ସଇଁନ୍ତଲା, (ଅଜିତ କୁମାର ସାହୁ) : ଟିଟିଲାଗଡ ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ତଥା ଅହେତୁକ ଯାନ ବାହାନ ବୃଦ୍ଧି ଏବଂ ମୁଖ୍ୟତଃ ରାସ୍ତା କଡର ଜବର୍ ଦଖଲ ଯୋଗୁଁ ଦିନକୁ ଦିନ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରି ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ କିଛିଦିନ ଧରି ଅଣ୍ଟା ଭିଡ଼ିଛି ଟିଟିଲାଗଡ ପୌର ପ୍ରଶାସନ । ସହର ମଧ୍ୟରେ ବେଆଇନ ପାର୍କିଂ ତଥା ଉଠା ଦୋକାନୀଙ୍କୁ ଉଚ୍ଛେଦ କରିବା ପାଇଁ ଏବଂ ଦେକାନ ଗୃହ ବାହାରେ ମୁଖ୍ୟ ରାସ୍ତାକୁ ମାଡ଼ି ବସିଥିବା ଦୋକାନୀମାନଙ୍କୁ ନିଜ ନିଜ ସୀମା ମଧ୍ୟରେ ରହିବା ପାଇଁ ଗତ କିଛିଦିନ ଧରି ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯାଇଥିଲେ ମଧ୍ୟ କିଛି କ୍ଷୁଦ୍ର ବ୍ୟବସାୟୀମାନେ ଏହାକୁ ଅଣଦେଖା କରିଥିଲେ । ଫଳରେ ପୌର ପରିଷଦ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ତଥା ଟିଟିଲାଗଡ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନ, ଟିଟିଲାଗଡ ଏସ୍ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ ଏବଂ ପୋଲିସ ଟିମ୍ ଓ ପୌର କର୍ମଚାରୀଙ୍କ ଏକ ମିଳିତ ଟିମ୍ ବାହାରି ଉପଜିଲ୍ଲାପାଳ ନିଜେ ଉପସ୍ଥିତ ଆଜି ସକାଳୁ ସହରର ପେଟ୍ରୋଲ ପମ୍ପ ଛକଠାରୁ ମାଉସୀ ମା’ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତା କଡର ଉଠା ଦୋକାନୀଙ୍କୁ ଉଠାଇ ଜବର ଦଖଲ ଉଚ୍ଛେଦ କରିଥିଲେ । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ଏକ ମୁଖ୍ୟ ସହର ହୋଇଥିବା ବେଳେ ଏଠାରେ କୋର୍ଟ, କଚେରି, ତହସିଲ ଅଫିସ, ମୁଖ୍ୟ ଡାକଘର ସମେତ ଚିକିତ୍ସାଳୟ ମଧ୍ୟ ରହିଛି । ଅପର ପକ୍ଷରେ ଦେଶର ଏହା ଏକ ପ୍ରମୁଖ ରେଳ ଜଙ୍କସନ ହୋଇଥିବା ଯୋଗୁଁ ପ୍ରତିଦିନ ଏଠାରେ ହଜାର ହଜାର ରେଳଯାତ୍ରୀଙ୍କ ଯାତାୟାତ ମଧ୍ୟ ହୋଇଥାଏ । ସହରର ସମସ୍ତ ମୁଖ୍ୟ ରାସ୍ତା ଅଣଓସାରିଆ ହୋଇଥିବା ଯୋଗୁଁ ଅନେକ ଯାନ ବାହାନ ବିଭିନ୍ନ ଦୋକାନ ସମ୍ମୁଖରେ ରହି ନିୟମିତ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ସହର ମଧ୍ୟରେ ବିଭିନ୍ନ ବ୍ୟାଙ୍କ ରାସ୍ତା ଉପରେ ଥିବା ବେଳେ ସେମାନଙ୍କ ନିଜସ୍ଵ ପାର୍କିଂ ବ୍ୟବସ୍ଥା ନଥିବା ଯୋଗୁଁ ବ୍ୟାଙ୍କ କାରବାର ସମୟରେ ରାସ୍ତା ଜାମ ଭଳି ପରିସ୍ଥିତି ପ୍ରତିଦିନ ସୃଷ୍ଟି ହୋଇଥାଏ । ଟ୍ରାଫିକ ସମସ୍ୟା ଯୋଗୁଁ ସହର ମଧ୍ୟରେ ବାରମ୍ବାର ବିଭିନ୍ନ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଥିବା ମଧ୍ୟ ନଜିର ରହିଛି । ରାସ୍ତା ଉପରେ ଗାଇ ଗୋରୁ ନ ଛାଡ଼ିବା ପାଇଁ ମଧ୍ୟ ପୌର ପରିଷଦ ତରଫରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଅନେକ ଥର ତାଗିଦ କରାଯାଇଥିବା ବେଳେ ଲୋକେ ଏହାକୁ ଭୃକ୍ଷେପ କରୁନଥିବା ଦେଖାଯାଇଛି । ସହର ମଧ୍ୟରେ ଟ୍ରାଫିକ ନିୟନ୍ତ୍ରଣ ଉଦ୍ଦେଶ୍ୟରେ କିଛିଦିନ ତଳେ ଟିଟିଲାଗଡ ଉପଜିଲ୍ଲାପାଳ ପତ୍ର ସଂଖ୍ୟା ୫୨୫୪/୧୨.୧୧.୨୦୨୧ ମାଧ୍ୟମରେ ଏକ ଆଦେଶ ଜାରି କରି ସହର ମଧ୍ୟକୁ ସକାଳ ୬ ଘଣ୍ଟାରୁ ରାତି ୧୦ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟିକ ଭାରି ଯାନର ପ୍ରବେଶକୁ ନିଷେଧ କରିଥିବା ବେଳେ କେବଳ ପିଡିଏସ୍ ଯୋଗାଣ ଗାଡ଼ିକୁ ଅନୁମତି ଦିଆଯାଇଛି । ତେବେ ରାସ୍ତା କଡ଼ର ଜବର ଦଖଲ ଉଚ୍ଛେଦ କରାଯିବା ସହ ୧୧ ଜଣ ଉଠା ଦୋକାନୀଙ୍କୁ ଲଟେରୀ ମାଧ୍ୟମରେ କିଛିଦିନ ପୂର୍ବରୁ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିବା ଭେଣ୍ଡିଙ୍ଗ ଜୋନରେ ଥଇଥାନ କରାଯାଇଛି । ତେବେ ଉପଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ସହରର ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି ।
Prev Post