jayashree

କାଠଗଡାରୁ ଈଶ୍ୱର

  • ରାମକୃଷ୍ଣ

ତମର ସବୁ ଅଭିଯୋଗ ସତ
ସ୍ୱୀକାର କରୁଛି ତମର ସବୁ ଆକ୍ରୋଶ,
ନିଜେ ନିଜର ଆଲୁଅରେ
ଛାଇଟିଏ ହୋଇ ଛିଡାହେବା
ନିଆଁ ଆଉ ପାଣି, ବାୟୁ ଆଉ ବସ୍ତୁରେ
ଶୂନ୍ୟତାକୁ ଘେରିବା କେଡେ କଠିଣ ସତରେ,
ଆଉ କେଡେ ମାରାତ୍ମକ ବି
ନିଜସହ ଲୁଚକାଳି ଖେଳିବାକୁ
ଟୁକୁଡା ଟୁକୁଡା ହୋଇ ଭାଂଗିବା
ଆଉ ମୋର କୃତକର୍ମର ଫଳ
ତମର ମୁଣ୍ଡରେ ପଡିବା

ତମେ ବୋଧେ ଭୁଲି ଯାଇଛ ଯେ
ତମର ଓ ମୋର ଛଡା
ଏଠି ଆଉ କେହି ନାହାନ୍ତି,
ଭୁଲି ଯାଇଛି ଯେ ପରସ୍ପରର ଦର୍ପଣରେ
ଆମେ ପରସ୍ପରର ପ୍ରତିବିଂବ,
ଅଜସ୍ର ଭଂଗା କାଚଖଣ୍ଡରେ ବଢା ନୀଳକୁ
ସାଉଁଟି ସାଇତି ରଖିବା ପାଇଁ ମାଟିପାତ୍ରରେ
ଅନିବାର୍ୟ୍ୟ ଥିଲା ରକ୍ତପାତ
ନଚେତ ଇନ୍ଦ୍ରଧନୁ ଆଂକିବାକୁ
କୁଆଡୁ ଆସିଥାଂତା ଏତେ ରଂଗ

ପିତା ହାତରେ ପୁତ୍ରର
ପୁତ୍ର ହାତରେ ପିତାର କଟାମୁଣ୍ଡ ଦେଖି
ତମେ ଥରି ଉଠିଲ ଯୁଦ୍ଧର ବିଭୀଷିକାରେ
ଏମିତି କାହାଣୀ ଗଢିବାର
କିଛି ଦରକାର ନଥିଲା ବୋଲି
ଭୟରେ ତମେ ମୋର ଶରଣ ପଶିଲ
ଅଥବା ନିଷ୍ଠୁର ନିର୍ଦୟ କାଳସର୍ପ ବୋଲି
ମନଇଚ୍ଛା ସୋଧିଲ
କେମିତି ଜାଣି ପାରିଲେ ନାହିଁ ଯେ
ତମେ ଖୋଦ୍ ସେ କାହାଣୀରେ ଲେଖକ

ତମେ ଅଛ ଆଉ ତମ ଭିତରେ
ମୁଁ ଅଛି ବୋଲି ଜାଣିବା ପାଇଁ
ତମକୁ ପିନ୍ଧାଇ ଦେଇଥିଲି
ଅବିକଳ ମୋ ମୁହଁର ଗୋଟେ ନକ୍ସା
ଆଉ ତମର ଆଖିରେ ଲେପିଥିଲି
ଟୋପେ ନୀଳ ଯାହା ଶୂନ୍ୟତାକୁ
ରଂରେଇବା ପାଇଁ ଥିଲା ପର୍ୟ୍ୟାପ୍ତ

ଯୁଦ୍ଧରେ କେହି ଯଦିବା ହତ ଓ ଆହତ
ସେ ଜଣକ ତ କେବଳ ମୁଁ
କାରଣ ମୋ ଛଡା ସେଠି କେହି ନଥାନ୍ତି
ଉଭୟ ପକ୍ଷରେ
ତମେତ ବହୁ ପରୀକ୍ଷା ନିରୀକ୍ଷାର ଫଳ
ଖୋଦ୍ ଯଦି ସଂଭାଳିପାରିଲ ନାହିଁ
ହତଯୁଦ୍ଧ ଗୋଟେ ମୁକ୍ତ ସାମ୍ରାଜ୍ୟ
ତମେ ନା ମୁଁ କିଏ ନିର୍ବୋଧ
କିଏ ନପୁଂସକ, ପଳାତକ

ତମ ଉପରେ ତ ନ୍ୟସ୍ତଥିଲା ଦାୟିତ୍ବ
ନିର୍ମାଣ କରବାକୁ ସେ ଅଦୃଶ୍ୟ ଦେହ
ଯେଉଁଠି ସର୍ବେ ଦିଶିଥାଂତେ ଏକାକାର
ସେ ଅଧାଗଢା ଖଣ୍ଡିଆ ଖାବରା ଉଆସରେ
ଏତେ ବେଶୀ ଅଂଧାର କାହିଁକି
ଜୀବନ କେମିତି ପାଲଟିଗଲା
ଭୁତପ୍ରେତ ଚୋର ଜୁଆଡୀଂକ ଏକ ପଶାଖେଳ

ତମର ମୋର ଭିତରେ
ପୋଛିଦେବା ପାଇଁ ସବୁ ଦୂରତ୍ବ
ଦିବ୍ୟାସ୍ତ୍ର ଆଉ ଦିବ୍ୟଆଲୁଅରେ
ମାଲାମାଲ୍ କରିଦେଇଥିଲି ତମକୁ
ଅଥଚ ତମର ସବାଖିଆ ଭୋକରେ
ଜଳିଗଲା ଜୀବନର ସବୁ ରଂଗ
ବାଂତିଉଛାଲରେ ଦୂଷିତ ମାଟି ପାଣି ପବନ
ମାତୃଧର୍ଷଣର ସୁଖରେ ମନ ମାତାଲ

ମୁଁ ତମକୁ ନିମନ୍ତ୍ରଣ କରିଥିଲି
ସାମିଲ୍ ହେବାପାଇଁ ରାସଲୀଳାରେ
ତମେ ଛୁରି ଲୁଚାଇ ଆସିଲ ଅଣ୍ଟାରେ
ରାସଭୂମିକୁ ପରିଣତ କରିଦେଲ ରଣଭୂମିରେ
ଏଥିରେ ମୋର ବା ଦୋଷ କଣ !!

Leave A Reply

Your email address will not be published.