ଟାଉନ ଥାନାରେ ଯୁବକଙ୍କ ସଂଦେହ ଜନକ ମୃତ୍ୟୁ : ସହରରେ ଉତ୍ତେଜନା ସୃଷ୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ରାତିରେ ବରଗଡ଼ ଟାଉନ ପୋଲିସ ଏକ ପୁରୁଣା ଗଣ୍ଡଗୋଳ କେସ୍‌ରେ ଜନୈକ ଯୁବକଙ୍କୁ ଦିନଟିଏ ପାଇଁ ଆଣିବା ପରେ ଥାନାରେ ଥିବା ଉକ୍ତ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଆଜି ବରଗଡ଼ରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭଙ୍ଗାରୁଜା କରିବା ସହ ମୃତ ଦେହକୁ ଗାନ୍ଧୀ ଛକଠାରେ ରାସ୍ତାରେ ରଖି ରାସ୍ତା ଅବରୋଧ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ରାତିରେ ବରଗଡ଼ ଟାଉନ ଥାନାର ପୋଲିସ ତୋରାର ଜନୈକ ଯୁବକ ଗୋବିନ୍ଦ କୁମ୍ଭାରଙ୍କୁ ଥାନାକୁ ଆଣିଥିଲେ । ମାସେ ଆଗରୁ ଏକ ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଗୋବିନ୍ଦଙ୍କୁ ଥାନାକୁ ଅଣାଯାଇଥିଲା । ପୋଲିସର ସୂଚନା ଅନୁସାରେ ଭୋରରେ ଗୋବିନ୍ଦଙ୍କ ଦେହ ହଠାତ ଖରାପ ହେବାରୁ ତାଙ୍କୁ ପ୍ରଥମେ ବରଗଡ଼ ସହରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଖେଦାପାଲି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସହରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନାରେ ଭଙ୍ଗାରୁଜା କରିଥିଲେ । ପରେ ମୃତ ଦେହ ସେଠାରୁ ଆଣି ବରଗଡ଼ ଗାନ୍ଧିଛକ ଠାରେ ରାସ୍ତା ଅବରୋଧ କରିଥିଲେ । ମୃତ ଯୁବକଙ୍କ ଶବ ରାସ୍ତା ଉପରେ ରଖି ଉତ୍ତ୍ୟକ୍ତ ଲୋକେ ରାସ୍ତରୋକ କରିଥିବା ବେଳେ ହଠାତ ପରିସ୍ଥିତି ଅଣାୟତ୍ତ ହୋଇପଡିଥିବା ସୂଚନା ଳିଳିଛି । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ଯାଇ ପୋଲିସ ଲାଠି ଚାର୍ଜ କରିଥିବା ସୂଚନା ମିଳିଛି । ଫଳରେ କିଛି ଲୋକ ଆହତ ହୋଇଥିବା ଖବର ମିଳିଛି । ବର୍ତ୍ତମାନ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ସାରା ଅଞ୍ଚଳ ପୋଲିସ ଛାଉଣୀରେ ପରିଣତ ହୋଇଛି । ଏସପି ଅଫିସ ଛକରେ ପୋଲିସ ଫ୍ଲାଗମାର୍ଚ୍ଚ କରିବା ସହ ପରିସ୍ଥିତି ପ୍ରତି ନଜର ରଖିଛି । ପୋଲିସ କର୍ଡନରେ ମୃତଦେହ ପୋଷ୍ଟମର୍ଟମ ପାଇଁ ନିଆଯାଇଛି । ଆସନ୍ତାକାଲି ସକାଳେ ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି । ଡ଼ିଆଇଜି ଜୟନାରାୟନ ପଙ୍କଜ ପରିସ୍ଥିତିର ଅନୁଧ୍ୟାନ ପାଇଁ ବରଗଡ଼ରେ ପହଞ୍ଚି ବରଗଡ଼ ଏସପି ଅଫିସରେ ଘଟଣାର ସମୀକ୍ଷା କରୁଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ଏହି ବୈଠକକୁ ଡକାଯାଇ ଆଲୋଚନା କରାଯାଉଥିବା ସୂଚନା ମିଳିଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ବୈଠକରେ ଉପସ୍ଥିତ ଅଛନ୍ତି । ସହରରେ ଚାପା ଉତ୍ତେଜନା ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.