- ମୁଖ୍ୟ ଅତିଥି ଭାବେ ଯୋଗଦେବେ ଓଡ଼ିଶା ରାଜ୍ୟପାଳ
ଭୁବନେଶ୍ୱର, (କେପିଏନ୍ଏସ୍) : ୧୯୩୦ ମସିହାରୁ ବ୍ରହ୍ମପୁର ସହରରୁ ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ସାପ୍ତାହିକ ନବୀନ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ୯୩ ବର୍ଷରେ ପଦାର୍ପଣ କରିଛି । ଏହି ପରିପ୍ରେକ୍ଷୀରେ ନବୀନର ସ୍ୱନକ୍ଷତ୍ର ଉତ୍ସବ ଆସନ୍ତା ଅଗଷ୍ଟ ୩ ତାରିଖ ବୁଧବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ଆୟୋଜିତ ହେବ । ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଛନ୍ତି । ଏଥିସହ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବିଜେବି କଲେଜର ଅବସରପ୍ରାପ୍ତ ଇତିହାସ ବିଭାଗ ପ୍ରାଧ୍ୟାପକ ଡ଼. କୈଳାସ ଚନ୍ଦ୍ର ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ନବୀନର ପ୍ରତିଷ୍ଠାତା କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ଉଦ୍ଦେଶ୍ୟରେ ଦୁଇ ବିଶିଷ୍ଟ ପ୍ରତିଭାଧାରୀ ଶୋଭାର ସମ୍ପାଦକ ସଞ୍ଜିତ ପଟ୍ଟନାୟକ (କୋରାପୁଟ) ଓ ସମାଜସେବୀ ତଥା କ୍ରୀଡ଼ା ସଂସ୍କୃତିପ୍ରେମୀ ଏସ୍. ଅଜିତ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେହିପରି ନବୀନର ଏକ ସ୍ୱତନ୍ତ୍ର ଆକର୍ଷଣୀୟ ସଂଖ୍ୟା ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହେବ । ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦେଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବାକୁ ନବୀନର ସମ୍ପାଦକ ରବି ରଥ ଅନୁରୋଧ କରିଛନ୍ତି ।