ବଲାଙ୍ଗିର ହେବ ହରଡ଼ ବିହନ ଉତ୍ପାଦନର ଅଗ୍ରଣୀ ଜିଲ୍ଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଓ ଅନ୍ତର୍ଜାତୀୟ ଶୁଷ୍କାଂଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡା)ଙ୍କ ମିଳିତ ଆନୁକୂଲ୍ୟରେ ବିଲୁପ୍ତ ପ୍ରାୟ ଫସଲ ସମୂହର ପୁନରୁଦ୍ଧାର ନିମନ୍ତେ ଦୀର୍ଘସ୍ଥାୟୀ ସଘନ କୃଷି ଯୋଜନା ମାଧ୍ୟମରେ ଏକ ହଜାର ହେକ୍ଟରରେ ଅଧିକ ଅମଳକ୍ଷମ ହରଡ଼ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ହରଡ଼ ବିହନ ଉତ୍ପାଦନରେ ଆମ ରାଜ୍ୟକୁ ସ୍ୱାବଲମ୍ବୀ କରିବା ସହିତ ଚାଷୀମାନଙ୍କର ଆର୍ଥିକ ଉନ୍ନତି ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ପ୍ରଣୟନ କରାଯାଇଛି । ଏହି କ୍ରମରେ ଆଜି ଇକାର୍ଡା ସଂସ୍ଥାର ଆଂଚଳିକ ସଂଯୋଜକ (ଦକ୍ଷିଣ ଏସିଆ ଓ ଚୀନ) ଡ.ଶିବ କୁମାର ଅଗ୍ରୱାଲ ଓ ଓଡ଼ିଶା ପ୍ରତିନିଧି ଡ.କିଶୋର କୁମାର ବେହେରା ଦେଓଗାଁ ବ୍ଲକ୍‌ର ପରୁଆଭାଡ଼ି ଗ୍ରାମରେ ପରୀକ୍ଷାମୂଳକ ଭାବରେ ଚାଷ କରାଯାଇଥିବା ଅଧିକ ଅମଳକ୍ଷମ ହରଡ଼ ବିହନ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ଗ୍ରାମରେ ୧୦ଟି ପ୍ରଜାତିର ଅଧିକ ଅମଳକ୍ଷମ ହରଡ଼ ବିହନର ପରୀକ୍ଷାମୂଳକ ଭାବରେ ଚାଷ କରାଯାଇଛି । ଏହି କ୍ଷେତ୍ର ପରିଦର୍ଶନ ସହିତ ଦେଓଗାଁ ଓ ପାଟଣାଗଡ଼ ବ୍ଲକ୍‌ର ବିଭିନ୍ନ ଅଗ୍ରଣୀ ଚାଷୀଙ୍କ ହରଡ଼ ବିହନ ଉତ୍ପାଦନ କ୍ଷେତ୍ରକୁ ଡ. ଅଗ୍ରୱାଲ ନିରୀକ୍ଷଣ କରିଥିଲେ । ପରିଦର୍ଶନ ପରେ ଜିଲ୍ଲାର ହରଡ଼ ବିହନ ଉତ୍ପାଦନକାରୀ ଅଗ୍ରଣୀ ଚାଷୀମାନଙ୍କ ସହିତ ମତ ବିନିମୟ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ଯୋଜନାରେ ଗତ ୩ ବର୍ଷରେ ବଲାଙ୍ଗିର ଜିଲ୍ଲାରେ ହରଡ଼ ବିହନ ଉତ୍ପାଦନ କରି ଏକ ହଜାର କ୍ୱିଣ୍ଟାଲ୍‌ରୁ ଅଧିକ ଅମଳକ୍ଷମ ହରଡ଼ ବିହନକୁ ଓଡ଼ିଶା ରାଜ୍ୟ ବିହନ ନିଗମକୁ ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରି ବଲାଙ୍ଗିରକୁ ହରଡ଼ ବିହନ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ବିଭିନ୍ନ ଦିଗ ଉପରେ ଚାଷୀମାନଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.