
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଜାରି କରାଯାଇଛି । ଡେଲାଙ୍ଗ ବ୍ଲକ ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ ରେଞ୍ଚ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ନଂ ବୁଥରେ କେତେକ ଅବ୍ୟବସ୍ଥା ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଓ ଅସନ୍ତୋଷ ପ୍ରକାଶ ପାଇଥିବା ଖବର ମିଳିଛି । ତେବେ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ହସ୍ତକ୍ଷେପ ଯୋଗୁଁ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ବୁଥରେ ୮ଶହରୁ ଅଧିକ ଭୋଟର ଥିବା ବେଳେ ସୁରୁଖୁରୁରେ ମତଦାନ ପାଇଁ ଏତେ ସଂଖ୍ୟକ ଲୋକଙ୍କ ନିମନ୍ତେ ମାତ୍ର ଗୋଟିଏ ବଖରା ଭୋଟ ଗ୍ରହଣ କେନ୍ଦ୍ର ବ୍ୟବସ୍ଥା କରାଯାଇଥିବାରୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ଗୋଟିଏ ଦ୍ୱାର ଦେଇ ହେଉଥିବାରୁ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା ।ସରକାରଙ୍କ କୋଭିଡ ନିୟମର ଏଠାରେ ଶକ୍ତ ଉଲଙ୍ଘନ ହୋଇଥିବା ନେଇ ସ୍ବେଚ୍ଛାସେବୀ ତ୍ରିଲୋଚନ ମହାରଣା ଅଭିଯୋଗ କରିଛନ୍ତି । ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ହୁଇଲ ଚେୟାର ବନ୍ଦୋବସ୍ତ କରିବା, ଭୋଟରଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଖରାରୁ ସୁରକ୍ଷା ପାଇଁ ତମ୍ବୁର ବ୍ୟବସ୍ଥା କରାଯାଇ ନ ଥିବାରୁ ଲମ୍ବା ଧାଡିରେ ଦୀର୍ଘ ସମୟ ଧରି ଭୋଟରମାନେ ଖୋଲା ଆକାଶ ତଳେ ଠିଆହୋଇ ମତଦାନ କରିବାକୁ ଅପେକ୍ଷା କରିଥିବା ଦେଖାଯାଇଥିଲା । ଏପରିକି ଭୋଟ ଗ୍ରହଣ କେନ୍ଦ୍ରରେ ଗୋପନୀୟ ମତଦାନ କରିବା ପାଇଁ ହୋଇଥିବା ଅସ୍ଥାୟୀ କୋଠରୀ ଚତୁଃପାର୍ଶ୍ଵରେ କନା ପରିବର୍ତ୍ତେ ବେଡ଼ସିଟ ଦ୍ୱାରା ଆବଦ୍ଧ କରାଯାଇଥିବା ନେଇ ଭୋଟରମାନେ ଅଭିଯୋଗ କରିଛନ୍ତି ।ସେହିପରି ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ପ୍ରଭାତ କ୍ଲବ ସମ୍ପାଦକ ପଦ୍ମନାଭ ବରାଳଙ୍କ ଭୋଟର ତାଲିକାରେ ନାମ ନ ଥିବାରୁ ସେ ମତଦାନ ଅଧିକାରରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।ତେବେ ସ୍ବେଚ୍ଛାସେବୀ ଶ୍ରୀ ମହାରଣା ଏବଂ ପ୍ରଭାତ କ୍ଲବ ସମ୍ପାଦକ ଶ୍ରୀ ବରାଳ ଲୋକଙ୍କୁ ବୁଝାସୁଝା କରିବା ପରେ ସେମାନେ ଭୋଟ ଦେଇଥିବା ଜଣାପଡିଛି । ଭୋଟରମାନଙ୍କ ସୁବିଧା ପାଇଁ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଆଗାମୀ ଦିନରେ ସମସ୍ତ କାର୍ୟ୍ୟ ସୁବ୍ୟବସ୍ଥିତ କରିବା ନିମନ୍ତେ ସ୍ବେଚ୍ଛାସେବୀଙ୍କ ସମେତ ଜନସାଧାରଣ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।