ବଲାଙ୍ଗିର ମାଟିର ସ୍ୱାର୍ଥ ପାଇଁ ଲଢିବ ଜିଲ୍ଲା ଓକିଲ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଟିର ସ୍ୱାର୍ଥ ହାସଲ ଦିଗରେ ଲଢିବ ଜିଲ୍ଲା ଓକିଲ ସଂଘ । ବିଗତ ଦିନରେ ବଲାଙ୍ଗିର ବିକାଶରେ ସଂଘ ଠିକ୍‌ ଭାବେ ତାର ଦାୟିତ୍ୱ ନିର୍ବାହ କରି ପାରିନାହିଁ । ଆଗାମୀ ଦିନରେ ସଂଘ ତାର ସାମାଜିକ ଉତ୍ତର ଦାୟିତ୍ୱ ସଠିକ ଭାବେ ନିର୍ବାହ କରିବ । ତେବେ ପ୍ରାରମ୍ଭିକ ପର୍ୟ୍ୟାୟରେ ବଲାଙ୍ଗିରର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ଲଢେଇ ଆରମ୍ଭ ହେବ ବୋଲି ଜିଲ୍ଲା ଓକିଲ ସଂଘ ତରଫରୁ ବାର୍‌ ହଲ ଠାରେ ଆୟୋଜିତ ଏକ ସାଂବାଦିକ ସମ୍ମିଳନୀରେ ସଂଘର ନବ ନିଯୁକ୍ତ ସଭାପତି ପ୍ରବୀଣ କୁମାର ମିଶ୍ର ଓ ସମ୍ପାଦକ ବାସୁଦେବ ରଥ କହିଛନ୍ତି । ବର୍ତ୍ତମାନ ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ଉତ୍କଟ ରୂପ ନେଇଛି । ନିରନ୍ତର ଭାବରେ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ଯୋଗାଣ ପାଇଁ ଉଭୟ ବିଭାଗ ପଦକ୍ଷେପ ନିଅନ୍ତୁ । ଆଗାମୀ ୭ ଦିନ ମଧ୍ୟରେ ଯଦି ଏହି ସମସ୍ୟାର ସମାଧାନ କରାନଯାଏ, ତା ହେଲେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସଭାପତି ଶ୍ରୀ ମିଶ୍ର କହିଛନ୍ତି । ବର୍ତ୍ତମାନ ଷ୍ଟାମ୍ପର ମଧ୍ୟ କଳାବଜାରୀ ବୃଦ୍ଧି ପାଇବାରେ ଲାଗିଛି । ୧୦ ଟଙ୍କିଆ ଷ୍ଟାମ୍ପ ୧୦୦ ଟଙ୍କାରେ ବିକ୍ରୟ ହେଉଛି । ତେବେ କଳବଜାରୀମାନେ ଏ ସବୁ ବନ୍ଦ କରନ୍ତୁ । ନଚେତ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଭଳି କି ସେମାନଙ୍କ ଲାଇସେନ୍ସ ରଦ୍ଧ କରିବା ପାଇଁ ପଦକ୍ଷେପ ନିଆଯିବ । ଇତି ମଧ୍ୟରେ ଆମେ ଏଡିଏମଙ୍କୁ ସାକ୍ଷାତ କରି ଏ ବିଷୟରେ ଅବଗତ କରିଛୁ ଓ ପର୍ୟ୍ୟାପ୍ତ ପରିମାଣରେ ଷ୍ଟାମ୍ପ ଯୋଗାଇ ଦେବା ପାଇଁ ଅନୁରୋଧ କରିଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହା ସହିତ ବଲାଙ୍ଗିର ଜିଲ୍ଲାର ଅନ୍ୟାନ୍ୟ ସମସ୍ୟାକୁ ନେଇ ମଧ୍ୟ ସଂଘ ଲଢେଇ କରିବ ।

ଦୀର୍ଘ ଦୁଇ ବର୍ଷ ହେଲା ଓକିଲମାନେ ଅତି ଦୟନୀୟ ଭାବେ କାଳାତିପାତ କରୁଛନ୍ତି । ପ୍ରଥମେ ଆନ୍ଦୋଳନ ଯୋଗୁଁ କୋର୍ଟ ବନ୍ଦ ରହିଥିଲା ଓ ପରେ କୋଭିଡ ଯୋଗୁଁ କୋର୍ଟ ବନ୍ଦ ରହିଛି । ତେବେ ରାଜ୍ୟ ସରକାର ଓକିଲମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି । ବଲାଙ୍ଗୀର ବାର୍‌ର ୨୧୦ ଜଣ ଓକିଲ ଏହି ସହାୟତା ପାଇବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହା ସହିତ ପୂର୍ବ ଭଳି ହାଇକୋର୍ଟ ବେଂଚକୁ ନେଇ ଆଗାମୀ ଦିନରେ ଲଢେଇ ଜାରି ରହିବ । ତେବେ କୋର୍ଟକୁ ବନ୍ଦ କରି ଆନ୍ଦୋଳନ କରା ଯିବନାହିଁ । ଆନ୍ଦୋଳନର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ଶ୍ରୀ ମିଶ୍ର କହିଥିଲେ । ଏହି ଅବସରରେ ମହିଳା ଓକିଲମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର ହଲ୍‌ର ଉଦ୍‌ଘାଟନ କରାଯାଇଥିଲା ।

Leave A Reply

Your email address will not be published.