ ସଫଳ ହେବ ।
ଓଡ଼ିଆ ବିଭାଗ,
ଡିଗ୍ରୀ କଲେଜ, କୁଶଙ୍ଗ, ବଲାଙ୍ଗିର
ମୋ – ୯୮୫୩୪୯୩୭୯୫

Leave A Reply

Your email address will not be published.

1 × five =