
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକର ୨୨ଟି ପଞ୍ଚାୟତରେ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କୋଭିଡ଼ ନିୟମକୁ ପାଳନ କରିବାକୁ ସଚେତନ କରାଯାଉଛି । ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ଼ ସଭ୍ୟ ମାନଙ୍କୁ ବାଛିବା ନେଇ ଏହି ନିର୍ବାଚନ ହେବାକୁ ଯାଉଛି । ତେବେ କିଭଳି ଭାବେ ସୁରୁଖୁରୁରେ ନିର୍ବାଚନ ଶେଷ ହେବ, ତାହାକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପର ରହିଛି । ଗାଁ ଗାଁରେ ଭୋଟ ହାତେଇବା ପାଇଁ ପ୍ରଚାର ପ୍ରସାର ଆରମ୍ଭ ମଧ୍ୟ ହେଲାଣି । ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ଆରକ୍ଷୀ ଅଧିକାରୀ ନୀତିନ କୁଶଲକର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ସିଂ ପ୍ରମୁଖ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ସ୍ଥାନୀୟ ପଞ୍ଚାୟତ କଲେଜ ଭୋଟ ଗଣତି କେନ୍ଦ୍ରକୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଡିଓ ଚନ୍ଦ୍ରମଣି ନାଗ, ଏସଡ଼ିପିଓ ସୁରେନ୍ଦ୍ର ନାଥ ଶତପଥୀ, ସ୍ଥାନୀୟ ଥାନା ଅଧିକାରୀ ଅବନୀ କୁମାର ସାହୁ ପ୍ରମୁଖଙ୍କ ଉପସ୍ଥିତରେ କିପରି ଭାବରେ ସ୍ୱଚ୍ଛ ଓ ନିର୍ମଳ ଭାବରେ ନିର୍ବାଚନ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଏହି ବ୍ଳକରେ ୨୨ଟି ପଞ୍ଚାୟତରେ ୨୭୨ଟି ମତଦାନ କେନ୍ଦ୍ର କରାଯାଇ ଥିବାବେଳେ ୮୫ ହଜାର ୧୮୮ ଜଣ ଭୋଟର ସେମାନଙ୍କ ମତଦାନ କରିବେ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ୪୪ ହଜାର ୨୩୪ ଜଣ ପୁରୁଷ ଥିବା ବେଳେ ୪୦ ହଜାର ୯୫୧ ଜଣ ମହିଳା ରହିଛନ୍ତି ।
