ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୧ତମ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୧ତମ ବାର୍ଷିକ ଉତ୍ସବ କୁଶୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ (ଶିକ୍ଷା ବିକାଶ ସମିତି ଓଡିଶାଙ୍କ ବିଦ୍ୱତ ପରିଷଦ ସଭାପତି) ଡ଼ଃ. ବାଞ୍ଛାନିଧି ପଣ୍ଡା ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଆମ ଭାରତୀୟ ସଂସ୍କୃତି ଉପରେ ମାର୍ଗ ଦର୍ଶନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇ ଯୋଗଦେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରଦତ୍ତ ସିଏସ୍‌ଆର୍‌ ଫଣ୍ଡ ଏମ୍‌ସିଏଲ୍‌ରୁ ୩୦ ଲକ୍ଷ ୯୬ ହଜାର ଅଟକଳ ମୂଲ୍ୟରେ ନିର୍ମିତ ହେବାକୁ ଥିବା ବିଜ୍ଞାନଗାର ଓ ପାଠାଗାର ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶ୍ଵ ହିନ୍ଦୁ ପରିଷଦ, ଓଡିଶା ପଶ୍ଚିମ ପ୍ରାନ୍ତ ସଭାପତି ଭକ୍ତ ଚରଣ ସାହୁ ଯୋଗ ଦେଇ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଓ ଏକକ ତଥା ସଂଯୁକ୍ତ ପରିବାର ବିଷୟରେ ଆଲୋକ ପାତ କରିଥିଲେ । ଭାଇଭଉଣୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ ପରେ ପରେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ପୃଥିରାଜ ସାହୁ ଆର୍ଶିବଚନ ପ୍ରଦାନ କରିଥିଲେ । ସମ୍ପାଦକ ଜନକଲାଲ ମେହେର ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ବାର୍ଷିକ ମୁଖପତ୍ର ଅରୁଣ ଉନ୍ମୋଚିତ ହୋଇଥିଲା । ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଭକ୍ତଚରଣ ସାହୁ, ଆଶିଷ କୁମାର ମିଶ୍ର, ଡ଼ଃ. ଶଙ୍କର ରାମଚନ୍ଦାନୀ, ସମାଜସେବୀ ନିରୋଜ ଦୋରା, ଶ୍ରୀମତୀ ଉମା ପ୍ରଧାନ ପ୍ରଭୃତିଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମର୍ଦ୍ଧିତ କରାଯାଇଥିବା ବେଳେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବାର୍ଷିକ ବିଭିନ୍ନ ପ୍ରତିଯୋଗିତା ତଥା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ସତ୍ୟ ନାରାୟଣ ସାହା ସଂଯୋଜନା କରିଥିଲେ । କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀମତୀ କଲ୍ୟାଣୀ ମିଶ୍ର ସଂଯୋଜନା କରିଥିଲେ । ପରେ ଶିଶୁ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉତ୍ସବ ପ୍ରମୁଖ ସୁକାନ୍ତ କିଶୋର ସାହୁଙ୍କ ତତ୍ୱାବଧାନରେ ଅରୁଣ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଭାଇ ଭଉଣୀ ମାନଙ୍କ ମଧ୍ୟରେ ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଯୋଗାସନ ପିରାମିଡ, ରାମାୟଣ, ଦୁଲଦୁଲି ବଜା, ନାଟ୍ୟକାର କେଶରଂଜନ ପ୍ରଧାନଙ୍କ ନିର୍ଦ୍ଦେଶନାରେ ନାଟକ ଗୁଣାଢ଼୍ୟ ପ୍ରଦର୍ଶିତ ହୋଇଥିଲା । ଭାଇ ଭଉଣୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପରିଚାଳନା ସମିତି, ପୁରାତନ ଛାତ୍ର ସଂସଦର ସଭ୍ୟସଭ୍ୟା, ମାତୃ ଭାରତୀର ସଦସ୍ୟ ତଥା ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.