ପ୍ରକାଶ ପାଇଲା ଚୁଡାନ୍ତ ଭୋଟର ତାଲିକା-୨୦୨୨

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜଧାନୀ ଭୁବନେଶ୍ୱରରୁ ରାଜ୍ୟ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟଳୟରୁ ଭୋଟର ତାଲିକା-୨୦୨୨ ଚୁଡାନ୍ତ ଗତକାଲି ପ୍ରକାଶ ପାଇଛି । ଏହା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରେରଣ ହୋଇଛି । ଯାହାକି, ସମଗ୍ର ରାଜ୍ୟରେ ୨୦୨୨ ମସିହା ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ଗତ ନଭେମ୍ବର ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା ଓ ଭୋଟର ମାନଙ୍କର ଦାବୀ ଆପତ୍ତି ଶୁଣିବା ନିମନ୍ତେ ଗତ ନଭେମ୍ବର ୧ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ଦିନ ଧାର୍ୟ୍ୟ କରାଯାଇଥିଲା । ଏହି ସମୟ ମଧ୍ୟରେ ଦାବି ଆପତ୍ତି ନିମନ୍ତେ ସମୁଦାୟ ୧୮,୬୫,୫୭୦ ଗୋଟି ଦାବି-ଆପତ୍ତି ଫର୍ମ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୧୨,୦୨,୧୦୧ ଅର୍ଥାତ୍ ୬୪.୪୪% ଦାବୀ ଓ ଆପତ୍ତି ଅନଲାଇନ୍ ମାଧ୍ୟମରେ ଆସିଥିବା ବେଳେ ୬,୬୩,୪୬୯ ଅର୍ଥାତ୍ ୩୫.୫୬% ଦାବୀ ଓ ଆପତ୍ତି ଅଫଲାଇନ୍ ମାଧ୍ୟମରେ ଗ୍ରହଣ କରାଯାଇଥିଲା ।
ଗତକାଲି ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ହୋଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଖବର ପହଞ୍ଚାଯାଇଛି । ୫୮ ଗୋଟି ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ୩୭,୬୦୬ ଗୋଟି ବୁଥ୍‌ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଲା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀ ଜଣାଇଛନ୍ତି । ଫଟୋ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ୯,୫୦,୭୮୯ଜଣ ନୂଆ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୩,୪୪,୯୪୪ଜଣ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଛି ଓ ଭୋଟର ତାଲିକାରେ ଥିବା ୩,୮୨,୬୦୧ଜଣ ଭୋଟରଙ୍କର ତ୍ରୁଟି ସଂଶୋଧନ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ୨୦୨୧ ମସିହାରେ ପ୍ରକାଶ ପାଇଥିବା ଚୂଡାନ୍ତ ଭୋଟର ତାଲିକାରେ ୧୮-୧୯ ବର୍ଷ ବୟସ ବର୍ଗରେ ସମୁଦାୟ ୪,୧୦,୦୭୬ଜଣ ଭୋଟର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ୫,୨୩,୭୪୪ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି । ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକାରେ ରାଜ୍ୟର ସମୁଦାୟ ୩,୨୯,୮୩,୬୪୩ଜଣ ଭୋଟର ଥିବା ବେଳେ ସେଥିମଧ୍ୟରୁ ୧,୬୭,୯୬,୬୦୩ଜଣ ପୁରୁଷ ଭୋଟର ଓ ୧,୬୧,୮୩,୮୩୫ଜଣ ମହିଳା ଭୋଟର ଏବଂ ୩୦୨୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ସମୁଦାୟ ୩,୨୫,୫୨,୨୦୨ଜଣ ଭୋଟର ଥିବା ବେଳେ ଚଳିତ ବର୍ଷ ଚୂଡାନ୍ତ ଭୋଟର ତାଲିକାରେ ସମୁଦାୟ ୩,୨୯,୮୩,୬୪୩ ଜଣ ଭୋଟର ଅଛନ୍ତି ପୂର୍ବବର୍ଷ ଭୋଟର ତାଲିକା ଅନୁସାରେ ୯୯.୧୪% ଭୋଟରଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ ନିମନ୍ତେ ଅନ୍ତର୍ଭୁକ୍ତ କରାଯାଇଥବା ବେଳେ ଚଳିତ ବର୍ଷ ତାହା ବୃଦ୍ଧି ପାଇ ୯୯.୭୭%ରେ ପହଞ୍ଚିଛି । ୨୦୨୧ ମସିହାର ଚୂଡାନ୍ତ ଭୋଟର ତାଲିକା ରେ ୯୮.୬୬% ଭୋଟରଙ୍କ ଫଟୋ ଥିବା ବେଳେ ଚଳିତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ଫଟୋ ଥିବା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇ ୯୯.୭୪% ହୋଇଛି । ୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରୁ ପୁରୁଷ ମହିଳା ଭୋଟର ଅନୁପାତ ୯୫୮ ଥିବା ବେଳେ ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ତାହା ୯୬୪ ହୋଇଛି ସେହି ୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ୩,୩୮,୪୫୮ ଜଣ ଭୋଟରଙ୍କ ଫଟୋ ତାଲିକାରେ ନଥିବା ବେଳେ ତାହା ଚଳିତ ବର୍ଷ ଭୋଟର ତାଲିକାରେ ହ୍ରାସ ପାଇ ୮୪,୬୯୪ ହୋଇଛି । ଭୋଟର ତାଲିକା ପ୍ରସ୍ତୁତିର ଶୁଦ୍ଧିକରଣରେ ଆଶାନୁରୂପ ଗୁଣାତ୍ମକ ଅଭିବୃଦ୍ଧି ଘଟିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ୨୦୨୧ ମସିହାର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକ ସଂଶୋଧନ ନିମନ୍ତେ ମାତ୍ର ୭% ଭୋଟର ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିବା ବେଳେ ବ୍ୟାପକ ପ୍ରଚାର ପ୍ରସାର ଓ ସମସ୍ତ ହିତାଧିକାରୀଙ୍କ ଅଂଶ ଗ୍ରହଣ ଯୋଗୁଁ ଚଳିତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ଅନଲାଇନ୍ ମାଧ୍ୟମରେ ୬୪% ରୁ ଅଧିକ ଭୋଟର ଆବେଦନ କରିଛନ୍ତି । ଚଳିତ ବର୍ଷ ଭାରତ ନିର୍ବାଚନ ଆୟୋଗ ସମସ୍ତ ଭୋଟରଙ୍କୁ ସଂପୂର୍ଣ୍ଣ ମାଗଣାରେ ସ୍ପୀଡ୍ ପୋଷ୍ଟ୍ ମାଧ୍ୟମରେ ଫଟୋ ପରିଚୟ ପତ୍ର ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜାତୀୟ/ରାଜ୍ୟ ସ୍ତରର ସମସ୍ତ ରାଜନୈତିକ ଦଳମାନଙ୍କୁ ବିନା ମୂଲ୍ୟରେ ଚଳିତ ବର୍ଷର ଚୂଡାନ୍ତ ଭୋଟର ତାଲିକାର ନକଲ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷର ଭୋଟର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ୍ୱେବସାଇଟ୍‌ରେ ଜନସାଧାରଣଙ୍କ ଅବଗତି ନିମନ୍ତେ ମଧ୍ୟ ଆଜିଠାରୁ ଉପଲବ୍ଧ ହୋଇପାରିବ । ସମସ୍ତ ଭୋଟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଓ୍ୱେବସାଇଟ୍ www.ceoorissa.nic.inରେ ତନଖି କରିପାରିବେ । ଏହା ବ୍ୟତୀତ ଚଳିତ ଚୂଡାନ୍ତ ଭୋଟର ତାଲିକାରେ ଯଦି କୌଣସି ଭୋଟରଙ୍କ ତୃଟି ବିଚ୍ୟୁତି ଥାଏ ତାହେଲେ ସେମାନେ ତ୍ରୁଟି ସଂଶୋଧନ ନିମନ୍ତେ ପୂର୍ବଭଳି ଉଭୟ ଅନଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଯାହାକି ଧାରାବାହିକ ସଂଶୋଧନ ପ୍ରକ୍ରିୟାରେ କରାଯାଇପାରିବ । ଭୋଟର ମାନେ ଚାହିଁଲେ www.nvsp.inକୁ ଯାଇ ଏକକ ମୋବାଇଲ୍ ମାଧ୍ୟମରେ ସେମାନଙ୍କର ଇ-ଇପିଆଇସି ମଧ୍ୟ ଡାଉନଲୋଡ୍ କରି ନିଜ ମୋବାଇଲରେ ରଖିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.