ଜୟପାଟଣା, (ଶେଷଦେବ ବେହେରା) : ସର୍ବଶିକ୍ଷା ଅଭିଯାନ ଲାଗୁ ହେବା ପରେ ସରକାର ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପାଇଁ ପ୍ରୟାସ କରିଛନ୍ତି । କିନ୍ତୁ ଉଚ୍ଚ ଶିକ୍ଷା ପାଇଁ ଅନେକାଂଶ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ନଥିବାରୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆଗ୍ରହ ଥାଇ ସୁଦ୍ଧା ଗମନାଗମନରେ ଭୌଗୋଳିକ ପ୍ରତିବନ୍ଧକ ଶିକ୍ଷା ପ୍ରାପ୍ତିରେ ବ୍ୟାଘାତ ଆଣିଥାଏ । ଫଳରେ ବିଦ୍ୟାଳୟ ପ୍ରତି ଆଗ୍ରହ ଥାଇ ମଧ୍ୟ ବର୍ଷା ମାସ ଆସିଲେ କାଦୁଅ ପଚ୍ପଚ୍ ରାସ୍ତା ସାଙ୍ଗକୁ ଭରା ନଈ ବାଟ ଉଗାଡ଼ି ଥାଏ । ସେହି ସମୟରେ ହିଁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବିଦ୍ୟାଳୟରେ ଶୂନ୍ ହୋଇଯାଏ । କଳାହାଣ୍ଡି ଜିଲ୍ଲା ଜୟାଟଣା ବ୍ଲକ ଅନ୍ତର୍ଗତ ଧନସୁଳି ପଞ୍ଚାୟତର କେନ୍ଦୁଗୁଡ଼ା ଗ୍ରାମର ୬୧ ବର୍ଷର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପଣ୍ଡି, ଚାନ୍ଦପୁର, ସାନ କର୍ଲାକୋର୍ଟ ଆଦି ଗାଁମାନଙ୍କରୁ ନିମ୍ନ ପ୍ରାଥମିକ ଶିକ୍ଷା ଲାଭ ପରେ ଏହି ବିଦ୍ୟାଳୟ ଉପରେ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢିବା ପାଇଁ ଅନେକେ ଭରସା ରଖିଥାନ୍ତି । ବିଦ୍ୟାଳୟରେ ୭୪ ଜଣ ଛାତ୍ର ଅଧ୍ୟୟନ କରୁଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୫୬ ସହ ମୋଟ ୧୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ । ଏହି ବିଦ୍ୟାଳୟ ଉପରେ ନିର୍ଭର କରି ୨ କି.ମି ଦୂରେ ଅବସ୍ଥିତ ଚାନ୍ଦପୁର ଗ୍ରାମର ୫ଜଣ ଛାତ୍ର ଓ ୧୨ ଜଣ ଛାତ୍ରୀ ନିୟମିତ ଭାବରେ କେନ୍ଦୁଗୁଡା ବିଦ୍ୟାଳୟରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପାଠ ପଢିଥାନ୍ତି । ବର୍ଷା ଆସିଲେ ଏ ମାନଙ୍କ ପାଇଁ ବ୍ୟାଘାତ ସାଜି ଥାଏ ଜଙ୍ଗଲ ରାସ୍ତା କାଦୁଅ ପଚ୍ପଚ୍ ସଡ଼କ ଓ ପରିଶେଷରେ ଚିରଶ୍ରୋତା ହାତୀ ନଦୀ । ଏହି ସବୁ ଭୌଗୋଳିକ ପ୍ରତିବନ୍ଧକକୁ ଅତିକ୍ରମ କରି ସ୍କୁଲ ଆସିବା ଛାତ୍ରଛାତ୍ରୀଙ୍କ ପାଇଁ ଅସମ୍ଭବ ହୋଇ ପଡେ । ଏବେ ସରକାର ବିକାଶ ମୁହା ହୋଇଥିବା ବେଳେ ଗ୍ରାମାଞ୍ଚଳ ମାନଙ୍କର ସଂଯୋଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାପ୍ରାପ୍ତିର ଆବେଗକୁ ବିଶେଷ ଗୁରୁତ୍ୱ ଦେବା ପାଇଁ ସଂପୃକ୍ତ ଅଭିଭାବକମାନେ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ କେନ୍ଦୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା ସଭାପତି ବୀରବଲ୍ ଧଙ୍ଗଣାମାଝୀ ମଧ୍ୟ ଚାନ୍ଦପୁର କେନ୍ଦୁଗୁଡା ରାସ୍ତାର ଉନ୍ନତି କରଣ ସହ ହାତୀନଦୀ ଉପରେ ଏକ ପୋଲ ନିର୍ମାଣ କରି ସ୍ଥାନୀୟ ଅଧିବାସୀ ଓ ଛାତ୍ରଛାତ୍ରୀଙ୍କ ଅନେକ ଦିନର ଆଶା ପୁରାଣ ପାଇଁ ଦାବି ଜଣାଇଛନ୍ତି ।