- ତ୍ରିନାଥ ସିଂହ
ହାତରୁ ଗଳିପଡ଼ିଥିବା ଦର୍ପଣର
ଚୁରମାର୍ କାଚ,
ଡାକରେ ପଡ଼ିସାରିଥିବା
ଦୁର୍ବଳ ମୁହୂର୍ତ୍ତର ଚିଠି,
ଆଙ୍ଗୁଠି ଫାଙ୍କଦେଇ ଖସିଯାଇଥିବା
ନିଷ୍ପାପ ଆୟୁଷ…
: ସେଇ ଏକା କଥା ।
ନା ପୁନର୍ବାର ଫେରିଆସେ
ଛିଣ୍ଡି ପଡ଼ିଥିବା ତାରା
ଆକାଶର ଡେମ୍ଫକୁ…
ନା ବହି ଯାଇଥିବା
ଯନ୍ତ୍ରଣା- ମଧୁର- ମୁହୂର୍ତ୍ତ
ଓ ବୟସ…!
ଖାଲି ଯାହା
ଆକ୍ତାମାକ୍ତା ହେଉଥାଏ ମନତଳେ
ସଂଗୁପ୍ତ- କୋହ ।
ଯେତେଥର
ପଛକୁ ଫେରି ଚାହିଁବାର ଇଚ୍ଛାରେ
ପାଖୁଡ଼ା ପାଖୁଡ଼ା ଖୋଲି
ଉଲଗ୍ନ କରିଛି ନିଜକୁ,
ଖେଳେଇ ପଡ଼ିଥିବା ଦର୍ପଣର
ଟୁକୁରା ଟୁକୁରା କାଚରେ
ପ୍ରତିବିମ୍ବିତ ହେଇଉଠିଛି…
ସୋରିଷଫୁଲର ବାସ୍ନାରେ ସ୍ନାତ
ସେଇ ଗହଗହ ଘରଦାଣ୍ଡ
ସେଇ ମହମହ ଧୂଳିଘର
ଯୋଉଠି
ଦେହମୁଣ୍ଡ ମାଟି ସରସର ଶିଶୁଟିଏ
ମୋ ମାଁର ପଣତରୁ ମୁହଁ କାଢ଼ି
ମତେ ଖତେଇ ହେଉଛି ।
ମୋ.ନଂ.- ୮୮୯୫୦୯୯୪୬୪