ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା

  • ବିଭାଗୀୟ ହଷ୍ଟେଲ୍‌ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି, ସ୍ଵାସ୍ଥ୍ୟ, ସୁରକ୍ଷା ଓ ସ୍ୱଚ୍ଛତା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସଭା ଭବନରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ହଷ୍ଟେଲ୍‌ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଏହାସହିତ ସ୍ଵାସ୍ଥ୍ୟ, ସୁରକ୍ଷା ଓ ସ୍ୱଚ୍ଛତା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଥିଲେ । ମନ୍ତ୍ରୀ ଓ ସଚିବ ମାନେ ନିୟମିତ ଭାବେ ବିଦ୍ୟାଳୟ ଓ ହଷ୍ଟେଲ୍‌ ଗୁଡିକ ପରିଦର୍ଶନ କରି ଏହାର ପରିଚାଳନା ପଦ୍ଧତି ଯାଞ୍ଚ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୈଠକର ଆଲୋଚନାରୁ ଜଣାଯାଇଥିଲା ଯେ, ରାଜ୍ୟରେ ବିଭାଗ ଅଧିନରେ ଥିବା ୧୪ଟି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରିବା ପାଇଁ ଅନୁମତି ମିଳିଛି । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ଚଳିତ ବର୍ଷ ଅତି କମ୍‌ରେ ୧୦ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବା ଆବଶ୍ୟକ । ଆଗକୁ ମଧ୍ୟ, ହାର କମାଇବା ପାଇଁ ଅଧିକ ଉଚ୍ଚ ବିଦ୍ୟାଳୟକୁ କରାଇବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ରାଜ୍ୟର ବିଭିନ୍ନ ପ୍ରାଥମିକ ସ୍କୁଲର ହଷ୍ଟେଲ୍‌ ଗୁଡିକ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଛି । ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ଏହା ବିଶେଷ ଭାବରେ କାର୍ଯ୍ୟକାରୀ ହେଉଛି । ତେବେ ଏହାର ହଷ୍ଟେଲ୍‌ ଗୁଡିକର ଅବସ୍ଥା ଭଲ ନଥିବାରୁ ଏଗୁଡିକର ଉନ୍ନତିକରଣ କରାଯାଇ ନୂଆ ହଷ୍ଟେଲ୍‌ ନିର୍ମାଣ କରାଯାଉଛି । ଅଭିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୦୧ଟି ହଷ୍ଟେଲର ଉନ୍ନତିକରଣ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସବୁ ଆଦିବାସୀ ଅଞ୍ଚଳ ଗୁଡିକରେ ଥିବା ହଷ୍ଟେଲ୍‌ ଗୁଡିକର ଉନ୍ନତିକରଣର ଆବଶ୍ୟକତା ରହିଛି । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଆବଶ୍ୟକତା ଅନୁଯାୟୀ କେତେକ ହଷ୍ଟେଲ୍‌କୁ ୧୦୦ ଆସନ ବିଶିଷ୍ଟ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଓଡିଶା ପାଇଁ ୧୧୪ଟି ସ୍କୁଲ ପାଇଁ ଅନୁମୋଦନ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୨ଟି ସ୍କୁଲ କାର୍ଯ୍ୟକାରୀ କରୁଛି ଏବଂ ଏ ବର୍ଷ ଆଉ ୧୫ଟି ସ୍କୁଲ ଖୋଲିବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ବିଦ୍ୟାଳୟ ପାଇଁ ଯାହାସବୁ ଅନୁମୋଦନ ଆବଶ୍ୟକ, ବିଶେଷ କରି ଜଙ୍ଗଲ ଜମି ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଏହି ସ୍କୁଲ ଗୁଡିକୁ ଶୀଘ୍ର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହା ସହିତ ବୈଠକରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ପିଲାଙ୍କ ଡ୍ରପ୍ ଆଉଟ୍‌ ରୋକିବା ପାଇଁ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ଜଙ୍ଗଲ ଜମି ଅଧିକାର ଯୋଜନା, ଅନ୍ୱେଷା, ପି. ଏମ୍‌ ଜନମନ୍, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ରାଜସ୍ୱ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ସଚିବ ଶ୍ରୀମତୀ ରୂପାରୋଷନ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.