ପ୍ରିୟମ୍‌ ଡ଼ିଜିଟାଲର ଦୁର୍ଗାପୂଜା ଭେଟି : ରିଲିଜ୍‌ ହେଲା ପଂଚମ କୋଶଲୀ ସର୍ଟ ଫିଲ୍ମ ଉକିଆ, ମୁଖ୍ୟ ଭୂମିକାରେ ଓଡ଼ିଶାର ପ୍ରଥମ ମହିଳା ଅଧ୍ୟାପିକା ପର୍ବତାରୋହୀ ଲିପ୍ସାମୟୀ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସର୍ଟ ଫିଲ୍ମ ପ୍ରଯୋଜକ ପ୍ରିୟମ ଡ଼ିଜିଟାଲ ଷ୍ଟୁଡ଼ିଓ ଏକ ନିଆରା ସ୍ୱାଦର କୋଶଲୀ ସର୍ଟ ଫିଲ୍ମ ଉକିଆ ପବିତ୍ର ବିଜୟା ଦଶମୀରେ ଶୁଭମୁକ୍ତି ହୋଇଯାଇଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା ଅଧ୍ୟାପିକା ପର୍ବତାରୋହୀ ଲିପ୍ସାମୟୀ ଦୁବେ । ପବିତ୍ର ବିଜୟା ଦଶମୀ ଅବସରେ ମ.ରାମପୁର ଦୁର୍ଗାମଣ୍ଡପଠାରେ ମା’ଙ୍କ ପାଖରେ ପୂଜାର୍ଚ୍ଚନା କରାଯାଇ ଚଳଚ୍ଚିତ୍ରଟିକୁ ରିଲିଜ କରାଯାଇଥିଲା । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ଦୁର୍ଗାପୂଜା କମିଟି ସଭାପତି ପ୍ରଶାନ୍ତ ସାମନ୍ତା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସରପଂଚ ବିଭୂତି ଭୂଷଣ ମହାଖୁଡ଼, ସମାଜସେବୀ ରଶ୍ମିରଂଜନ ପ୍ରହରାଜଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ଆଶୁତୋଷ ଦାଶ, ନିର୍ଦ୍ଦେଶକ ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା, ଚଳଚ୍ଚିତ୍ର ଲେଖକ ହେମନ୍ତ ସାହୁ, ମୁଖ୍ୟ କଳାକାର ଲିପ୍ସାମୟୀ ଦୁବେ, କ୍ୟାମେରା ସହଯୋଗୀ ନନ୍ଦ କିଶୋର, ପ୍ରିୟମ ଡ଼ିଟିଜାଲର ବରିଷ୍ଠ ସଦସ୍ୟ ସୋନୁ ରଣା, କୁନିକଳାକାର ଅର୍ଚ୍ଚିତା ସାହୁ, ସମାଜସେବୀ ଦ୍ରୋଣାଚାର୍ଯ୍ୟ ମାଝୀ, ପୂଜା କମିଟିର ସହସଂପାଦକ କୃଷ୍ରଚନ୍ଦ୍ର ସାହୁ(ସୁରୁ) ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ସତ୍ୟ ନାରାୟଣ ସାହୁ । ପୂଜକ ତ୍ରିଲୋଚନ ଦାଶ ପୂଜାର୍ଚ୍ଚନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମରେ ପୂଜା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ । ଚଳଚ୍ଚିତ୍ରଟିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ଯୋଗୀନ୍ଦ୍ର ବେହେରା, ଜସ୍ମିତା ବାଗ ଅଭିନୟ କରିଛନ୍ତି । ଏଠାରେ ଉଲ୍ଲେଖ ଥାଉକି, ପ୍ରିୟମ ଡ଼ିଜିଟାଲ ଆଜି ପର୍ଯ୍ୟନ୍ତ ସମାଜର ବିଭିନ୍ନ ସମସ୍ୟାକୁ ନେଇ ସଚେତନନା ଧର୍ମୀ ଚଳଚ୍ଚିତ୍ର ତିଆରି କରି ଦର୍ଶକୀୟ ସ୍ୱୀକୃତି ଲାଭ କରିଛି । ନିଆରା କାହାଣୀ, ଚମତ୍କାର ଚିତ୍ରୋତ୍ତଳନ, ନୂତନ ତଥା ସ୍ଥାନୀୟ ପ୍ରତିଭାଙ୍କୁ ନେଇ ସୁଯୋଗସୃଷ୍ଟି ଭଳି ସମସ୍ତ ଦିଗରେ ସଚେତନ ରହି ସମାଜକୁ ନୂତନ ବାର୍ତ୍ତା ଦେବାର ପ୍ରୟାସ କାରଣରୁ ଲୋକଙ୍କ ପାଖରେ ପହଂଚିପାରିଛି ବୋଲି ପ୍ରଯୋଜକ ଶ୍ରୀ ଦାଶ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.