
- ଶିକ୍ଷାନୁଷ୍ଠାନର ଶକ୍ତି ଓ ଛାତ୍ରଛାତ୍ରୀଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ଏନଆଇଆରଏଫ୍ ରାଙ୍କିଂ – ଧର୍ମେନ୍ଦ୍ର ପ୍ରଧାନ
• ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକୁ ପୁରସ୍କୃତ କରିବା ସହ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
• ଏନଆଇଆରଏଫ୍ ଆଜି ଏକ ଜାତୀୟ ବେଞ୍ଚମାର୍କରେ ପରିଣତ ହୋଇଛି
• ଆମେ ‘ସ୍ୱରାଜ’ ପାଇଛୁ ଏବେ ଆମକୁ ଆମର ‘ସମୃଦ୍ଧି’ ପାଇଁ ଲଢ଼ିବାକୁ ପଡିବ
• ‘ସମୃଦ୍ଧି’ ଏବଂ ‘ଆତ୍ମନିର୍ଭରତା’ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବାରେ ଆମର ଅନୁଷ୍ଠାନ ଗୁଡ଼ିକୁ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପଡିବ
• ଓଭରାଲ ବର୍ଗରେ କ୍ରମାଗତ ସପ୍ତମ ଥର ଆଇଆଇଟି ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବରେ ପୁରସ୍କୃତ
• ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଇଆଇଏସସି ବେଙ୍ଗଲୁରୁ, ମ୍ୟାନେଜମେଣ୍ଟରେ ଆଇଆଇଏମ ଅହମ୍ମଦବାଦ ଏବଂ ମେଡିକାଲ ବର୍ଗରେ ଏମ୍ସ ଦିଲ୍ଲୀ ୧ ନମ୍ବର
ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ସେପ୍ଟେମ୍ବର ୦୪ – ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ(ଏନଆଇଆରଏଫ) ରାଙ୍କିଂ ଆମର ଅନୁଷ୍ଠାନର ଶକ୍ତି ଏବଂ ଆମର ଛାତ୍ରଛାତ୍ରୀଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ଆଜି ନୂଆଦିଲ୍ଲୀରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏନଆଇଆରଏଫ ଅନ୍ତର୍ଗତ “ଇଣ୍ଡିଆ ରାଙ୍କିଙ୍ଗ – ୨୦୨୫”କୁ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବର୍ଷର ରାଙ୍କିଂରେ ସ୍ଥାନ ପାଇଥିବା ସମସ୍ତ ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଏନଆଇଆରଏଫ୍ ଆଜି ଏକ ଜାତୀୟ ବେଞ୍ଚମାର୍କରେ ପରିଣତ ହୋଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଆମର ଉଚ୍ଚ ଶିକ୍ଷାନୁଗୁଡ଼ିକର ବିକାଶ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିଛି, ଯେଉଁଥିରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକର ମାନ୍ୟତାକୁ ଉନ୍ନତ କରିବାର ଯୋଜନା ମଧ୍ୟ ସାମିଲ ଅଛି । ଏନଆଇଆରଏଫ ଭାରତକୁ ଏକ ଜ୍ଞାନ ମହାଶକ୍ତିରେ ପରିଣତ କରିବା ପାଇଁ ଆମର ଯାତ୍ରାରେ ଏକ ବିଶ୍ୱସ୍ତ ସ୍ତମ୍ଭ ଭାବରେ ଉଭା ହୋଇଛି । ଆମକୁ ଆମର ଆକ୍ରିଡେସନ ଢାଞ୍ଚାରେ ଉଚ୍ଚ ବେଞ୍ଚମାର୍କ ସ୍ଥାପନ କରିବାକୁ ପଡ଼ିବ । ଏନଆଇଆରଏଫ୍ ସର୍ବୋତ୍ତମ ମାନ୍ୟତା ଢାଞ୍ଚା ମଧ୍ୟରୁ ଗୋଟିଏ ଭାବରେ ବିକଶିତ ହେବ । ଅଧିକ ତଥ୍ୟ ଚାଳିତ ଆଭିମୁଖ୍ୟ ସହ ଆହୁରି ଅଧିକ ରାଙ୍କିଂ ପାରାମିଟର, ବର୍ଗ ଏବଂ ଅଧିକ ପ୍ରତିଷ୍ଠାନ ସହିତ ଯୋଡିହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମେ ଏକ ବଡ ଲମ୍ଫ ମାରିବା ପାଇଁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ଏକ ବିକଶିତ ଏବଂ ଆତ୍ମନିର୍ଭର ଭାରତ ପାଇଁ ସ୍ପଷ୍ଟ ଆହ୍ୱାନ ଦେଇଛନ୍ତି । ଆମେ ‘ସ୍ୱରାଜ’ ପାଇଛୁ ଏବେ ଆମକୁ ଆମର ‘ସମୃଦ୍ଧି’ ପାଇଁ ଲଢ଼ିବାକୁ ପଡିବ । ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ଏହାର ମୂଳରେ ଅଛନ୍ତି । ‘ସମୃଦ୍ଧି’ ଏବଂ ‘ଆତ୍ମନିର୍ଭରତା’ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବାରେ ଆମର ଅନୁଷ୍ଠାନ ଗୁଡ଼ିକୁ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପଡିବ । ଆମର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନବସୃଜନ ଏବଂ ଉଦ୍ୟୋଗ ପାଇଁ ସମୃଦ୍ଧ କ୍ଷେତ୍ର ହେବା ସହ ଏନଆଇଆରଏଫ ଢାଞ୍ଚାରେ ସାମିଲ ହେବା ଦିଗରେ ସେ ଆହ୍ୱାନ କରିଛନ୍ତି । ଇଣ୍ଡିଆ ରାଙ୍କିଙ୍ଗର ପ୍ରଥମ ସଂସ୍କରଣ ୨୦୧୬ରେ ଗୋଟିଏ ବର୍ଗ ଏବଂ ତିନୋଟି ବିଷୟ ଡୋମେନ୍ ଯଥା ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଓ ଫାର୍ମାସୀରେ ପ୍ରକାଶିତ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୧୭ ରୁ ୨୦୨୫ ପର୍ଯ୍ୟନ୍ତ ନୂତନ ବର୍ଗ ଏବଂ ବିଷୟ ଡୋମେନ୍ ଯୋଡାଯାଇଛି । ଚଳିତ ଥର ଆଇଆଇଟି ମାଡ୍ରାସ କ୍ରମାଗତ ସପ୍ତମ ବର୍ଷ ପାଇଁ ଓଭରାଲ ବର୍ଗରେ ପ୍ରଥମ ସ୍ଥାନ ବଜାୟ ରଖିଛି । ଓଭରାଲ ବର୍ଗରେ ଶ୍ରେଷ୍ଠ ୧୦୦ ତାଲିକାରେ ୨୪ଟି ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ୨୨ଟି ଘରୋଇ ଡିମ୍ଡ୍ ବିଶ୍ୱବିଦ୍ୟାଳୟ, ୧୯ଟି ଆଇଆଇଟି ଏବଂ ଆଇଆଇଏସସି, ୯ଟି ଘରୋଇ ବିଶ୍ୱବିଦ୍ୟାଳୟ, ୮ଟି ଏନଆଇଟି, ୭ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ୫ଟି ମେଡିକାଲ୍ ପ୍ରତିଷ୍ଠାନ, ୪ଟି ଆଇଜର, ୧ଟି କଲେଜ ଏବଂ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଆଇଏଆରଆଇ ସାମିଲ । ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଇଆଇଏସସି ବେଙ୍ଗଲୁରୁ, ମ୍ୟାନେଜମେଣ୍ଟରେ ଆଇଆଇଏମ ଅହମ୍ମଦବାଦ ଏବଂ ମେଡିକାଲ ବର୍ଗରେ ଏମ୍ସ ଦିଲ୍ଲୀ ୧ ନମ୍ବର ରହିଛି । ଜାମିଆ ହମଦର୍ଦ, ନୂଆଦିଲ୍ଲୀ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଫାର୍ମାସିରେ ରାଙ୍କିଙ୍ଗରେ ଶୀର୍ଷରେ ରହିଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର, ଉଚ୍ଚ ଶିକ୍ଷା ବିଭାଗର ସଚିବ ଡକ୍ଟର ବୀନିତ ଯୋଶୀ, ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଟିଜି ସୀତାରାମ ,ଏନଇଟିଏଫ, ନାକ୍ ଏବଂ ଏନବିଏର ଚେୟାରମ୍ୟାନ ପ୍ରଫେସର ଅନିଲ ସହଶ୍ରବୁଦ୍ଧେ, ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର କୁଳପତି ଓ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ ।