
ଆଜି ହେଉଛି କିସ୍ ଡେ’ ଅର୍ଥାତ୍ ଚୁମ୍ବନ ଦିବସ । ପ୍ରାଚୀନ ଭାରତରେ ବିଷାକ୍ତ ଯୁବତୀମାନଙ୍କ ଉଲ୍ଲେଖ ରହିଛି, ଯେଉଁମାନେ ଗୁପ୍ତଚର କାର୍ୟ୍ୟ କରୁଥିଲେ । ପ୍ରାଚୀନ ସାହିତ୍ୟରେ ଏହିପରି ଅନେକ କାହାଣୀ ଦେଖିବାକୁ ମିଳେ, ଯେତେବେଳେ ରାଜାମାନେ ଶତ୍ରୁମାନଙ୍କୁ ପ୍ରତାରଣା କରିବା ପାଇଁ ବିଷ ପଠାଉଥିଲେ । ଏହି ବିଷାକ୍ତ ଯୁବତୀମାନେ କିସ୍ କରି ଲୋକଙ୍କୁ ହତ୍ୟା କରୁଥିଲେ । ଜଣେ ମଣିଷକୁ ଏମାନେ ଚୁମିବା ମାତ୍ରେ ମରି ଯାଉଥିଲା ।
କୁହାଯାଇଛି, ସୁନ୍ଦରୀ ହେବା ବିଷକନ୍ୟାର ପ୍ରଥମ ସର୍ତ୍ତ ଥିଲା । ଏହି ଉଲ୍ଲେଖ ଅନୁଯାୟୀ, ଏହି ବିଷକନ୍ୟାମାନଙ୍କୁ ପିଲାଦିନରୁ ଅଳ୍ପ ପରିମାଣର ବିଷ ଦେଇ ଦେଇ ଅଭ୍ୟାସ କରାଯାଉଥିଲା । ସେମାନେ ବିଷାକ୍ତ ଗଛ ଏବଂ ବିଷାକ୍ତ ପ୍ରାଣୀମାନଙ୍କ ସହିତ ଯୋଗାଯୋଗ କରିବାକୁ ଅଭ୍ୟସ୍ତ ଥିଲେ । ଏଥିସହିତ ସେମାନଙ୍କୁ ସଙ୍ଗୀତ ଏବଂ ନୃତ୍ୟ ଶିକ୍ଷା ଦିଆଯାଇଥିଲା । ଏହି ଉଲ୍ଲେଖରେ କୁହାଯାଇଛି ଯେ, ବିଷକନ୍ୟାଙ୍କ ନିଶ୍ୱାସରେ ବି ବିଷ ଥିଲା ।
ଇଉରୋପୀୟ ସାହିତ୍ୟରେ ମଧ୍ୟ ଅଳ୍ପ ଅଳ୍ପ ବିଷ ଦେଇ ବିଷ ପ୍ରତିରୋଧକ ଶକ୍ତିକୁ ଧୀରେ ଧୀରେ ବଢ଼ାଇବା ବିବୃତ୍ତିର ସନ୍ଦର୍ଭ ମଧ୍ୟ ମିଳିଥାଏ । ଏହି ପ୍ରକ୍ରିୟାକୁ ମିଥ୍ରିଡେଟିଜିମ୍ କୁହାଯାଏ । ଏହାର କାରଣ ହେଉଛି ଖ୍ରୀଷ୍ଟଙ୍କ ପ୍ରାୟ ଏକ ଶତାବ୍ଦୀ ପୂର୍ବରୁ ପଣ୍ଟସ୍ ରାଜ୍ୟର ରାଜା ମିଥ୍ରିଡେଟସ୍ ଷଷ୍ଠ ଏହି ପଦ୍ଧତି ବ୍ୟବହାର କରିବାର କାହାଣୀ ମିଳିଥାଏ ।
ତେବେ ପୁରାଣ ସାହିତ୍ୟରେ ମଧ୍ୟ ବିଷକନ୍ୟାମାନଙ୍କ ସ୍ପଷ୍ଟ ଉଦାହରଣ ମିଳେ । ଅତ୍ୟନ୍ତ ସୁନ୍ଦରୀ ତଥା ସଙ୍ଗୀତ ଏବଂ ନୃତ୍ୟନିପୁଣା ଯୁବତୀର ସାନ୍ନିଧ୍ୟ ପାଇଁ ବ୍ୟାକୁଳ ହେଉଥିବା ଶତ୍ର୍ରୁ ପକ୍ଷର ବୀରକୁ ବିଷକନ୍ୟାମାନଙ୍କ ଚୁମ୍ବନ ଦ୍ୱାରା ହତ୍ୟା କରାଯାଉଥିଲା ପୁରାଣ କାଳରେ ବୋଲି ନାନା କିମ୍ବଦନ୍ତୀ ରହିଛି ।