ଜାଣି ନାହାନ୍ତି ଗଣତନ୍ତ୍ରର କଥା, ପାଇ ନାହାନ୍ତି ସାର୍ବଭୌମ ଅଧିକାର

୭୦ ବର୍ଷ ପରେ ବି ଝରା ପରିବାର ପାଖରେ ପହଂଚି ନାହିଁ ସରକାର
ଖପ୍ରାଖୋଲ, (ଅଜିତ ପୁରୋହିତ) : ପିଢ଼ି ପରେ ପିଢ଼ି, କେତେ ଯେ ପିଢ଼ି ଖୋଲା ଆକାଶ ତଳେ ଜୀବନ ବିତାଇଛନ୍ତି । ଦୀର୍ଘ ୪୦ ବର୍ଷ ହେବ ଏହି ପରିବାରର ଚତୁର୍ଥ ପିଢି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଦର ମହକୁମାରେ ଅସ୍ଥାୟୀ ଭାବେ ରହି ଆସୁଥିଲେ । ଏହି ପରିବାରର ସଦସ୍ୟ ସଂଖ୍ୟା ବର୍ତ୍ତମାନ ୨୫ ହୋଇ ସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ସରକାର କ’ଣ ଜାଣି ନାହାନ୍ତି ଏହି ପରିବାର ସଦସ୍ୟମାନଙ୍କୁ ! ସହରୀ ସଭ୍ୟତା ଠାରୁ ଢେର ଦୂରରେ ଏବଂ ଆଜିର ବୈଦ୍ୟୁତିକ ଯୁଗର କାହିଁ ପଛରେ ରହି ଯାଇଛନ୍ତି ଏହି ପରିବାର । ନା’ ଘର , ନା’ ବିଲ ନା’ ଆସବାବ ପତ୍ର ନା’ ଅଛି କୌଣସି ବୈଦ୍ୟୁତିକ ଉପକରଣ । ଏକ ସାଧାରଣ ଜୀବନ ଯାପନ ଭିତରେ ହଜି ଯାଇଛି ଏମାନଙ୍କ ଜୀବନ ବଂଚିବା ଶୈଳୀ । ଏବେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ରହୁଥିବା ଘର ଭାଙ୍ଗିଯିବା ପରେ ଉପାନ୍ତ ତେଲେନପାଲି ପଂଚାୟତ ଅନ୍ତର୍ଗତ ଅଂଡାଲମୁଣ୍ଡି ଗ୍ରାମର ଜନୈକ ସହୃଦୟ ବ୍ୟକ୍ତି ପୀତାମ୍ବର ବରିହାଙ୍କ ଜମିରେ ଝରା ପରିବାର ଛୁଆପିଲାଙ୍କୁ ଧରି କୁଡିଆ କରି ଜୀବନ ବିତାଉଛନ୍ତି । ସେଠାରେ ଆମେ ସେମାନଙ୍କ ଜୀବନ ଯାପନ ଶୈଳୀ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲୁ ଏବଂ ଜାଣି ବାକୁ ପାଇଥିଲୁ ଅନେକ କଥା । ଦେଶ ସ୍ୱାଧୀନର ଏତେ ଦିନ ପରେ ବି ସ୍ୱାଧୀନତାର ସ୍ୱାଦ କ’ଣ ଆଜି ବି ଜାଣି ନାହାନ୍ତି ସ୍ୱାଧୀନ ଭାରତର ଏଭଳି ଅନେକ ପରିବାର ।

ଜାତିରେ ଝରା । ଏମାନଙ୍କ କୌଳିକ ବୃତ୍ତି ହେଉଛି ପାରମ୍ପରିକ ପଦ୍ଧତିରେ କଂସା ବାସନ ତିଆରି । ଗୋଟିଏ ପଟେ ଏଭଳି ଦେଶୀ କାରିଗରିର ଚାହିଦା କମି କମି ବସୁଥିବା କାରଣରୁ ପେସା ବଦଳି ଯାଇଛି । ଅତି ଗରିବ ପରିବାର ପେଟ ପୋଷିବାକୁ କୁଲି ମଜୁରୀ ଛଡା ଅନ୍ୟ କୌଣସି ସାଧନ ନଥିବାରୁ ଅର୍ଥ ଅଭାବରୁ ଏମାନେ କଂଚାମାଲ କିଣିବାକୁ ଅସମର୍ଥ, ଯାହାଫଳରେ ଏବେ ପରିବାର ସଦସ୍ୟମାନେ ପର ଲୋକଙ୍କ କୁଲି ମଜୁରୀ କରି ଏବଂ ଦାଦନ ଖଟିବାକୁ ଯାଇ ନିଜ ପରିବାର ପ୍ରତି ପୋଷଣ କରୁଛନ୍ତି । ପ୍ରଥମେ ଖପ୍ରାଖୋଲ ବ୍ଲକ ପ୍ରଶାସନ ଦ୍ୱାରା ପଡ଼ି ରହିଥିବା ଏକ ସରକାରୀ ଘରେ ଏହି ପରିବାର ସଦସ୍ୟ ରହୁଥିଲେ । କାମ ଧନ୍ଧା ଅଭାବରୁ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଇଥିଲେ । ସେଠାରୁ ଫେରିଲା ବେଳକୁ ବର୍ଷାରେ ତାଙ୍କ ଅସ୍ଥାୟୀ ଘର ଭାଙ୍ଗି ଯାଇଛି । ଯାହାଫଳରେ ପର ବାରଣ୍ଡାରେ ବର୍ଷ ବର୍ଷ ଧରି ରହିବା ପରେ ଏବେ ଅଣ୍ଡାଲମୁଣ୍ଡି ଗାଁରେ ଆଶ୍ରା ପାଇଛନ୍ତି । ମଝି ବିଲରେ କୁଡିଆ କରି ରହୁଥିବା ବେଳେ ସାମାନ୍ୟ ବର୍ଷାରେ ଘର ଭିତରେ ପାଣି ପଶୁଛି । ବିଦୁ୍ୟତ ସେବାରୁ ବଂଚିତ ହୋଇଥିବା ବେଳେ ବାହ୍ୟ ଜୀବଜନ୍ତୁ ଭୟରେ ରାତିରେ ଆଖିକୁ ନିଦ ହେଇନି । ଏପଟେ କରୋନା ମହାମାରୀ ସେମାନଙ୍କ ଜୀବନକୁ ଆହୁରି ଦାଉ ସାଧୁଛି । କରୋନା ପାଇଁ କାମଧନ୍ଧା ଅଭାବ ଥିବା ବେଳେ ଖାଇବାକୁ ଦି ଓଳି ମଧ୍ୟ ଯୋଗାଡ କରି ପାରୁନଥିବା ପରିବାର ମୁଖିଆ ଜଣାଇଛନ୍ତି । ଏପରି ସ୍ଥିତିରେ ଭିକ୍ଷା ବୃତ୍ତିକୁ ଏବେ ସେମାନେ ଆପଣେଇଛନ୍ତି । ଅନ୍ୟପକ୍ଷରେ ନା’ ଏମାନଙ୍କ ପାଖରେ ଅଛି ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପଡି କାର୍ଡ ନା’ କୌଣସି ସରକାରୀ ସୁବିଧା ସୁଯୋଗ । ମୌଳିକ ସୁବିଧାରୁ ସମ୍ପୂର୍ଣ ବଂଚିତ ଏହି ପରିବାରକୁ ଏବେ ବି ସରକାରୀ ହିସାବରେ ବଂଜାରା ବା ଯାଯାବରର ଆଖ୍ୟା ଦେଉଛି ବ୍ଲକ ପ୍ରଶାସନ । ବର୍ଷ ବର୍ଷ ଧରି ଖପ୍ରାଖୋଲ ବ୍ଲକରେ ନିଜ ସଂସାର ଚଳାଇ ଆସୁଥିବା ବେଳେ ତାଙ୍କ ପାଖରେ ସରକାରୀ ବ୍ୟବସ୍ଥା ସତେ ଯେମିତି ଦିବାସ୍ୱପ୍ନ ପାଲଟିଛି । ସରକାରଙ୍କ ଏଭଳି ପରିବାର ପ୍ରତି ଅନେକ ଯୋଜନା ଥିଲେ ସୁଦ୍ଧା ଏମାନେ ପାଇ ନାହାନ୍ତି କୌଣସି ସୁବିଧା । ତେବେ ଏହି ପରିବାର ସଦସ୍ୟଙ୍କ ଦୁଃଖ ଲାଘବ ପାଇଁ ସରକାରଙ୍କ ଯୋଜନା କାମକୁ ଆସିବ ନା’ ଝରା ପରିବାରର ଆଉ କେତେ ପିଢ଼ି ଏଭଳି ଖୋଲା ଆକାଶକୁ ରାଜ ଉଆସ ଭାବି ଜୀବନ ବିତାଇବେ, ତାହା ସମୟ ହିଁ କହିବ ।

Leave A Reply

Your email address will not be published.