jayashree

ଭିଜିଲାନ୍ସ ଜାଲରେ କୋମନା ବନାଞ୍ଚଳ ଫରେଷ୍ଟର ଘନଶ୍ୟାମ ଶବର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବନାଞ୍ଚଳ ଅଧିନ ଫରେଷ୍ଟର ଘନଶ୍ୟାମ ଶବର ଭିଜିଲାନ୍ସ ଜାଲରେ ପଡିଥିବା ଜଣାପଡିଛି । ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ କୋମନା ସେକ୍ସନ ଫରେଷ୍ଟର ଶ୍ରୀ ଶବର ନିଜ ବାଇକ(ଓଡି ୨୬ ଏଫ ୪୦୭୫)ରେ ଖଡ଼ିଆଳ ସ୍ଥିତ ନିଜ ବାସ ଭବନକୁ ଯାଉଥିଲେ । ସନ୍ଧ୍ୟାରେ ଫରେଷ୍ଟର ଶ୍ରୀ ଶବର ଲକ୍ଷାଧିକ ଟଙ୍କା ଧରି ନିଜ ଘରକୁ ଯାଉଥିବା ଭିଜିଲାନ୍ସ ବିଭାଗ ପୂର୍ବରୁ ଖବର ପାଇଥିଲା । ଏହି ଖବର ଅନୁସାରେ ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଛକି ବସିଥିଲା । ଫରେଷ୍ଟର ଶ୍ରୀ ଶବର କୋମନା ଅଫିସରୁ ବାହାରି ଖଡ଼ିଆଳ ବାସ ଭବନକୁ ଯିବା ବାଟରେ ଜାତୀୟ ରାଜପଥ ୩୫୩ ଉପରେ ଭିଜିଲାନ୍ସ ଟିମ୍‌ ଚଢାଉ କରି ତଲାସି କରିଥିଲେ । ସେଠାରେ ଏକ ବ୍ୟାଗରେ ନଗଦ ୫ ଲକ୍ଷ ୫ ହଜାର ଟଙ୍କା ଧରିଥିଲେ । ଏହି ଟଙ୍କା କେଉଁଠୁ ଆସିଲା ବୋଲି ଫରେଷ୍ଟର ଶ୍ରୀ ଶବରଙ୍କୁ ଭିଜିଲାନ୍ସ ଅଧିକାରୀ ପଚାରିବାରୁ ସଠିକ୍ ଉତ୍ତର ଦେଇ ପାରିନଥିଲେ । ସେଠାରେ ନଗଦ ରାଶିକୁ ଜବତ କରି ଅଧିକ ତଦନ୍ତ ଚଳାଇଥିଲେ । ସେଠାରୁ ଫରେଷ୍ଟର ଶ୍ରୀ ଶବରଙ୍କୁ ଧରି ନିଜ ସରକାରୀ ବାସ ଭବନ ଓ ଅଫିସରେ ଚଢାଉ କରିଥିଲେ । କୋମନା ସ୍ଥିତ ସରକାରୀ ବାସ ଭବନରେ ଚଢାଉ କରି ୮ ଲକ୍ଷ ଟଙ୍କା ଠାବ କରିଥିଲେ । ତାଙ୍କର ଅଫିସରେ ତଲାସି କରି ଟେବୁଲ ଡ୍ରରୁ ୮୦ ହଜାର ଟଙ୍କା ଠାବ କରିଥିଲେ । ଏଭଳି ଫରେଷ୍ଟର ଶ୍ରୀ ଶବରଙ୍କ ଠାରୁ ମୋଟ ୧୩ ଲକ୍ଷ ୮୫ ହଜାର ଟଙ୍କା ଭିଜିଲାନ୍ସ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ । ଏବେ ରାତିରେ ଖଡ଼ିଆଳ ସ୍ଥିତ ବାସ ଭବନ ଓ ବରଗାଁ ପୈତୃକ ଘରେ ଭିଜିଲାନ୍ସ ଟିମର ଚଢାଉ ଜାରି ରହିଥିବା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏନେଇ ଭିଜିଲାନ୍ସ ଡିଏସ୍‌ପି ଦିନବନ୍ଧୁ ବେହେରାଙ୍କୁ ଯୋଗାଯୋଗ କରିବାରୁ ଫୋନ ଗ୍ରହଣ କରିନଥିବାରୁ ଅଧିକ ତଥ୍ୟ ମିଳି ପାରିନାହିଁ ।

Leave A Reply

Your email address will not be published.