ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ବାର୍ଷିକ ଉତ୍ସବ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଭାରତବର୍ଷରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ବେଳେ ଏହି ଅବସରରେ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାନେତ୍ରୀ ସଂଯୁକ୍ତା ପରିଚ୍ଛାଙ୍କ ସଭାପତିତ୍ୱରେ ଡ. ଗୋବର୍ଦ୍ଧନ ସାହୁ ମୁଖ୍ୟ ଅତିଥି, ଡ. ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ଘନଶ୍ୟାମ ଅଗ୍ରୱାଲ ଯୋଗ ଦେଇଥିଲେ । ମୁଖପତ୍ର ପାଟଣା ସୌରଭ ଓ କବି ରାଜ କିଶୋର ଭୋଇଙ୍କ ସୀତା ବିବାହ ପୁସ୍ତକ ଉନ୍ମୋଚିତ ହେବା ସହିତ ଡ. ସଂଜୟ କୁମାର ପଣ୍ଡା, ବୌଦ୍ଧଙ୍କୁ ବିପିନ ବିହାରୀ ପରିଚ୍ଛା ସ୍ମୃତି ସମ୍ମାନ, ଜ୍ୟୋର୍ତିବିଦ ଅଭିମନ୍ୟୁ ମିଶ୍ରଙ୍କୁ ଗ୍ରାମ୍ୟକବି ଚୂଡାମଣି ପାଣିଗ୍ରାହୀ ସ୍ମୃତି ସମ୍ମାନ, ଅମୃତଲାଲ ସାହୁଙ୍କୁ ପାଟଣେଶ୍ୱରୀ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ରକ୍ଷକ ତଥା ଜୁନିୟର ରେଡକ୍ରସ୍‌ ପରାମର୍ଶଦାତା ବିରଂଚି ନାରାୟଣ ଦାଶ ୨୦୨୧ ମସିହା ସହୀଦ ଦିବସରେ ରକ୍ତଦାନ ଶିବିର ଆୟୋଜିତ କରି ଗିନିଜ ବୁକ୍‌ରେ ସ୍ଥାନୀତ ହୋଇଥିବାରୁ ନିଫା ତରଫରୁ ତାଙ୍କୁ ଆନ୍ତର୍ଜାତିକ ଲାଇଫ ସେଭର ଏୱାର୍ଡ ପୂର୍ବକ ପ୍ରମାଣପତ୍ର ଓ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା । ସଂପାଦିକା ସୁଶ୍ରୀ ସବିତା ଭୋଇ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଡ. ସୁଧାଂଶୁ ଶେଖର ମିଶ୍ର ସଭା ପରିଚାଳନା, ଡ. ନକୁଳ ମେହେର ଅତିଥି ପରିଚୟ ଓ ଟ୍ରଷ୍ଟର ସଭ୍ୟ ବିରଂଚି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସତ୍ୟାନନ୍ଦ ଖମାରୀଙ୍କ ସଭାପତିତ୍ୱରେ ସଂଯୁକ୍ତା ଚନ୍ଦନ, ଦେବରାଜ ପାଣିଗ୍ରାହୀ ଓ ବିଘ୍ନରାଜ ଯୋଷୀଙ୍କ ସଂଯୋଜନାରେ ଶତାଧିକ କବି କବିତା ପାଠ କରିଥିଲେ । ପରିଶେଷରେ ବିରଂଚି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.