snbehera

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

  • ଦେବାଶିଷ ପଟ୍ଟନାୟକ
kp

ଭାରତ ଏକ କୃଷିପ୍ରଧାନ ଦେଶ । କୃଷିକୁ ଆଧାର କରି ଭାରତ ବର୍ଷରେ ଏକ ସମୃଦ୍ଧ ସଭ୍ୟତା ଗଢ଼ି ଉଠିଛି । କେଉଁ ଆବହମାନ କାଳରୁ ଭାରତବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ ନୂଆଁ ଅନ୍ନ ପୂଜା ମହାନ ପର୍ବ ଭାବରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରି ଆସିଛି । ଭାରତ ବର୍ଷରେ ବିଭିନ୍ନ ପ୍ରାନ୍ତରେ ନୂଆଁ ଶସ୍ୟ ପୂଜାର ପରମ୍ପରା ଦୃଷ୍ଟିଗୋଚର ହେଉଥିଲେ ମଧ୍ୟ ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ ଏହି କୃଷିଭିତ୍ତିକ ପର୍ବ “ନୂଆଁଖାଇ” ନାମରେ ପାଳିତ ହୋଇଆସୁଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ପର୍ବ ଏକ ନିର୍ଦ୍ଦିଷ୍ଟ ସମୟରେ ପାଳନ କରାଯାଏ, ଯାହାକୁ “ଲଗ୍ନ” କୁହାଯାଏ । ଜନଶ୍ରୁତି କହେ – ଦ୍ୱାଦଶ ଶତାବ୍ଦୀରେ ପାଟଣା ରାଜ୍ୟ ବର୍ତ୍ତମାନ ବଲାଙ୍ଗିର ଚୌହାନ ବଂଶର ରାଜା ‘ରମାଇ ଦେଓ’ଙ୍କ ସମୟରୁ ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶା ମୁଖ୍ୟତଃ ଏକ ଶକ୍ତିପୀଠ ହୋଇଥିବାରୁ ନୂଆଁ ଅନ୍ନ ପ୍ରଥମେ ସମ୍ବଲପୁରର ମା’ ସମଲେଶ୍ଵରୀ, ସୋନପୁରର ମା’ ସୁରେଶ୍ଵରୀ, ବଲାଙ୍ଗିରର ମା’ ପାଟଣେଶ୍ୱରୀ, କଳାହାଣ୍ଡିର ମା’ ମାଣିକେଶ୍ୱରୀ ଓ ଅନ୍ୟାନ୍ୟ ଗ୍ରାମଗୁଡ଼ିକର ଆରାଧ୍ୟ ଗ୍ରାମଦେବୀଙ୍କ ଠାରେ ପ୍ରଥମେ ନୂଆଁ ଅନ୍ନ ଅର୍ପଣ କରାଯାଇଥାଏ । କୁରେଇ ପତ୍ରର ଦନା ମୁଖ୍ୟତଃ ଏହି ପର୍ବରେ ବ୍ୟବହାର କରାଯାଏ । ଏହି ସମସ୍ତ ପୀଠମାନଙ୍କରେ ଅନ୍ନ ଅର୍ପଣ ପରେ ଘରର ସମସ୍ତ ସଦସ୍ୟ ଏକାଠି ବସି ନୂଆଁ ଅନ୍ନ ଖାଇଥାଆନ୍ତି ଓ ଖାଇସାରିବା ପରେ ବଡ଼ ଲୋକଙ୍କୁ ସମସ୍ତେ ପାଦ ଛୁଇଁ ଜୁହାର କରିଥାଆନ୍ତି । ସଂଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ତଥା ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ପର୍ବ ସମାଜ ପାଇଁ ସ୍ନେହ ଓ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥାଏ ।

ପଦ୍ମପୁର (କପସିଲା ରୋଡ)

Leave A Reply

Your email address will not be published.

11 + 15 =