
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭିନ୍ନକ୍ଷମ ମହାସଂଘର ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଭିନ୍ନକ୍ଷମ ମହାସଂଘର ସଭାପତି ଆନନ୍ଦ ରାଓ ଯୋଗଦାନ କରି ନିଜର ବକ୍ତବ୍ୟରେ ସମବେତ ଭିନ୍ନକ୍ଷମ ମାନଙ୍କୁ ସମ୍ବୋଧିତ କରି କହିଲେ ଯେ ଭିନ୍ନକ୍ଷମ ହେଉଛନ୍ତି ସାକ୍ଷାତ ଭଗବାନ, ସେମାନଙ୍କ ମୁହଁରେ ହସ ଫୁଟାଇବା ସମସ୍ତଙ୍କ ଦାୟିତ୍ୱ । ତା ସହ ଭିନ୍ନକ୍ଷମ ମାନଙ୍କ ଅଧିକାର ପାଇଁ ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ଏକତ୍ରିତ ହେବା ନିମନ୍ତେ ଆହ୍ୱାନ କରିଥିଲେ । ଏହି ପରିପ୍ରେକ୍ଷୀରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ପୁଷ୍ପଲତା ଦିକ୍ସିଟ ଯୋଗଦେଇ ତାଙ୍କ ଅଭିଭାଷଣରେ ଉପସ୍ଥିତ ଦିବ୍ୟାଙ୍ଗଙ୍କୁ ଏକତ୍ରିତ ହେବା ନିମନ୍ତେ ଆହ୍ୱନ କରିବା ସହିତ ସରକାରୀ ଯୋଜନାର ଲାଭ ଉଠାଇବା ନିମନ୍ତେ ସଚେତନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ବସନ୍ତ ପ୍ରଧାନ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣ ରଖିବା ସହ ଭିନ୍ନକ୍ଷମ ସଶକ୍ତି କରଣ ଓ ସମାବେଶି ସମାଜ ଗଠନ ଉପରେ ଉପସ୍ଥିତ ଭିନ୍ନକ୍ଷମ ମାନଙ୍କୁ ଆଲୋକପାତ କରାଇଥିଲେ । ଏହି କାର୍ଯ୍ୟକର୍ମରେ ଅତିଥି ଭାବେ ଅବସର ପ୍ରାପ୍ତ ବିଶେଷଜ୍ଞ ଶିକ୍ଷା ତଥା ବୁଦ୍ଧିଜୀବୀ ଓ ସମାଜସେବୀ ଭାବେ ପରିଚିତ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ଉପସ୍ଥିତ ଭିନ୍ନକ୍ଷମ ମାନଙ୍କୁ ସେମାନଙ୍କ ଜୀବନର ଉଦ୍ଦେଶ୍ୟ ବିଷୟରେ ଦିଗଦର୍ଶନ ଦେବା ସହ ସେମାନଙ୍କ ପାଖରେ ଏକ ଭିନ୍ନ ପ୍ରକାର ଶକ୍ତି ଥିବା କଥା କହି ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କ ମନୋବଳ ବଢାଇ ଥିଲେ । ଏହି କାର୍ଯ୍ୟକର୍ମରେ ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସୁପ୍ରିତ ସନ୍ତୋଷ ବଛା ଯୋଗ ଦେଇ ଭିନ୍ନକ୍ଷମ ପ୍ରତିଭାମାନଙ୍କ ମନୋବଳ ବଢାଇବା ସହ ସେମାନଙ୍କୁ ସଙ୍ଗୀତ ପରିବେଷଣରେ ଅଗ୍ରାଧିକାର ଦିଆଯିବ ବୋଲି ପ୍ରତିଶ୍ର୍ରୁତି ଦେଇଛନ୍ତି । ଏହାପରେ ସଂଘର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସଦସ୍ୟ ମାନଙ୍କୁ ସେମାନଙ୍କ କାର୍ଯ୍ୟ ନିମନ୍ତେ ଉପସ୍ଥିତ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୧ଟି ବ୍ଲକ, ମ୍ୟୁନିସିପାଲିଟି ଏନ୍ଏସିରୁ ସମସ୍ତ ଭିନ୍ନକ୍ଷମ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମର ଶେଷରେ ସଂଘର ସଭାପତି ଶିଶିର ରାଉଳ ଓ ସମ୍ପାଦକ ଅମରେନ୍ଦ୍ର ନାଥି ଉପସ୍ଥିତ ଅତିଥି, ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଓ ଉପସ୍ଥିତ ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭାସାଙ୍ଗ କରିଥିଲେ ।