ବିଜ୍ଞାନ ଓ ଆତ୍ମନିର୍ଭର ଭାରତ ଶୀର୍ଷକ ୱେବିନାର

ଭୁବନେଶ୍ୱର, (ପିଆଇବି) : ପତ୍ର ସୂଚନା କାର୍ୟ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ବିଜ୍ଞାନ ଓ ଆତ୍ମନିର୍ଭର ଭାରତ ଶୀର୍ଷକ ଏକ ୱେବିନାର ୧୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୨ରୁ ୨୫ ତାରିଖ ମଧ୍ୟରେ ନୂଆଦିଲ୍ଲୀଠାରେ ଭର୍ଚୁଆଲ ମୋଡରେ ହେବାକୁ ଥିବା ଭାରତ ଆନ୍ତର୍ଜାତିକ ବିଜ୍ଞାନ ମହୋତ୍ସବ (ଆଇଆଇଏସଏଫ) ୨୦୨୦ର ଅବ୍ୟବହିତ ପୂର୍ବରୁ ଏହି ୱେବିନାର ଆୟୋଜିତ ହୋଇଛି । ଆତ୍ମନିର୍ଭର ଭାରତ ଗଠନରେ ବିଜ୍ଞାନ ଓ ବୈଜ୍ଞାନିକଙ୍କ ଭୂମିକା ଅନସ୍ୱୀକାର୍ୟ୍ୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।

ଏଥିରେ ଯୋଗ ଦେଇ ଭୁବନେଶ୍ୱରସ୍ଥିତ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) – ଆଇଏମଏମଟିର ନିର୍ଦ୍ଦେଶକ ସୁଧାସତ୍ୱ ବସୁ ଆତ୍ମନିର୍ଭର ଭାରତ ଗଠନ ପାଇଁ ଖଣିଜ ପଦାର୍ଥ ଉପଯୋଗର ବୈଷୟିକ ଉନ୍ନତି ହେବା ଆବଶ୍ୟକ ବୋଲି କହିଛନ୍ତି । ଖଣିଜ ପଦାର୍ଥରୁ ଉତ୍ପାଦିତ ସାମଗ୍ରୀ ଦେଶର ଭିତିଭୂମି ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ମାତ୍ର ଏଥିପାଇଁ ଆମଦାନୀ ଉପରେ ନିର୍ଭରଶୀଳ ନହୋଇ ଆତ୍ମନିର୍ଭରଶୀଳ ହୋଇ ଧାର୍ୟ୍ୟ ଲକ୍ଷ ପୂରଣ କରିବା ଆବଶ୍ୟକ । ଏହାଛଡା ଖଣିଜ ପଦାର୍ଥରୁ ସଂଗୃହୀତ କଂଚାମାଲ ପର୍ୟ୍ୟାପ୍ତ ଉପଲବ୍ଧ ହେଲେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଅଭିବୃଦ୍ଧି ସହ ପର୍ୟ୍ୟାପ୍ତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ସେ କହିଥିଲେ ।

ଏଥିରେ ଯୋଗଦେଇ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ଧାନ ଓ ଗହମ କ୍ଷେତ୍ରରେ ଆମ ଦେଶ ଆତ୍ମନିର୍ଭରଶୀଳ ହୋଇଥିଲେ ମଧ୍ୟ ଏହାର ଗୁଣାତ୍ମକ ବିକାଶ ହେଲେ ଆମେ ନିଜର ଗୁଜୁରାଣ ମେଂଟାଇବା ସହ ବଳକା ଶସ୍ୟ ବାହାରକୁ ରପ୍ତାନୀ କରିପାରିବା । ଡାଲି ଓ ତୈଳବୀଜ ଜାତୀୟ ଶସ୍ୟ ଉତ୍ପାଦନ ଆମକୁ ବୃଦ୍ଧି କରିବାକୁ ହେବ । ଚାଷୀଙ୍କ ସଚେତନତା ସହ ବୈଜ୍ଞାନିକ ପରାମର୍ଶ ଓ ଉଦ୍ଭାବନ ନୂତନ କୃଷି ଯନ୍ତ୍ରପାତି ଉତ୍ପାଦନ ବୃଦ୍ଧିରେ ବିଶେଷ ସହାୟକ ହେବ । ନିକଟରେ ଘୋଷିତ କେନ୍ଦ୍ର ସରକାରଙ୍କ କୃଷି ନୀତି ଦେଶର କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ସହ କୃଷି କ୍ଷେତ୍ରକୁ ଆତ୍ମନିର୍ଭର କରିବାରେ ଯଥେଷ୍ଟ ସହାୟକ ହେବ ବୋଲି ସେ କହିଛନ୍ତି ।

ଏଥିରେ ଅଂଶଗ୍ରହଣ କରି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ପାଣିପାଗ ବିଜ୍ଞାନର ଅଗ୍ରଗତି ଯୋଗୁଁ ଆଜି ବିପର୍ୟ୍ୟୟ ପ୍ରଶମନ କ୍ଷେତ୍ରରେ ଅନେକ ସୁଧାର ଆସିଛି ବୋଲି କହିଛନ୍ତି । ସଠିକ ଆକଳନ ଯୋଗୁଁ ବିପର୍ୟ୍ୟୟ କବଳରୁ ଅନେକ ଧନ ଜୀବନ ହାନୀ ରୋକାଯାଇପାରିଛି । ପତ୍ର ସୂଚନା କାର୍ୟ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଶ୍ରୀ ଶୈଳେଶ କୁମାର ମାଲବ୍ୟ ଏହି ୱେବିନାରରେ ଅଧ୍ୟକ୍ଷତା କରିଥିବାବେଳେ ଗଣମାଧ୍ୟମ ଯୋଗାଯୋଗ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଚୌଧୁରୀ ୱେବିନାର ପରିଚାଳନା କରିଥିଲେ ।

Leave A Reply

Your email address will not be published.