• କଡାସୁରକ୍ଷା ବ୍ୟବସ୍ଥା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଗତକାଲି ଶାନ୍ତିଶୃଙ୍ଖଳାର ସହ ଉତ୍ସାହ ଉଦ୍ଦିପନା ମଧ୍ୟରେ ସମାହିତ ହୋଇଯାଇଛି । ଜିଲ୍ଲାର ଧରାକୋଟ, ଛତ୍ରପୁର, ଗଞ୍ଜାମ, ପାତ୍ରପୁର, ବେଲଗୁଣ୍ଠା ଆଦି ବ୍ଳକ୍ରେ ଗତକାଲି ସକାଳେ ୭ଘଣ୍ଟା ବେଳେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ବିଭନ୍ନ ବୁଥ୍ମାନଙ୍କରେ ବଢ଼ି ଭୋରରୁ ଲୋକଙ୍କ ଭିଡ଼ ଆରମ୍ଭ ହୋଇଥିବା ଦେଖାଯାଇଥିଲା । ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ପୋଲିସ ପହରା ଓ କଡାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟରଙ୍କ ଲମ୍ବାଲାଇନ, ଗହଳଚହଳ ବେଳେ ଭୋଟ ଦେବା ପାଇଁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖା ଦେଇଥିବା ପରିଲିଖିତ ହୋଇଛି । ଏପରିକି କେତେକ ସ୍ଥାନରେ ଲୋକମାନେ ପୋଲିସ ଓ ନିର୍ବାଚନ ପରିପ୍ରେକ୍ଷୀରେ କାର୍ଯ୍ୟରେ ଯୋଗ ଦେଇଥିବା ପ୍ରିଜାଇଡିଂ ଅଫିସର, ପୋଲିଙ୍ଗ ଅଫିସରଙ୍କୁ ମଧ୍ୟ ସହଯୋଗ କରି ମତଦାନ ସମ୍ପନ୍ନ କରାଯାଇଥିବା ଜଣାଯାଇଛି । ଗଞ୍ଜାମ ଜିଲ୍ଲା ସଦରମହକୁମା ଠାରୁ ନିକଟବର୍ତ୍ତୀ ପଞ୍ଚାୟତ ଅଞ୍ଚଳରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଭିନ୍ନ ବୁଥ୍ ପରିଦର୍ଶନ କରି ଏହାର ତଦାରଖ କରିଆସିଥିଲେ । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ବେସରକାରୀ ଭାବେ ଗଞ୍ଜାମ ଜିଲ୍ଲାରେ ପ୍ରାୟତଃ ୭୦ ପ୍ରତିଶତ ମତଦାନ ହୋଇଥିବା କୁହାଯାଇଛି । ପ୍ରକାଶ ଥାଉକି, ଜିଲ୍ଲାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ମାଧପୁର ଗ୍ରାମ ପଞ୍ଚାୟତର ମାଧପୁର ୬ ନମ୍ବର ବୁଥ୍ରେ ସର୍ବମୋଟ ୫୩୦ ଭୋଟରଙ୍କ ସ୍ଥାନରେ ୩୪୮ଜଣ ଲୋକ ଭୋଟ ଦେଇଛନ୍ତି । ସେହିପରି ବାଲିବଗଡ଼ରେ ୭୪.୩ ପ୍ରତିଶତ, ପୁରୁଣା ଛତ୍ରପୁରରେ ୭୨.୨ ପ୍ରତିଶତ ଆର୍ଯ୍ୟପଲ୍ଲୀରେ ୭ ହଜାର ଭୋଟରଙ୍କ ମଧ୍ୟରୁ ୩୮୦୦ଜଣ ଭୋଟ ଦେଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଗଞ୍ଜାମ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ପ୍ରାୟତଃ ୭୦ ପ୍ରତିଶତ ମତଦାନ ମିଳିଥିବା ସୂଚନା ମିଳିଛି ।