- ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ହେଲ୍ଥ ସୁପର୍ଭାଇଜର୍ ଲକ୍ଷ୍ମୀ ନାରାୟଣ ମହାରଣା ଜନ୍ମ ପ୍ରମାଣ ପତ୍ର ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି । ତଲଝାପି ପଞ୍ଚାୟତର ନିକେସଜୋର ଗ୍ରାମର ଅର୍ଜୁନ ନାଏକ, ବବଲୁ ନାଏକ ଓ ଘାସିରାମ ନାଏକଙ୍କ ଠାରୁ ଜନ୍ମ ପ୍ରମାଣ ପତ୍ର କରିଦେବା ପାଇଁ ଡାକ୍ତରଖାନାରେ କାର୍ଯ୍ୟରତ ସୁପର୍ଭାଇଜର୍ ଲକ୍ଷ୍ମୀ ମହାରଣା ଲାଞ୍ଚ ମାଗିଥିଲେ । ଏନେଇ ସମସ୍ତେ କଳାହାଣ୍ଡି ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଫୋନ ପେ’ ମାଧ୍ୟମରେ ୪,୦୦୦ ଟଙ୍କା ଲାଞ୍ଚ ନେବାବେଳେ ଆଗରୁ ଛପି ରହିଥିବା ଭିଜିଲାନ୍ସ ଲକ୍ଷ୍ମୀ ମହାରଣାଙ୍କୁ କାବୁ କରିଥିଲେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସନ୍ଦେହରେ ଅଭିଯୁକ୍ତ ମହାରଣାଙ୍କ ତିନୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଆଜିର ଚଢ଼ାଉରେ ଭିଜିଲାନ୍ସ ବିଭାଗ ପକ୍ଷରୁ କଳାହାଣ୍ଡି ଭିଜିଲାନ୍ସ ଡିଏସ୍ପି ପ୍ରଦୀପ ଆଇଣ୍ଡ, ଇନ୍ସପେକ୍ଟର ପ୍ରମିଳା ସୁନା, ଏଏସ୍ଆଇ ସଞ୍ଜୟ କୁମାର ସାହୁ, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ସାମିଲ ଥିଲେ । ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ବିଭାଗରେ ଏକ ମାମଲା ନ. ୭ ରୁଜ୍ଜୁ କରାଯାଇଥିବା ସୂଚନା ମିଳିଛି । ଅଧିକ ତଦନ୍ତ ଜାରି ରହିଛି ।