ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଶାରୀରିକ ଭିନ୍ନକ୍ଷମ, ମସ୍ତିଷ୍କ ପକ୍ଷାଘାତ ତଥା ଚଳନବାଧି ଦିବ୍ୟାଙ୍ଗମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ହ୍ୱିଲ୍ ଚେୟାର ଦିବସ ଆୟୋଜନ କରାଯାଇଥିଲା । ପ୍ରାରମ୍ଭରେ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା ପତାକା ଦେଖାଇ ହ୍ୱିଲ୍ ଚେୟାର୍ ଶୋଭାଯାତ୍ରାକୁ ଉଦ୍ଘାଟିତ କରିଥିଲେ । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଉତ୍ସବକୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ନେତୃତ୍ୱରେ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀମାନେ ଉପସ୍ଥିତ ରହି ଦିବ୍ୟାଙ୍ଗ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଶୋଭାଯାତ୍ରା ଜୋଗରସ୍ ପାର୍କରୁ ବାହାରୀ କୋଶଳ କଳାମଣ୍ଡପ ପଡ଼ିଆରେ ପହଂଚିଲା ପରେ ଦିବ୍ୟାଙ୍ଗମାନଙ୍କୁ ନେଇ ଏକ ୫୦ ମିଟର ହ୍ୱିଲ୍ଚେୟାର ରେସ୍ ଆୟୋଜିତ ହୋଇଥିଲା । ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର କୋଚ୍ ଓ ଶାରିରୀକ କ୍ରୀଡ଼ା ଶିକ୍ଷକମାନଙ୍କ କ୍ରୀଡ଼ା ପରିଚାଳନା କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ୫୦ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଜିଲ୍ଲା ପ୍ରାଶସନ ତରଫରୁ ପୁରସ୍କାର, ପ୍ରମାଣପତ୍ର, ଛତା, ଟୋପି ଓ ଗଞ୍ଜି ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଯଥା, ଆଶ୍ରା ବଲାଙ୍ଗିର, ଆର୍.ଏସ୍.ଡି. ସଇଁନ୍ତଲା, ଆଶାଦେସିଲ, ଏସ୍.ସିଡ଼ି. ଟିଟିଲାଗଡ଼, ଡେ.ବି.ବି ଏସ୍.ଏନ୍, ସାଲେପାଲିରୁ ଆସିଥିବା ଛାତ୍ରଛାତ୍ରୀ ଅଭିଭାବକ ଶିକ୍ଷକମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।