- ଜ୍ୟୋସ୍ନା ରାଣୀ ଭୋଇ (କିଟି)
ଲେଖିବି ବୋଲି ମୁଁ ପ୍ରେମର ଗୀତ ଟେ
ଲେଖି ପାରିଲିନି କେବେ
ନାଲି ରଙ୍ଗ ଯେତେ ମାଖେ କୃଷ୍ଣଚୂଡା
ଋତୁ ଚକ୍ର ଭାବ ଗର୍ଭେ ।
ପଳାଶ ଶିମୁଳି ରଙ୍ଗ ନକହିଲେ
ରଙ୍ଗ ହୀନ ହେବି ସତେ
ନାଲି ରଙ୍ଗ ତା’ର ନୀଳ ବଉଦରେ
ମନ ଲାଖି ଯାଏ ଯେତେ ।
ଥିରି ଥିରି ବାଆ ବଉଳ ପବନ
ଆମ ସାହି ମାଡ଼ି ଆସେ
କୋଇଲିର ଗୀତ ଶୁଭିଛି କାନକୁ
ମନ ଭରି ମଧୁ ଭାସେ ।
ନାନା ରଂଗମଖା ପ୍ରଜାପତି ଉଡେ
ଡେଣାରେ ଫଗୁଣ ବୋହି
ପାଦରେ ପାଉଁଜି ହଳେ ବାଜେ ମୋର
ପ୍ରେମିକା ପଣକୁ ନେଇ ।
ଖିଲି ଖିଲି ହସ ସାଥୀ ମେଳେ ମୋର
ମିଶି ଯାଏ ଆକାଶରେ
ଆକାଶରୁ ଝରେ ପ୍ରୀତିର ପିୟୂଷ
ସପନର ଶିକୁଳିରେ ।
କେତେ ପ୍ରତୀକ୍ଷାରେ ସେ ସମୟ ଗଡେ
ନୀଳ କଇଁ ସମ ହୋଇ
କେତେ ଲୁହ ଗଡ଼େ ଲୁଚି ଲୁଚି ସତେ
ଜୋଛନା ଭରସା ପାଇ ।
ପ୍ରିୟ ଭାବ ଗଢେ ଅନ୍ତର ଦୁଆରେ
ଦିନ ମାସ ଗଡ଼ି ଚାଲେ
ବେପଥୁ ନୟନେ ପ୍ରେମ ଚିତ୍ରକଳା
ବିଶ୍ୱାସର ଦୀପ ଜାଳେ ।
ବଇଁଶୀ ର ସୂର କରେ କଲବଲ
ସଖୀ ସାଖୀ ଗୋପବାଳା
ବୟସର ମେଘେ ସାତ ରଙ୍ଗ ଶୋଭେ
ପ୍ରକୃତିର ନାଟ୍ୟଶାଳା ।
ପ୍ରେମ ପାରାବାରେ ପ୍ରେମିକା ମୁଁ ସାଜେ
ରାଧାର ଘୁଙ୍ଗୁର ହୋଇ
ପ୍ରେମର ତୀରରେ କ୍ଷତ ଭରେ ମୋର
ଗାଏ ତାନପୁରା ହୋଇ ।
ପ୍ରେମିକା ହେବାଟା ନୁହେଁ ସହଜ ସେ
ଆକାଶ ତାରା ଯେ ବୁଣେ
ତାରା କି ସହଜେ ଗଣି ହୋଇଯିବ
ପ୍ରେମ ବି ପ୍ରମାଦ ଗଣେ ।
ପ୍ରେମର ଗୀତ ଟେ ଲେଖିବିନି କେବେ
ଲେଖିବି କେଦାର ଗୈାରୀ
ପ୍ରେମ ବିନା କେବେ ଜଗତ ଘୂରଇ
ପ୍ରେମରେ ତା କାରିଗରୀ।
- ଲାଇନ୍ ପଡା, ପାଟଣାଗଡ଼