
ଶରଦିନ୍ଦୁ ଭୂଷଣ ହୋତା
ବ୍ୟକ୍ତିଗତ, ସମଷ୍ଟିଗତ, ସରକାରୀ ବା ବେସରକାରୀ ଯେଉଁ କ୍ଷେତ୍ରରେ ଯିଏ ଯାହା ବି କରୁଛି, ତାର କାମ ପଛରେ ଲୋକ ହିତୈଷଣା ଯେ ଅସଲ ଉଦ୍ଦେଶ୍ୟ- ଏକଥା ଅହରହ ଘୋଷଣା କରୁଛି । ଲୋକଙ୍କ ପାଇଁ ଶାସନ ଚାଲିଛି । ଗଣତନ୍ତ୍ର ବୋଲି ଯାହା ଯେମିତି ଚାଲିଛି, ତହିଁରେ କୁଆଡେ଼ ଲୋକଙ୍କୁ ହିଁ ମୂଳ ମାନ୍ୟତା ଦେଇ ସ୍ୱୀକାର କରାଯାଉଛି । ରାଜନୀତି କ୍ଷେତ୍ରରେ ପତିଆରା ରକ୍ଷା ପାଇଁ ନେତାମାନେ ସବାଆଗ ଦଳେ ଦଳେ ଲୋକଙ୍କୁ ହିଁ ନିଜର ସମର୍ଥକ ରୂପେ ସଜାଡ଼ି ରଖୁଛନ୍ତି । ଲୋକ ସମର୍ଥନକୁ ଅକ୍ତିଆର କରିବା ପାଇଁ ନେଇ ଆଣି ଥୋଇ ପାରିବା ବିଦ୍ୟାର ପ୍ରତିଯୋଗିତା ମୂଳକ ହଟଚମଟ ଚାଲିଛି । ସରକାରଗୁଡ଼ିକ ବି ବଡ଼ ହରବରରେ ସମର୍ଥନ ସଂଗ୍ରହ କରୁଛନ୍ତି ଖାସ୍ ଲୋକମାନଙ୍କୁ ଦାନା, କନା, ଶିକ୍ଷା, ସ୍ୱାସ୍ଥ୍ୟ ଓ ନିରାପତ୍ତା ଯୋଗାଇବେ ବୋଲି । ଯୋଜନା ରୂପାୟନ କ୍ଷେତ୍ରର କାରପଟ୍ଦାର ହୋଇଥିବା ଅମଲାମାନେ କୁଆଡେ଼ ଅଖିଆ ଅପିଆ ଦଉଡ଼ୁଛନ୍ତି କେବଳ ଲୋକଙ୍କ ଜୀବନ ବୃଦ୍ଧିର ବ୍ୟବସ୍ଥା ପାଇଁ । ସରକାରୀ ବ୍ୟବସ୍ଥା ଲୋକ କଲ୍ୟାଣ ପାଇଁ ଅକଳାନ ହେଲା ବୋଲି ମନେ କରି ବୋଧେ ଏବେ ସରକାରୀ ସଂଗଠନଗୁଡ଼ିକ ମଧ୍ୟ ଲୋକ ଉଦ୍ଧାର ବ୍ରତରେ ବ୍ରତୀ ହେଉଥିବାର ଦେଖିବାକୁ ମିଳୁଛୁ ।
ସବୁ କାରବାର ଯଦି ଲୋକଙ୍କୁ ଧରି, ଲୋକଙ୍କ ପାଇଁ ଏବଂ ଲୋକଙ୍କ ନାଁରେ ଚାଲିଛି, ତେବେ ଲୋକେ ପୁଣି ଏତେ ହତଶିରୀ ଓ ହୀନିମାନ ଅବସ୍ଥାରେ ପଡ଼ୁଛନ୍ତି କାହିଁକି? କେଉଁଠି ପୁଣି କେଉଁ କଣା ରହିଗଲା ଯେ ଏତେ ଏତେ ଉଦ୍ୟମରେ ବିତରିତ କରୁଣା ଜଳ ଗଳି ଯାଉଛି? କଥାଟିକୁ ଟିକେ ତଳେଇ ଦେଖିବାର ବେଳ ଆସିଯାଇଛି ।
ଲୋକ ବୋଲି ଆମେ କାହାକୁ ଚିହ୍ନିବା? ଆମ ଚାରିପାରୁଶରେ ଭେଳା ଭେଳା ହୋଇ ଯେଉଁ ମଣିଷ ମନ୍ଦା ମାନ ଦେଖିବାକୁ ମିଳୁଛି, ସେମାନଙ୍କ ସମଷ୍ଟିକୁ ତାହେଲେ କ’ଣ ଲୋକ ବୋଲି କୁହାଯିବ? ତାକୁ ସବୁ ଉଠା ପକା କରି ଏ ଥାନ ସେ ଥାନ କରି ସତର ଥାନରେ ଯିଏ ନେଇ ଆଣି ଥୋଇ ପାରୁଛି, ତାକୁ କ’ଣ ତା’ହେଲେ ଲୋକ ପରିଚାଳକ ବା ଲୋକ ନାୟକ ବୋଲି ଜାଣିବା? ସାଲୁବାଲୁ ମଣିଷ ମନ୍ଦା ଯେତେବେଳେ ଯେଉଁ ପ୍ରଭାବରେ ପଡ଼ି ଯେଉଁଥି ପାଇଁ ରାଜି ହୋଇଗଲା, ତା’କୁ କ’ଣ ଲୋକମତର ମାନ୍ୟତା ଦେବାକୁ ପଡ଼ିବ? ବିଚାର ବେଭାର ନଥିବ, ଚେତନା ବିବେକ ନଥିବ, ଶ୍ରଦ୍ଧା ସମୀହ ନଥିବ, ସଂକଳ୍ପ ସମର୍ପଣ ନଥିବ, ଟାଣ ପରାକ୍ରମ ନଥିବ, ପ୍ରତିବାଦ ପ୍ରତିରୋଧ ନଥିବ, ପାଳନ ପୋଷଣ ନଥିବ, କେବଳ କେଉଁ ହୁନ୍ଦରିଆର ହୁନ୍ଦର ଫିସାଦରେ ଫଶି ହାଁ କରି ତା’ ପଟକୁ ଲହଁପି ଯାଉଥିବା ଅମେରୁଦଣ୍ଡୀ ପ୍ରାଣୀ ସମଷ୍ଟିଙ୍କୁ ତା’ହେଲେ କ’ଣ ଲୋକ ବୋଲି କୁହାଯିବ?
ଲୋକସତ୍ତାର ଦୁଇଟି ସ୍ତର । ଗୋଟିଏ ପ୍ରଭାବିତ ଏବଂ ଅପରଟି ପ୍ରାମାଣିକ । ମଣିଷ ଆକୃତିରେ ଚଳପ୍ରଚଳ ହେଉଥିବା ପ୍ରାଣୀଟି ବିଭିନ୍ନ ବାହ୍ୟ ପ୍ରଭାବରେ ସ୍ୱଭାବତଃ ପ୍ରଭାବିତ ହେବା ପାଇଁ ବାଧ୍ୟ ହେଉଥାଏ । ତା’ର ନିଜତ୍ୱ ବୋଲି କିଛି ନଥାଏ । ବାହାର ପ୍ରଭାବ ଯେତିକି ଏବଂ ଯେଭଳି, ଏଭଳି ପ୍ରଭାବିତ ପ୍ରାଣୀଟିର ଅବସ୍ଥା ମଧ୍ୟ ସେତିକି ଏବଂ ସେଭଳି ହେବାପାଇଁ ବାଧ୍ୟ । ତା’ର ନିଜତ୍ୱ ବା ନିରପେକ୍ଷତା ବୋଲି କିଛି ନଥାଏ । ସବୁକଥାରେ ବାହାରିଆ ଗୋଟେ ପ୍ରଭାବ ଉପରେ ହିଁ ସେ ସଂପୂର୍ଣ୍ଣ ନିର୍ଭରଶୀଳ । ମାତ୍ର ପ୍ରାମାଣିକ ସ୍ତରକୁ ଉତ୍ତୀର୍ଣ୍ଣ ହେବା ମାତ୍ରକେ ମଣିଷ ବୋଲାଉଥିବା ଏହି ପ୍ରାଣୀଟିର ଆତ୍ମବୋଧ ସର୍ବାଗ୍ରେ ଜାଗ୍ରତ ହୋଇଥାଏ । ଆତ୍ମବୋଧର ମାନଦଣ୍ଡରେ ପରିବେଶ ଏବଂ ପରିସ୍ଥିତିର ସମସ୍ତ ଜିନିଷକୁ ଯଥାଯଥ ଭାବେ ସମୀକ୍ଷା କରିପାରିବାର ଏବଂ ତଦନୁପାତିକ ନିଜ ପାଇଁ ଆବଶ୍ୟକୀୟ କର୍ମପନ୍ଥା ନିର୍ଦ୍ଧାରଣ କରିବାର ଯୋଗ୍ୟତାରେ ସେ ସ୍ୱତଃ ହିଁ ସମାବର୍ତ୍ତିତ ହୋଇଥାଏ । କୌଣସି ବି ପରିସ୍ଥିତିର ବା ପ୍ରଭାବର ଗୋଲାମ ବନିବାର ଅସହାୟତାରୁ ସେ ମୁକ୍ତ ଥାଏ । ଏହି ମୁକ୍ତି ହିଁ ତା’ର ଜୀବନ ବିକାଶର ମୂଳ ପୁଞ୍ଜି ରୂପେ କ୍ରିୟାଶୀଳ ହୋଇପାରେ । ପ୍ରାମାଣିକ ସ୍ତରକୁ ଉତ୍ତୀର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଜଣେ ନିଜ ନିଷ୍ପତ୍ତିରେ ଜୀବନ ଜିଇଁବା ସମ୍ଭବ ନୁହେଁ । ସିଏ ଅନୁକ୍ଷଣ ତା’ ଜୀବନର ପ୍ରେରଣା ପାଇଁ ବାହାର ଉପରେ ହିଁ ନିର୍ଭରଶୀଳ ରହେ । ମାତ୍ର ପ୍ରାମାଣିକ ସ୍ତରର ମନୁଷ୍ୟ ତା’ର ସମସ୍ତ ଯାହାକିଛି ପ୍ରେରଣା ଆପଣାର ଅନ୍ତଃପ୍ରସ୍ଥରୁ ହିଁ ଗ୍ରହଣ କରିବା ପାଇଁ ସକ୍ଷମ ହୋଇଥାଏ । ସେଇହେତୁ ଆପଣାର ମୁକ୍ତି, ତୃପ୍ତି ଏବଂ ଗତି ପାଇଁ ସେ ଅପର ଉପରେ ନିର୍ଭର କରିବା ପାଇଁ ବାଧ୍ୟ ହୁଏନାହିଁ । ପ୍ରଭାବିତ ସ୍ତରରେ ବନ୍ଦୀ ରହିଥିବା ମଣିଷ ସଦାସର୍ବଦା ଗୋଟିଏ ପରାଙ୍ଗପୃଷ୍ଟ ପ୍ରାଣୀ ରୂପେ ଅସହାୟ ଜୀବନ ବିତାଇବା ପାଇଁ ବାଧ୍ୟ ହେଉଥିବା ସ୍ଥଳେ ପ୍ରାମାଣିକ ସ୍ତରର ମଣିଷ ଆତ୍ମବୋଧରେ ବଳିୟାନ ହୋଇ ସ୍ୱାବଲମ୍ବନଶୀଳ ସମ୍ମାନିତ ଜୀବନର ଅଧିକାରୀ ହୁଏ ।
ପ୍ରାମାଣିକ ସ୍ତରର ମଣିଷମାନେ ହିଁ ଇତିହାସର ଗତିପଥ ନିୟନ୍ତ୍ରଣ କରନ୍ତି । ଯେଉଁମାନେ ବି କାଳବକ୍ଷରେ କିଛି ସୃଜନଶୀଳ ଅବଦାନ ରଖି ଯାଇଛନ୍ତି, ସେମାନେ ସବୁ ସେମାନଙ୍କର ଆତ୍ମବୋଧ ଉତ୍ସାରିତ ପ୍ରେରଣାରେ ହିଁ ପ୍ରେରିତ ହୋଇ ପାରିଛନ୍ତି । ସେମାନେ ହିଁ ଅନେକ ଅରମା ଆଡେ଼ଇ ମାନବାତ୍ମାର ସଫଳ ଯାତ୍ରା ପାଇଁ ନୂତନ ପଥ ପରିସ୍କାର କରି ପାରିଛନ୍ତି । ପ୍ରାମାଣିକ ସ୍ତରର ମଣିଷର ବ୍ୟକ୍ତିତ୍ୱ ହେଉଛି ଗୋଟିଏ ବିଦ୍ରୋହୀ ବ୍ୟକ୍ତିତ୍ୱ । ପ୍ରଚଳିତ ବ୍ୟବସ୍ଥା ଭିତରେ ଯାହାକିଛି ବି ନଷ୍ଟକାରୀ ଉପାଦାନ ଥାଏ, ତାହା ପାଇଁ ବାଧ୍ୟତଃ ରାଜି ହୋଇଯିବାର ଅସହାୟତାରୁ ସେମାନେ ମୁକ୍ତ ଥାଆନ୍ତି । ଅବନତି ମୂଳକ ଅପପ୍ରଚାର ଗୁଡ଼ିକୁ ନା’ ବୋଲି କହିବାର ଶକ୍ତି ସାମର୍ଥ୍ୟରେ ସେମାନେ ଭରପୂର ଥାଆନ୍ତି । ନିଜର ବିଚାରରେ ଯାହାକିଛି ସତ୍ୟ ବୋଲି ପ୍ରତିପାଦିତ ହୁଏ, ତା’କୁ ସବୁ ଦ୍ୱନ୍ଦ୍ୱ, ବାଧା, ବିଘ୍ନକୁ ଅତିକ୍ରମ କରି କାର୍ଯ୍ୟକାରୀ କରାଇବାର ଅପରାଜେୟ ସାମର୍ଥ୍ୟରେ ସେମାନେ ସାମର୍ଥ୍ୟବାନ ଥାଆନ୍ତି । ମହାତ୍ମାଗାନ୍ଧୀ, ବିବେକାନନ୍ଦ, ମାର୍କ୍ସ ଇତ୍ୟାଦିଙ୍କ ଜୀବନର ଉଦାହରଣ ଏ ପ୍ରସଙ୍ଗରେ ନିଆ ଯାଇପାରେ । ପ୍ରାମାଣିକ ମଣିଷ ତଥାକଥିତ ଲୋକପ୍ରିୟତା ଉପରେ ନିର୍ଭର କରେ ନାହିଁ । ତା’ର ସମଗ୍ର ଧ୍ୟେୟ ରହିଥାଏ ସତ୍ୟର ଆବିଷ୍କାର ଏବଂ ଉପଲବ୍ôଧ ପାଇଁ । ସେଥିପାଇଁ ସଂଗ୍ରାମ ଯେତେ କଠୋର ହେଲେ ମଧ୍ୟ ଏବଂ ବ୍ୟକ୍ତିଗତ ଜୀବନ ଯେତେ ବିପଜ୍ଜନକ ପରିସ୍ଥିତିରେ ପଡ଼ିଲେ ମଧ୍ୟ ସେମାନେ କୌଣସି ଆପାତଃ ଲାଭର ଆଶାରେ ମୂଳ ଉଦ୍ଦେଶ୍ୟରୁ ବିଚ୍ଛିନ୍ନ ହୁଅନ୍ତି ନାହିଁ ।
ସାଂପ୍ରତିକ ସମୟରେ ସବୁକ୍ଷେତ୍ରର ଯାବତୀୟ ଆୟୋଜନ ସତ୍ତେ୍ୱ ମଣିଷକୁ ଗୋଟିଏ ପ୍ରାମାଣିକ ମଣିଷ ରୂପେ ଗଠନ କରାଯିବାର କାର୍ଯ୍ୟକ୍ରମ ରଖାଯାଉନାହିଁ । କ୍ଷମତା ସବୁବେଳେ ଚାହେଁ ପ୍ରଭାବିତ ମଣିଷମାନଙ୍କୁ । ପ୍ରଭାବିତ ମଣିଷ ମାନଙ୍କର ଗହଣରେ କ୍ଷମତାଧାରୀର କ୍ଷମତାଭୋଗ ବେଶ୍ ସୁରକ୍ଷିତ ରହିପାରେ । ତେଣୁ ଇତିହାସର ଏକ ବିଡ଼ମ୍ବନା ଯେ, କ୍ଷମତାରେ ଥିବା ଶାସକମାନେ ପ୍ରାୟତଃ ଲୋକମାନଙ୍କର ଚେତନାଗତ ଜାଗୃତି ପାଇଁ ମୋଟେ ହିଁ ଉଦ୍ୟମଶୀଳ ହୁଅନ୍ତି ନାହିଁ । ମୋଟାମୋଟି ସାଂପ୍ରତିକ ସମୟରେ ଆମ ଦେଶରେ ମଧ୍ୟ ସେଇ ଅବସ୍ଥା ହିଁ ଚାଲିଛି । ଲୋକଙ୍କ କଥା ଯେତେ ଆଡ଼ମ୍ବରରେ କୁହାଗଲେ ମଧ୍ୟ ସେମାନଙ୍କୁ ଗୋଟେ ଜାଗ୍ରତ ପ୍ରେରିତ ଏବଂ ପ୍ରାମାଣିକ ଜନ ସମଷ୍ଟି ରୂପେ ଗଢ଼ି ତୋଳିବାକୁ ଦଳମତ ନିର୍ବିଶେଷରେ କୌଣସି ବି କ୍ଷମତାଧାରୀ ଆଗ୍ରହ ପ୍ରକାଶ କରୁନାହାନ୍ତି । ଫଳରେ ଦେଶର ତମାମ୍ ଜନସମଷ୍ଟି ପ୍ରଭାବ ଆକ୍ରାନ୍ତ ହୋଇ ରହିଯାଉଛି । ଆପଣା ଅନ୍ତରାତ୍ମାର କୌଣସି ବି ଉଚ୍ଚାରଣକୁ ଅକୁତୋଭୟ ଭାବରେ ପ୍ରକାଶ କରିବାର ଅବସର ହିଁ ତା’ ପାଖରେ ନାହିଁ । ଗୋଲାମୀର ପରମ୍ପରାରେ ସିଦ୍ଧ ହୋଇ ଏତେବେଳକୁ ତା’ ଭିତରେ ପ୍ରତିବାଦର କ୍ଷମତା ମଧ୍ୟ ସଂପୂର୍ଣ୍ଣ ଅନୁପସ୍ଥିତ ହୋଇଯାଇଛି । ଜନ ଅସ୍ତିତ୍ୱ ମଧ୍ୟରେ କୌଣସି ବି ନଷ୍ଟକାରୀ ଜିନିଷକୁ ଅଟକାଇ ରଖିବାର ସାମର୍ଥ୍ୟ ନାହିଁ । ଏଭଳି ଅସମର୍ଥ ଜନସମଷ୍ଟିକୁ ନେଇ ନ୍ୟସ୍ତ ସ୍ୱାର୍ଥ କ୍ଷମତା କେନ୍ଦ୍ରଗୁଡ଼ିକ ଯା’ ଇଚ୍ଛା ତା’ କରି ନେଇ ପାରୁଛନ୍ତି । ରୋଚକ ଶୈଳୀରେ ଜନମାନସକୁ ବିଭ୍ରାନ୍ତ କରି ରଖି ଅଲକ୍ଷ୍ୟରେ ଆପଣାର ନ୍ୟସ୍ତ ସ୍ୱାର୍ଥକୁ ସେମାନେ ବେଶ୍ ବାଗେଇ ନେଇ ପାରୁଛନ୍ତି । ଫଳରେ ଶହେ କୋଟିରୁ ଊଦ୍ଧ୍ୱର୍ ଜନସାଧାରଣଙ୍କ ଭିତରେ ମଧ୍ୟ ଆଜି ଆଉ ଭଲମନ୍ଦ ବିଚାର କରିବାର ସୁଯୋଗ ହିଁ ନାହିଁ । ଯାହାକିଛି ବରାଦ କରି ଦିଆଯାଉଛି, ସେଇ ପଟକୁ ଜନସମଷ୍ଟିକୁ ଗୋରୁ ଆଡେ଼ଇଲା ଭଳି ଆଡେ଼ଇ ନେବା ପାଇଁ ସରକାରଗୁଡ଼ିକ ସକ୍ଷମ ହେଉଛନ୍ତି । ମହାତ୍ମାଗାନ୍ଧୀ ଜାତୀୟ ସଂଗ୍ରାମ ବେଳେ କେବଳ ଦୁଦ୍ଧର୍ଷ ବ୍ରିଟିଶ ସରକାରକୁ ଘଉଡ଼ାଇବାର କାର୍ଯ୍ୟକ୍ରମ ରଖି ନଥିଲେ, ତା’ ସାଥେ ସାଥେ ଭାରତୀୟ ମଣିଷମାନଙ୍କୁ ମଧ୍ୟ ନିଜତ୍ୱ ସଂପନ୍ନ, ଆତ୍ମବୋଧରେ ବଳିଆନ, ସ୍ୱାବଲମ୍ବୀ ଏକ ପ୍ରାମାଣିକ ଜନସମଷ୍ଟି ରୂପେ ଗଠନ କରିବା ପାଇଁ ରଚନାତ୍ମକ କାର୍ଯ୍ୟକ୍ରମଗୁଡ଼ିକୁ ଚଳାଇଥିଲେ ।
ସବୁଥାଇ ଆଜି ଯେତେବେଳେ ଭାରତୀୟ ମଣିଷଙ୍କ ଜୀବନ ବିପନ୍ନ ହେଉଛି, ଆମେ ଏ ପ୍ରଶ୍ନଗୁଡ଼ିକୁ ଗମ୍ଭୀରତାର ସହିତ ଚିନ୍ତା କରିବା ଦରକାର । ନିଜର ଆତ୍ମବୋଧ ସୃଷ୍ଟି ନକଲେ ଆମେ ପ୍ରାମାଣିକ ମନୁଷ୍ୟତାର ଭୂମିକୁ ଉତ୍ତୀର୍ଣ୍ଣ ହୋଇପାରିବା ନାହିଁ । ଯେପର୍ଯ୍ୟନ୍ତ ଆମେ ମଣିଷ ପ୍ରାଣୀ ରୂପେ ଆମର ପ୍ରାମାଣିକ ପରିଚୟ ଦେବା ପାଇଁ ସମର୍ଥ ହେବାନାହିଁ ସେ ପର୍ଯ୍ୟନ୍ତ ବାହାରୁ କେହି ଆସି ଆମମାନଙ୍କୁ ସୁଖ, ଶାନ୍ତି, ଆନନ୍ଦରେ ରଖି ଦେଇ ପାରିବନାହିଁ । ତେଣୁ ଏହି ସଂକଟକାଳୀନ ମୁହୂର୍ତ୍ତରେ ପ୍ରଭାବିତ ଅସ୍ତିତ୍ୱକୁ ଉତ୍ତୋଳିତ କରି ପ୍ରାମାଣିକ ରୂପେ ପୁନର୍ଗଠନ କରିବା ପାଇଁ ପ୍ରତ୍ୟେକ ସ୍ତରରେ ଉଦ୍ୟମ ଆରମ୍ଭ ହେଉ ।
ଭୁବନେଶ୍ୱର, ମୋ.ନଂ. : ୯୯୩୭୭୪୦୬୭୬