oom

କବିତା : ମୁଣ୍ଡ

jsmm
  • ଏଲି ମହାନ୍ତି

ମୁଣ୍ଡ ଗଢିବାକୁ
ମୁଣ୍ଡ ଦରକାର ।

ମୁଣ୍ଡ କାଟିବାକୁ
ମୁଣ୍ଡ ଦରକାର ।

ମୁଣ୍ଡ ବିକିଥିବା ଲୋକ
ସାରା ରାତି ଛଟପଟ,

ମୁଣ୍ଡ କିଣିଥିବା ଲୋକର ସ୍ୱପ୍ନରେ
କଟା ମୁଣ୍ଡର ଉତ୍ପାତ !

ସାରା ସଂସାରରେ ଭରି ଯାଇଛି ମୁଣ୍ଡ
ଭୁଇଁରୁ ଗଜୁରି ଉଠୁଛି ମୁଣ୍ଡ
ମାଗୁଛି ପରିଚୟ ଦିଅ,
ଗଛରୁ ଝୁଲି ପଡୁଛି ମୁଣ୍ଡ
କହୁଛି ମୋ ହାହାକାର ନିଅ ।

ନଈରେ ଭାସୁଛି ମୁଣ୍ଡ
ମାଗୁଛି ପିଣ୍ଡ ଦିଅ,
ଦୁଆର ସାମ୍ନାରେ ଠିଆ ମୁଣ୍ଡ
କହୁଛି ମରିବାକୁ
ତେୟାର ହୁଅ….!

ହିଡରେ ଗଡୁଛି ମୁଣ୍ଡ
ଖୋଜୁଛି ତା ଚିରା ଦେହ
ସର୍କାର କହୁଛି ଇନ୍ଧନ ନାହିଁ
ଏଥର ସେ ଦେହକୁ ଜାଳିଦିଅ !

ମୁଣ୍ଡର ଅକ୍ତିଆରରେ ମୁଣ୍ଡ ।
ସମସ୍ତେ ବନ୍ଦୀ,
ସମସ୍ତେ ବିଭକ୍ତ
ସବୁ ମୁଣ୍ଡରୁ ଖସିପଡିଛି ଆଖି
ଖୋଲିଯାଇଛି ପାଟି
ସମସ୍ତେ ତତ୍ପର ଗ୍ରାସି ନେବାକୁ
ଅନ୍ୟର ମୁଣ୍ଡ
କେତେବେଳେ କିଏ କବନ୍ଧ
ଅଣ୍ଡାଳି ଅଣ୍ଡାଳି
କାଟିଆଣୁଛି ଆଉ କା’ ମୁଣ୍ଡ
ଅନ୍ୟର ମୁଣ୍ଡ କାଟି
ନିଜ ମୁଣ୍ଡର ଥାପନା ଖୁବ ସହଜ ।

କାହାକୁ ଜଣା
ବିସର୍ଜନ ମନ୍ତ୍ର ?

ଶିଳ୍ପୀର ଅଧାଗଢା ତଲୱାର
ପଜେଇବାକୁ
ଖୋଜାହେଉଛି ମାଳେ ମୁଣ୍ଡ
ଦବ ?

jittmm
Leave A Reply

Your email address will not be published.