୧୨ତମ ତିହାର ଲୋକ ମହୋତ୍ସବ ଉଦ୍‌ଯାପିତ

  • ‘ଭାଷା ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଲୋକ ମହୋତ୍ସବ ଆୟୋଜନ ଏକ ଅନନ୍ୟ ଉଦ୍ୟମ ଅଟେ’

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆମ ଅଞ୍ଚଳର ‘ଭାଷା ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଲୋକ ମହୋତ୍ସବ ଆୟୋଜନ ଏକ ଅନନ୍ୟ ଉଦ୍ୟମ’ ବୋଲି ଅତାବିରା ଠାରେ ଅନୁଷ୍ଠିତ ୧୨ତମ ତିହାର ଲୋକ ମହୋତ୍ସବ ଉଦ୍‌ଯାପନୀ ଉତ୍ସବରେ ଅତିଥିମାନେ ପ୍ରକାଶ କରିଥିଲେ । ଲୋକ ମହୋତ୍ସବ ସମିତିର ସଭାପତି ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ୱ ଓ ସଂଯୋଜକ ରବି ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଅତିଥିମାନେ କହିଥିଲେ ଯେ, ଲୋକ ମହୋତ୍ସବ ମାଧ୍ୟମରେ ଆମେ ଏହି ଅଞ୍ଚଳର ଜନସାଧାରଣଙ୍କୁ ଆମ ଅଞ୍ଚଳର ଲୋକନୃତ୍ୟ, ଲୋକବାଦ୍ୟ, ଲୋକ ସଙ୍ଗୀତ ମଧ୍ୟରେ ପରିଚିତ କରାଇ ପାରୁଛୁ ତଥା ଆମର ଭାଷା ସଂସ୍କୃତି ସମ୍ପନ୍ନ ଧରୋହରକୁ ବଞ୍ଚାଇ ରଖିବାକୁ ପ୍ରଚେଷ୍ଟା ଜାରି ରଖିଛୁ । ଅତିଥିମାନେ ଆହୁରି କହିଥିଲେ ଯେ, ଭାଷା, ସଂସ୍କୃତି, ପରମ୍ପରା, ଲୋକ ନାଟକ, ଲୋକ ସଙ୍ଗୀତ, ସାହିତ୍ୟ, ସାମାଜିକ କାର୍ଯ୍ୟରେ ବ୍ରତୀ ଥିବା ବ୍ୟକ୍ତି ବିଶେଷଙ୍କୁ ଲୋକ ମହୋତ୍ସବରେ ସମ୍ବର୍ଦ୍ଧିତ କରି ସେମାନଙ୍କୁ ତାଙ୍କର କାର୍ଯ୍ୟ ଆଗକୁ ଜାରି ରଖିବାକୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରୁଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଏହି ମାଟିର ଲୋକ କଳା, ଲୋକନୃତ୍ୟ, ଲୋକ ସଙ୍ଗୀତକୁ ପୁର୍ନଜୀବିତ କରିବା ପାଇଁ ପ୍ରଚେଷ୍ଟା ହିଁ ଏହି ଲୋକ ମହୋତ୍ସବକୁ ଚିରକାଳ ପାଇଁ ବଞ୍ଚାଇ ରଖିଥିବା ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଯୁବ ସାହିତ୍ୟିକ ଡ. ସୁଶିଲ ବାଗଙ୍କୁ ସ୍ୱର୍ଗତ ନାରାୟଣ ପୃଷେଠ ସ୍ମୃତି ସମ୍ମାନ ଓ ସାମ୍ବାଦିକତା କ୍ଷେତ୍ରରେ ଯୋଗଦାନ ପାଇଁ ଟାଇମ୍ସ ଅଫ ଇଣ୍ଡିଆରେ କାର୍ଯ୍ୟରତ ଯୁବ ସାମ୍ବାଦିକ ଅଶୋକ ପ୍ରଧାନଙ୍କୁ ସ୍ୱର୍ଗତ ଶାନ୍ତନୁ ବିଶ୍ଵାଳ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ପ୍ରଫେସର ଡ. ସୁଜିତ୍ ପୃଷେଠଙ୍କୁ ସ୍ମାରକୀ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଲୋକ ମହୋତ୍ସବ ସମିତିର ଉପସଭାପତି ଉନି କ୍ରିଷ୍ଣନ ନାୟାର ଧନ୍ୟବାଦ୍ ଅର୍ପଣ କରିଥିଲେ । ପରେ ବିଦ୍ୟୁତ ପ୍ରଭା ମିଶ୍ର ଓ ଅଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁରର ପଏଁରୀ ଦଳ, ବଲାଙ୍ଗିରର ପଞ୍ଚମ ଦଳ, ଭବାନୀପାଟଣାର ମୃଣ୍ମୟୀ କଲ୍ଚରାଲ ଏକାଡେମୀ ଓ ବରଗଡର ଗୋଧନା କଳା ପରିଷଦ ଲୋକ ନୃତ୍ୟ ପରିବେଷଣ କରିଥିଲେ । ପ୍ରଥମ ଦିବସରେ ଭାରି ବର୍ଷା ଯୋଗୁଁ ଆୟୋଜକମାନଙ୍କ ପକ୍ଷରୁ କେବଳ ପୂଜାର୍ଚ୍ଚନା କରି ଲୋକ ମହୋତ୍ସବକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଦ୍ଵିତୀୟ ଦିବସରେ ଗଙ୍ଗାଧର ମେହେର ମହାବିଦ୍ୟାଳୟର ଅବସରପ୍ରାପ୍ତ ଉପାଧ୍ୟକ୍ଷ ପ୍ରଫେସର କାମଦେବ ସାହୁ ମୁଖ୍ୟ ଅତିଥି, ଗୀତିକାର ଅଧ୍ୟାପକ ମୋହନ ସାହୁ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଗୀତିକାର ମୋହନ ସାହୁଙ୍କୁ ତାଙ୍କର ଗୀତ ରଚନା କ୍ଷେତ୍ରରେ ଅବଦାନ ପାଇଁ ସ୍ୱର୍ଗତ ମିତ୍ରଭାନୁ ବିଶ୍ୱାଳ ସ୍ମୃତି ସମ୍ମାନ, ନାଟ୍ୟାଭିନୟ ପାଇଁ ଅଭିନେତ୍ରୀ ସୁଶୀଳା ନାୟାରଙ୍କୁ ସ୍ୱର୍ଗତ ରାଜେନ୍ଦ୍ର ସାହୁ ସ୍ମୃତି ସମ୍ମାନ, ସାମାଜିକ କାର୍ଯ୍ୟ ପାଇଁ ସଂକଳ୍ପ ପରିବାରକୁ ସ୍ୱର୍ଗତ ବସନ୍ତ କୁମାରୀ ପଣ୍ଡା ସ୍ମୃତି ସମ୍ମାନ, ମେଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ୯୫.୫ ପ୍ରତିଶତ ମାର୍କ ରଖି ଅତାବିରା ବ୍ଲକରେ ଟପର ହୋଇଥିବା ଛାତ୍ର ମାଷ୍ଟର ଦେବାଶିଷ ବେହେରାଙ୍କୁ ବରଗଡ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ପ୍ରଦତ୍ତ ନଗଦ ୫୦୦୦ ଟଙ୍କା ସହ ସ୍ୱର୍ଗତ ରାମ ଲକ୍ଷ୍ମଣ ଦାଶ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା, କରୋନା କାଳରେ ଜନସାଧାରଣଙ୍କ ସେବା, ରକ୍ତଦାନ ଅଭିଯାନରେ ସକ୍ରିୟ ଅବଦାନ ପାଇଁ ଅତାବିରା ସିଏଚସିର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଞ୍ଜୀବ ମିଶ୍ର ଓ ସାମ୍ବାଦିକତା କ୍ଷେତ୍ରରେ ଅନବରତ ଅବଦାନ ପାଇଁ ରାଜେଶ ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ଵିତୀୟ ଦିବସରେ ଆସାମରୁ ଆସିଥିବା ବନ୍ କାପୋ ସାଂସ୍କୃତିକ ଅନୁଷ୍ଠାନ, ସମ୍ବଲପୁର ଟ୍ରାଇବାଲ ଫୋକ ଆର୍ଟ କଲ୍ଚରାଲ ଏକାଡେମୀ, ଲୋଇସିଂହାର ସୁର ସଙ୍ଗମ ଦଳ, ବାର ପାହାଡ ସାଂସ୍କୃତିକ ଅନୁଷ୍ଠାନ ଲାସ୍ତଲା ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ୟୁତ୍ ପ୍ରଭା ମିଶ୍ର ଓ ଅଞ୍ଜନ ପ୍ରଧାନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ତିହାର ସ୍ମରଣିକାର ପ୍ରଚ୍ଛଦକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ସମସ୍ତ ଦିବସର କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସୁରେନ୍ଦ୍ର ନାୟକ, କେ ପି ଶ୍ରୀନିବାସ, ଅରବିନ୍ଦ ପାତ୍ର, ନରୋତ୍ତମ ପଣ୍ଡା, ନିର୍ମଳ ପ୍ରଧାନ, ନରେନ୍ଦ୍ର ଦାଶ, ବୀରେନ କର, ଦାମୋଦର ମେହେର, ଦୁର୍ଯ୍ୟୋଧନ ଗଉଡ, ଶଙ୍କର ସେଟ୍, ମନୋଜ ଭୋଇ, ଦୀପକ ରାଏ, ଅବିନାଶ ପ୍ରଧାନ, ଜିତୁ ଭୋଇ, ପିନ୍ଟୁ ଅଗ୍ରୱାଲ, ଏମ ଡି ନିସାର, ପରମେଶ୍ୱର ପଟେଲ, କୁନୁ ସାହୁ, ବୁଲୁ ପାତ୍ର, ଅଚ୍ୟୁତ ପଟେଲ, ବୀରେନ ପ୍ରଧାନ, ଅରୁଣ ପାତ୍ର, ନିକୁ ପ୍ରଧାନ ପ୍ରମୁଖ ସହଯୋଗ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ଅଗ୍ରୱାଲ, ଅଶୋକ ପ୍ରଧାନ, ଭୁପେନ୍ଦ୍ର ପଟେଲ, ମନୋଜ ଶତପଥୀ, ଉଷ୍ମାନ ଖାଁ, ମନୋଜ ଅଗ୍ରୱାଲ, ଚନ୍ଦନ ରାଏ, ଜିତେସ ଅଗ୍ରୱାଲ, ସିତେଶ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!