ଛାତ୍ରଛାତ୍ରୀ ବସିଛନ୍ତି ଧାରଣାରେ, ଉପସ୍ଥାନ ପଡୁଛି ବିଦ୍ୟାଳୟରେ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫୁଲଝର ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମନମାନି ଚାଲିଥିବା ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ ମଧ୍ୟ ସ୍କୁଲ ରେଜିଷ୍ଟରରେ ଉପସ୍ଥିତ ବୋଲି ଲେଖା ହେଉଛି । ସୂଚନାନୁଯାୟୀ, ବୁଧବାର ଫୁଲଝର ଗ୍ରାମବାସୀମାନଙ୍କ ଦ୍ୱାରା ଫୁଲଝର ଛକ ଠାରେ ରାଜରାସ୍ତା ଅବରୋଧ କରୁଥିବା ସମୟରେ ଫୁଲଝର ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ପ୍ରଧାନ ଶିକ୍ଷକ ନାରାୟଣ କିଷାନଙ୍କୁ ଯୋଗାଯୋଗ କରାଯିବାରୁ ସେ ଯେଉଁ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ, ସେମାନଙ୍କୁ ସ୍କୁଲରେ ଉପସ୍ଥିତ ଅଛନ୍ତି ବୋଲି ପ୍ରକାଶ କରିଥିଲେ । ଏନେଇ ଛାତ୍ର ଉପସ୍ଥାନ ଦେଖିବାରୁ ଅନୁପସ୍ଥିତ ଥିବା ଛାତ୍ରମାନଙ୍କୁ ଉପସ୍ଥିତ ଥିବା ଦର୍ଶାଯାଇଛି । ଏହାପରେ ନିଜେ ପ୍ରଧାନ ଶିକ୍ଷକ ଭୁଲ ବଶତଃ ହୋଇଯାଇଛି ବୋଲି ନିଜ ଦୋଷ ସ୍ୱୀକାର କରିଥିଲେ । ଯଦି ଉପାନ୍ତ ଅଞ୍ଚଳମାନଙ୍କରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ଦର୍ଶାଇ ସରକାରଙ୍କ ଦ୍ୱାରା ଯୋଗାଉ ଥିବା ଏମଡିଏମକୁ ହରଣ ଚାଳ କରୁଥିବା ସହିତ ଅନ୍ୟାନ୍ୟ ସରକାରଙ୍କ ଯୋଜନା ଗୁଡିକୁ କ’ଣ ନ କରୁଥିବେ ତାହା ଏଠାରୁ ସ୍ପଷ୍ଟ ଭାବରେ ଜଣାପଡୁଛି ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ପ୍ରଧାନ ଶିକ୍ଷକ କାହାରିକୁ ଖାତିର ନ କରି ଏକ ଛତ୍ରବାଦ ନୀତିରେ ବିଦ୍ୟାଳୟକୁ ପରିଚାଳନା କରୁଥିବା ନେଇ ଆଲୋଚନା ହେଉଛି । ଏନେଇ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ଯୋଗାଯୋଗ କରାଯିବାରୁ, ଏ ବିଷୟରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ପ୍ରତିକ୍ରିୟା ଦେଇଥିଲେ ।

Leave A Reply

Your email address will not be published.