jayashree

ଶିକ୍ଷକ ବଦଳି ପାଇଁ କୁଡାସିଂହା ୟୁପି ସ୍କୁଲରେ ଅବିଭାବକ, ଗ୍ରାମବାସୀଙ୍କ ଆନ୍ଦୋଳନ

  • ଅଭିଜ୍ଞ ଶିକ୍ଷକଙ୍କୁ ନିଯୁକ୍ତି ନ ଦେବା ଯାଏ ବିଦ୍ୟାର୍ଥୀ ଯିବେ ନି ବିଦ୍ୟାଳୟ
  • ବଦଳି ନ ହେବା ଯାଏ ଗାଁରେ ପିଲାଙ୍କୁ ପଢ଼ାଇବେ ଶିକ୍ଷିତ ଯୁବକ

ଦେଓଗାଁ, (ମନୀଷ କୁମାର ସାହୁ) : ବିଦ୍ୟାଳୟରେ ପାଠପଢା ଯାଉ ନଥିବାରୁ ଶିକ୍ଷକଙ୍କ ବଦଳି ପାଇଁ ପରିଚାଳନା କମିଟି, ଅଭିଭାବକଙ୍କ ସହ ଗ୍ରାମବାସୀ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟକୁ ପଠାଇବାକୁ ବାରଣ କରିଛନ୍ତି । ଶିକ୍ଷକ ବଦଳି ପାଇଁ ଦାବି କରିବା ସହ ବଦଳି ନହେବା ପର୍ଯ୍ୟନ୍ତ ଗାଁର ଶିକ୍ଷିତ ଯୁବକମାନେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ପରିଚାଳନା କମିଟି ଏବଂ ଗ୍ରାମବାସୀ ନିଷ୍ପତି ନେବା ଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସଦର ବ୍ଲକ କୁଡ଼ାସିଂହା ଗାଁରେ । ପ୍ରକାଶ ଯେ, କୁଡ଼ାସିଂହା ତିଲକରାମ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ତଥା ଅବିଭାବକଙ୍କ ସହ ଗ୍ରାମବାସୀଙ୍କୁ ନେଇ ସୋମବାର ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଶିକ୍ଷକ କ୍ଷୀରୋଦ୍ର ସାହୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ଯେ, ୧୦ ତାରିଖ ତଥା ମଙ୍ଗଳବାର ଦିନରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯିବେ ନାହିଁ । ଘଟଣାସ୍ଥଳରେ ଦିନ ୧୧ଟା ୪୫ମିରେ ଏବିଇଓ, ବିଆରସିସି, ସିଆରସିସି ପହଞ୍ଚି ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ହେଲେ ପରିଚାଳନା କମିଟି ଏବଂ ଗ୍ରାମବାସୀ ଯେତେ ଦିନ ପର୍ଯ୍ୟନ୍ତ କ୍ଷୀରୋଦ୍ର ସାହୁଙ୍କୁ ଏହି ବିଦ୍ୟାଳୟରୁ ଅନ୍ୟତ୍ର ସ୍ଥାନାନ୍ତର କରାନଯିବ ଏବଂ ବିଦ୍ୟାଳୟରୁ ଡେପୁଟେସନରେ ଯାଇଥିବା ଶିକ୍ଷକଙ୍କ ବଦଳରେ ଅନ୍ୟ ଜଣେ ଅଭିଜ୍ଞ ପୁରୁଷ ଶିକ୍ଷକଙ୍କୁ ନିଯୁକ୍ତି ନଦେବା ପର୍ଯ୍ୟନ୍ତ ଦାବି ଅଟଳ ରହିବା ବୋଲି ପରିଚାଳନା କମିଟି ପକ୍ଷରୁ ପ୍ରକାଶ ପାଇଛି । ଫଳରେ କୁନି କୁନି ଶିଶୁଙ୍କ ପାଠପଢାକୁ ଧ୍ୟାନରେ ରଖି ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା । ବିଦ୍ୟାଳୟରେ ଶିକ୍ଷକ ବଦଳି ନହେବା ଯାଏ, ଶିଶୁଙ୍କ ପାଠପଢ଼ାକୁ ନଜରରେ ରଖି ଗାଁର ଶିକ୍ଷିତ ଯୁବକଙ୍କ ଦ୍ଵାରା ବିଦ୍ୟାଳୟ ବାହାରେ ପିଲାଙ୍କୁ ଶିକ୍ଷାଦାନ ଦିଆଯିବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ସୂଚନା ଯୋଗ୍ୟ ଯେ, ଏହି ବିଦ୍ୟାଳୟର ଶିକ୍ଷକ କ୍ଷୀରୋଦ୍ର ସାହୁଙ୍କୁ ଅନ୍ୟତ୍ର ବଦଳି କରି ଅନ୍ୟ ଜେନ ଶିକ୍ଷକଙ୍କୁ ବିଦ୍ୟାଳୟକୁ ଅଣା ଯିବାକୁ ନେଇ ଗତ ୨ବର୍ଷ ହେଲା ବିଭିନ୍ନ ସମୟରେ ଶିକ୍ଷା ବିଭାଗ, ପ୍ରଶାସନକୁ ଅଭିଯୋଗ କରି ଆସୁଥିଲେ ହେଁ, କୌଣସି ପଦକ୍ଷେପ ନେଇ ନ ଥିବାରୁ ଶେଷରେ ଗ୍ରାମବାସୀ ଗାଁ ଗୌନ୍ତିଆଙ୍କୁ ଅବଗତ କରାଇ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ସୋମବାର ମଧ୍ୟ ପ୍ରଧାନ ଶିକ୍ଷକଙ୍କ ଜରିଆରେ ଶିକ୍ଷକ ବଦଳି ପାଇଁ ପୁଣି ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.