ବାଉଁଶୁଣୀ : ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ । ଫଳରେ ୫ ଜଣ ଗୁରୁତର । ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଦମକଳ କେନ୍ଦ୍ର ନିକଟରେ ଏହି ଦୁର୍ଘଟଣା ହୋଇଛି । ସୂଚନା ମୁତାବକ, କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ବୋଲବମ୍ ଯାତ୍ରୀମାନେ ନୂଆପଡା ଅଞ୍ଚଳର କୌଣସି ଶୈବ ପୀଠରେ ପାଣି ଢାଳି ପିକ୍ଅପ୍ ଯୋଗେ ଫେରୁଥିଲେ । ହେଲେ ମଙ୍ଗଳବାର ଭୋର ୪ ଟାରୁ ବାଉଁଶୁଣୀ ଦମକଳ କେନ୍ଦ୍ର ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ପିକଅପ । ଫଳରେ ୬ ଜଣ ବୋଲବମ୍ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ଦୀନବନ୍ଧୁ ସାହୁ, ସୁମନ୍ତ କୁମାର ସାହୁ, ନାଲୁ ପ୍ରଧାନ, ବଳଭଦ୍ର ସାହୁ ଓ ଡ୍ରାଇଭର ସୂର୍ଯ୍ୟମଣି ଜେନା । ଏନେଇ ବାଉଁଶୁଣୀ ଅଗ୍ନିଶମ ବାହିନୀ ଓ ୧୦୮ ଆମ୍ବୁଲାନ୍ସ୍ ଯୋଗେ ସମସ୍ତ ଗୁରୁତରଙ୍କୁ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସମସ୍ତ ଯାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି ।
