ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାଇନପଡା ଗ୍ରାମ ପଞ୍ଚାୟତର ଛଅ ୱାର୍ଡବାସୀ ତଥା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି । ନୂତନ ପଞ୍ଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ବର୍ଜନ କରିବେ । ସାଇନପଡା ଗ୍ରାମ ପଞ୍ଚାୟତର ଛଅ ୱାର୍ଡବାସୀ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । ନନ୍ଦମାହା ସମେତ ଛଅ ୱାର୍ଡ଼ବାସୀଙ୍କ କହିବା କଥା ଯେ, ପୂର୍ବରୁ ସେମାନେ କୁଡୁତୁଲୀ ଗ୍ରାମ ପଞ୍ଚାୟତରେ ଥିଲେ ସାଇନପଡା ପଞ୍ଚାୟତ ଗଠନ ବେଳେ ଗ୍ରାମବାସୀଙ୍କୁ ନ ଜଣାଇ ସାଇନପଡ଼ା ଗ୍ରାମ ପଞ୍ଚାୟତରେ ମିଶାଇ ଦିଆଗଲା । ଏନେଇ ଗ୍ରାମବାସୀ କ.ନୂଆଗାଁ ବିଡ଼ିଓ, ବାଲିଗୁଡା ଉପଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ ଓ ପଞ୍ଚାୟତିରାଜ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ମିଳିତ ଭାବେ ବୈଠକ କରି ଭୋଟ ବର୍ଜନ କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି । ଗାଁରେ ପାନୀୟ ଜଳ ସଙ୍କଟ ସହିତ ଗରିବ ହିତାଧିକାରୀଙ୍କୁ ବିଜୁ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗ୍ରାମବାସୀ ବହୁବାର ବ୍ଲକ ପ୍ରଶାସନିକ ଅଧିକାରୀ ଏବଂ ଜିଲ୍ଲାପାଳ ସ୍ଥାନୀୟ ବିଧାୟକଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ଅତିଷ୍ଠ ହୋଇ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି । ନନ୍ଦମାହା, କିରାକେତା, ଡାକରଗାଁ, ସିକେଶରୁ, ସାରିଖେତା, ମୁଣ୍ଡାର ଗାଁ, ବିକାଙ୍ଗିଆ, ତିଳକପଡା, ଗାନିପଡା, ଟେଟ୍ରେ ଗାଁରେ ଅନୁନ୍ୟ ପାଞ୍ଚ ହଜାର ଲୋକ ବସବାସ କରନ୍ତି । କୁଡୁତୁଲି ଓ ସାଇନପଡା ପଞ୍ଚାୟତକୁ ରାସନ ଚାଉଳ ଓ ବିଧବା, ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୁଇଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ତେଣୁ ଛଅ ୱାର୍ଡବାସୀଙ୍କ ଦାବୀ ଯେ, ସେମାନଙ୍କୁ ପୂର୍ବଭଳି କୁଡୁତୁଲୀ ୱାର୍ଡ଼ରେ ସାମିଲ କରାଯାଉ କିମ୍ବା ନନ୍ଦମାହାରେ ଛଅ ୱାର୍ଡ଼କୁ ନେଇ ନୂତନ ପଞ୍ଚାୟତ ଗଠନ କରାଯାଉ ବୋଲି କମଳ ଲୋଚନ କହଁର, ରୁକ୍ମଣୀ କହଁର, ସିମାଞ୍ଚଳ କହଁରଙ୍କ ସମେତ ସମସ୍ତ ଗ୍ରାମବାସୀ ଦାବୀ କରିଛନ୍ତି ।