ଖପ୍ରାଖୋଲ, (କେପିଏନ୍ଏସ୍) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହେବା ସହିତ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି । ଏଥିପାଇଁ ଭୋଟର ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ମାତ୍ର ଭୋଟର ତାଲିକାରେ କେତେକ ଭୋଟରଙ୍କ ନାମ ନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଢ଼ୀବାହାଲ ଗ୍ରାମ ଦୁଇ ନମ୍ବର ୱାର୍ଡର ୧୩୯ ଜଣ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ପଡିଛି । ଭୋଟର ତାଲିକାରୁ ନାମ ବାଦ ପଡିଥିବାରୁ ସେମାନଙ୍କ ମଧ୍ୟରୁ କେତେକ ଆଶାୟୀ ନିର୍ବାଚନରେ ପ୍ରତିଦ୍ୱନ୍ଦୀତା କରିବାରୁ ବଞ୍ଚିତ ହେବା ସହିତ ଆଗାମୀ ନିର୍ବାଚନରେ ଭୋଟ ଦେବାରୁ ବଞ୍ଚିତ ହେବେ ବୋଲି ଜଣାପଡିଛି । ଗ୍ରାମର ହେମସାଗର ସାହୁଙ୍କ ନେତୃତ୍ୱରେ ତରଣୀ ଖରସେଲ, ଚନ୍ଦ୍ରମଣି ଖରସେଲ, କେଶବ ଖରସେଲ, ସୀମା ଖରସେଲ ପ୍ରମୁଖ ଗ୍ରାମବାସୀ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କୁ ସାକ୍ଷାତ କରି ଏନେଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଇ ଅବସରରେ ବାଦ ପଡ଼ିଥିବା ଭୋଟର ମାନଙ୍କୁ ଭୋଟ ଦେବାର ବ୍ୟବସ୍ଥା କରିବା ପାଇଁ ସେମାନେ ବିଡ଼ିଓଙ୍କୁ ଲେଖି ଜଣାଇଛନ୍ତି । ଅନ୍ୟ ପକ୍ଷରେ ଗ୍ରାମବାସୀଙ୍କୁ ଭୋଟ ଦେବାରୁ ବଞ୍ଚିତ କରାଗଲେ ଗ୍ରାମରେ ଥିବା ବୁଥ୍ରେ ଭୋଟ ଗ୍ରହଣ କରେଇ ଦେବୁନାହିଁ ବୋଲି ଓଡ଼ିଆପାଲି ସମିତି ସଭ୍ୟା ରଞ୍ଜୁଲତା ସାହୁ ଚେତାବନୀ ଦେଇଛନ୍ତି । ଏନେଇ ବ୍ଲକ ନିର୍ବାଚନ ଅଧିକାରୀ ରଶ୍ମି ରଞ୍ଜନ ରାଉତଙ୍କୁ ପଚାରିବାରୁ ଗତ ଡିସେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ଭୋଟର ତାଲିକା ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଥିଲା ତାଲିକାରେ ଭୁଲ ତୃଟି ଥିଲେ ସାତଦିନ ମଧ୍ୟରେ ଅଭିଯୋଗ କରିବାକୁ କୁହାଯାଇଥିଲା ।
Next Post