oom

କବିତା : ଗାଢ଼ ଅ‌ନ୍ଧାର

jsmm

ଜ୍ୟୋ‌ତ୍ସ୍ନାରାଣୀ ଭୋଇ (କିଟି)

ଖୁବ୍‌ ଡରୁଥିବା
ଅନ୍ଧାରକୁ ବି
ନିଜର କରିହୁଏ….
ଭଲ ପାଉଥିବା
ଆଲୁଅ ଠୁ ମୁଁ
ଅନେକ ଥର ଲୁଚୁଛି ।

ପ୍ରତିଟି ଜାନୁଆରୀ ଏକ ତାରିଖ
ସକାଳ ଛଅଟା ପଇଁଚାଳିଶରୁ
ମୋ ଟ୍ରେନର ଗତି
ଭୁବନେଶ୍ୱର ଠୁ ବଲାଙ୍ଗିର

ନୂଆ ବର୍ଷର ନୂଆ କମ୍ପନ
ନଥାଏ ମନେ,
ଦ୍ରୁତ ଗତିର ଟ୍ରେନ
ହଠାତ୍ କୁହୁଡିରେ
ଧୀରେ ଗଡ଼ୁଥିବା ଭଳି
ଜୀବନଟାକୁ ମୋର
ସାଲିସ୍‌ କରି
ଗଡେଇ ଦେବାର ସ୍ୱପ୍ନ ।

ଟ୍ରେନରେ ଆଖି
ଲାଗି ଯାଉଥିବା ବେଳେ
ଦେଖେ ମୁଁ
କିଛି କିଛି ଦୁଃସ୍ୱପ୍ନ,
ଏ ବର୍ଷ
ମୋ ସ୍କୁଲର ରାନ୍ଧୁଣୀ,
କିଛି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ,
ମୋ ପଡିଶା ଘର,
ମୋ ଗାଁ, ମୋ ସହର,
ମୋ ଦେଶ….
କଉଁଠି ବି ଆଉ ନଥାଏ
ଛୁଆଁ ଅଛୁଆଁର ବାରଣ ।

ଆରେ ଆରେ ଏ ତ’ ଥିଲା
ମୋର ଦୁଃସ୍ୱପ୍ନ
ମୁଁ ପରା
ପ୍ରତି ବର୍ଷ
ଦୁଇ ଥର ମୋ’
ତ୍ରିରଙ୍ଗା ତଳେ କହୁଛି
ଆମ ଭାରତରେ
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ
ଆମେ ସଭିଏଁ ସମାନ ।

ମତେ ଏବେ ଅନ୍ଧାର
ଖୁବ୍ ଭଲ ଲାଗିଛି,
ଆଲୋକ ମୋର କୋଉ କାମକୁ ଯେ
ମୋ ଦେଶ ବି ତ’ ଭଲପାଏ
ଗାଢ଼ ଅନ୍ଧାରକୁ।

ପାଟଣାଗଡ଼, ବଲା‌ଙ୍ଗିର

jittmm
Leave A Reply

Your email address will not be published.