ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ବରର ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସ ମଣ୍ଡଳ ଦ୍ବାରା ପ୍ରକାଶିତ ଡଃ ଆରତୀ କରଙ୍କ ରଚିତ ପୁସ୍ତକ ‘ପୁଣ୍ୟାତ୍ମା ଗୋପବନ୍ଧୁ’ ସିଭିଲଟାଉନ ସିପ ସ୍ଥିତ ନିଉ ଏଲଆଇସି କଲୋନୀର ଡେଭଲୋପଡ ଏରିଆ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଉନ୍ମୋଚିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜ୍ୟେଶ୍ରୀ ଶତପଥୀଙ୍କ ସଭାପତିତ୍ବରେ ଓ ନ୍ୟାସ ମଣ୍ଡଳର ଇଂ ନିରଞ୍ଜନ ପଣ୍ଡାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ଶିକ୍ଷାବିତ୍ ନାରାୟଣ ଭୋଳ ସମ୍ମାନିତ ଅତିଥି ଓ ବ୍ରାହ୍ମଣୀ ଆଇଟିଆଇର ଅଧ୍ୟକ୍ଷ ଇଂ ସୁଜାତ କୁମାର ଦାଶ ମୁଖ୍ୟବକ୍ତା ତଥା ସଂଯୋଜକ ଭାବେ ଯୋଗଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଥିଲେ ଚିନ୍ତା ଓ ଚେତନାର ପ୍ରତିକ । ଦେଶର ପ୍ରଗତି ଦେଶର ଇତିହାସ ଉପରେ ନିର୍ଭର କରେ । ଉତ୍କଳମଣି ସେବା କ୍ଷେତ୍ରରେ ଏକ ସଶ୍ରଦ୍ଧ ଉଚ୍ଚାରଣ । ସେ ଏକାଧାରରେ ସାମ୍ବାଦିକ, କବି, ସଂଗଠକ, ଶିକ୍ଷାବିତ, ସମାଜ ସଂସ୍କାରକ ଥିଲେ । ଡଃ କରଙ୍କ ଏହି ପୁସ୍ତକରେ ସବିଶେଷ ତଥ୍ୟ ଥିବାରୁ ଏହା ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ହୋଇପାରିବ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶତପଥୀ ଅତିଥିମାନଙ୍କୁ ସ୍ବାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ଅଶୋକ କୁମାର ସାହୁ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ଓ ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଶିକ୍ଷକ ସଂଜୀବ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ଅତିଥି ଭାବେ ସଂଘମିତ୍ରା ପଣ୍ଡା ଉପସ୍ଥିତ ଥିବା ବେଳେ ଅତିଥିମାନଙ୍କ ଦ୍ବାରା ପୁଣ୍ୟାତ୍ମା ଗୋପବନ୍ଧୁ ପୁସ୍ତକ ଉନ୍ମୋଚନ କରାଯିବା ସହ ପୁସ୍ତକ ଗୁଡିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସବିତା ଦାସ, ରଶ୍ମିତା ନାୟକ, ମୀନାରାଣୀ ଧର, ଅକ୍ଷୟ ମାଝୀ, ଶ୍ରଦ୍ଧାଞ୍ଜଳି ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।