ଭୁବନେଶ୍ୱର, (କେପିଏନ୍ଏସ୍) : ଭାରତୀୟ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ରର ପ୍ରାଚୀନ ଓ ଗଭୀର ପରମ୍ପରାକୁ ନୂତନ ଗବେଷଣାତ୍ମକ ଦୃଷ୍ଟିକୋଣରେ ପ୍ରସ୍ତୁତ କରୁଥିବା ବିଦ୍ୱାନମାନଙ୍କ ମଧ୍ୟରେ ଓଡ଼ିଶାର ନାମକୁ ଜାତୀୟ ସ୍ତରରେ ଉଜ୍ଜ୍ୱଳ କରିଛନ୍ତି ଡ଼ଃ ସୀତାକାନ୍ତ କର । ବୁଦ୍ଧ ବିହାର, ଭୁବନେଶ୍ୱରରେ ଆୟୋଜିତ ମହର୍ଷି ପରାଶର ଜ୍ୟୋତିଷ–ବାସ୍ତୁ ଜାତୀୟ ସମ୍ମିଳନୀ–୨୦୨୬ ଅବସରରେ ତାଙ୍କୁ ଗରିମାମୟ “ଜ୍ୟୋତିଷ ବଶିଷ୍ଠ” ଉପାଧି ପ୍ରଦାନ କରାଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ ଅଧୀନ ସଦାଶିବ ପରିସର, ପୁରୀର ପ୍ରାଚାର୍ଯ୍ୟ ଏବଂ ଜ୍ୟୋତିଷ ଶାସ୍ତ୍ରର ମାନ୍ୟତାପ୍ରାପ୍ତ ବିଦ୍ୱାନ ପ୍ରୋଫେସର ପ୍ରଭାତ ରଞ୍ଜନ ମହାପାତ୍ର ଗରିମାମୟ ଉପସ୍ଥିତି ରଖିଥିଲେ । ତାଙ୍କର କରକମଳରୁ ଡ଼ଃ ସୀତାକାନ୍ତ କରଙ୍କୁ ଏହି “ଜ୍ୟୋତିଷ ବଶିଷ୍ଠ” ଉପାଧି ପ୍ରଦାନ କରାଯାଇଥିବାରୁ ସମ୍ମାନର ମର୍ଯ୍ୟାଦା ଆହୁରି ବୃଦ୍ଧି ପାଇଛି । କଳାହାଣ୍ଡି ଜିଲ୍ଲାର ବୋର୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ଼ଃ ସୀତାକାନ୍ତ କର ସଂସ୍କୃତ ଶାସ୍ତ୍ର, ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ର କ୍ଷେତ୍ରରେ ଜଣେ ଉଚ୍ଚକୋଟୀର ବିଦ୍ୱାନ ଭାବେ ପରିଚିତ । ସେ ଭାସ୍କରାଚାର୍ଯ୍ୟ ଜ୍ୟୋତିଷ ଏବଂ ବାସ୍ତୁ ଗବେଷଣା କେନ୍ଦ୍ରର ସଂସ୍ଥାପକ ଓ ପରିଚାଳକ ଭାବରେ ଦୀର୍ଘ ସମୟ ଧରି ଶାସ୍ତ୍ରସମ୍ମତ ଜ୍ୟୋତିଷ ଜ୍ଞାନର ପ୍ରଚାର–ପ୍ରସାରରେ ନିରତ ରହିଆସୁଛନ୍ତି । ଶିକ୍ଷାଗତ ଦୃଷ୍ଟିକୋଣରୁ ଡ଼ଃ କର ଜ୍ୟୋତିଷ ବିଷୟରେ ପିଏଚ୍ଡି ଉପାଧିଧାରୀ ହେବା ସହିତ ଜେଆର୍ଏଫ୍ (ଜୁନିଅର୍ ରିସର୍ଚ୍ଚ ଫେଲୋସିପ୍) ଭଳି ପ୍ରତିଷ୍ଠିତ ଗବେଷଣା ସମ୍ମାନ ଲାଭ କରିଛନ୍ତି । ତାଙ୍କର ଗବେଷଣା କାର୍ଯ୍ୟରେ ମହର୍ଷି ପରାଶର, ଭାସ୍କରାଚାର୍ଯ୍ୟ ଓ ବରାହମିହିରଙ୍କ ଜ୍ୟୋତିଷ ପରମ୍ପରାର ଶାସ୍ତ୍ର ସମ୍ମତ ବ୍ୟାଖ୍ୟା ଓ ଆଧୁନିକ ପ୍ରୟୋଗ ସ୍ପଷ୍ଟ ଭାବେ ପ୍ରତିଫଳିତ ହୁଏ । ସମ୍ମିଳନୀରେ ଉପସ୍ଥିତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଦ୍ୱାନ ଓ ଆଚାର୍ଯ୍ୟମାନେ କହିଥିଲେ ଯେ, ଡ଼ଃ ସୀତାକାନ୍ତ କର ପ୍ରାଚୀନ ଜ୍ୟୋତିଷ ଶାସ୍ତ୍ରକୁ ଲୋକକଲ୍ୟାଣ ଓ ସମାଜିକ ପ୍ରୟୋଜନ ସହିତ ସମନ୍ୱୟ କରି ପ୍ରସ୍ତୁତ କରିଥିବାରୁ ଏହି “ଜ୍ୟୋତିଷ ବଶିଷ୍ଠ” ଉପାଧି ପାଇଁ ସେ ସର୍ବଥା ଯୋଗ୍ୟ । ଏହି ସମ୍ମାନ କେବଳ ଡ଼ଃ. ସୀତାକାନ୍ତ କରଙ୍କ ବ୍ୟକ୍ତିଗତ ସାଧନାର ସ୍ୱୀକୃତି ନୁହେଁ, ବରଂ କଳାହାଣ୍ଡି ଜିଲ୍ଲା ଓ ସମଗ୍ର ଓଡ଼ିଶାର ଶାସ୍ତ୍ରୀୟ ପରମ୍ପରା ପାଇଁ ଏକ ଗର୍ବର ଅଧ୍ୟାୟ ବୋଲି ବିଦ୍ୱତ୍ ମହଲରେ ମତ ପ୍ରକାଶ ପାଇଛି ।