କ୍ରାନ୍ତି-ଜାଗୃତି ସମାରୋହ ଉଦ୍‌ଯାପିତ

  • ଅତୀତକୁ ଭୁଲିଗଲେ ଲଢେଇ କରିହୁଏ ନାହିଁ : ନରସିଂହ
  • ଗ୍ରାମାଞ୍ଚଳରୁ ନେତା ବାହାରିଲେ ଗଣତନ୍ତ୍ର ସୁରକ୍ଷିତ ରହିବ : ପ୍ର. ମଧୁସୂଦନ ପତି
  • ବଲାଙ୍ଗିରରୁ ଚୁଡାପାଲି ପରିକ୍ରମା କଲା ବିଶାଳ ମୋଟର ସାଇକଲ ରାଲି
  • ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
  • ଲୋକାର୍ପିତ ହେଲା ବଲାଙ୍ଗିର ଇତିହାସ ପୁସ୍ତକ ଦି ୱେ ଟୁ ଫ୍ରିଡମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ରାନ୍ତି-ଜାଗୃତି ସମାରୋହ ଗୁରୁବାର ସଦର ବ୍ଲକ୍‌ ଚୁଡାପାଲି ହାଇସ୍କୁଲ ଠାରେ ଉଦ୍‌ଯାପିତ ହୋଇଛି । କମିଟି ସଭାପତି ଡ. ଶିବପ୍ରସାଦ ନନ୍ଦ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ମଧୁସୂଦନ ପତି, ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଯୋଗେଶ୍ୱର କୁମୁରାଙ୍କ ସୁପୁତ୍ର ଲୋକନାଥ କୁମୁରା ଓ ପୁତ୍ରବଧୂ ମାଧୁରୀ କୁମୁରା ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଅତୀତକୁ ଭୁଲିଗଲେ ଅନେକ କିଛି ହରାଇବାକୁ ପଡେ ଓ ଅତୀତ ଘଟଣାବଳୀରୁ ହିଁ ଲଢେଇ କରିବାର ଶକ୍ତି ମିଳିଥାଏ ବୋଲି କହିଥିଲେ । ଇଂରେଜ ଏବଂ ରଜାରାଜୁଡାଙ୍କ ବିରୁଦ୍ଧରେ ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ଭଳି ଅନେକ ମହାମାନ୍ୟ କିଭଳି ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ ସେ ଉପରେ କହିଥିଲେ । ସମ୍ମାନିତ ଅତିଥି ପ୍ରଫେସର ପତି ଗ୍ରାମ ପଞ୍ଚାୟତ ସ୍ତରରୁ ନୂଆ ନେତୃତ୍ୱ ନ ବାହାରିଲେ ଭାରତର ଗଣତନ୍ତ୍ରର ଭବିଷ୍ୟତ ଅନ୍ଧକାରମୟ ହୋଇଯିବ ବୋଲି କହିଥିଲେ । କ୍ରାନ୍ତି-ଜାଗୃତି ସମାରୋହ ସାମାଜିକ ଜାଗରଣ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଥିଲେ । ସଭାପତିୟ ଅଭିଭାଷଣରେ ଡ. ନନ୍ଦ ବଲାଙ୍ଗିର-ପାଟଣାର ଅତୀତ, ସ୍ୱାଧୀନତା ସଂଗ୍ରାମ ଓ ସଂଘର୍ଷ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ଏହି ଅବସରରେ ଅତିଥିମାନେ ବଲାଙ୍ଗିର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମ ଉପରେ ପ୍ରସ୍ତୁତ ଏକ ଇଂରାଜୀ ପୁସ୍ତକ ଦ ୱେ ଟୁ ଫ୍ରିଡମ୍‌କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସଭା ପ୍ରାରମ୍ଭରେ ଦୁଇ ଅତିଥି ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଯୋଗେଶ୍ୱର କୁମୁରାଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । କାର୍ଯ୍ୟକ୍ରମକୁ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ସଂଯୋଜନା କରିଥିଲେ । ଶେଷରେ ବୀରେନ୍ଦ୍ର କୁମାର ଝାଙ୍କର ଧନ୍ୟବାଦ ଦେଇଥିଲେ । ସଭା ପ୍ରାରମ୍ଭରେ ଚୁଡାପାଲି ସ୍କୁଲ ଛାତ୍ରୀମାନେ ଦେଶଭକ୍ତି ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ସକାଳେ ବିଧାୟକ ଶ୍ରୀ ମିଶ୍ର ବଲାଙ୍ଗିର ଗାନ୍ଧୀନଗରପଡା ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ବଲାଙ୍ଗିର ସହରରୁ ୨୨କି.ମି ଦୂର ଚୁଡାପାଲିକୁ ଏକ ବିରାଟ ମୋଟର ସାଇକେଲ ରାଲି ପରିକ୍ରମା କରିଥିଲା । ୧୯୩୮ ମସିହା ସେପ୍ଟେମ୍ବର ୨୯ରେ ଚୁଡାପାଲି ଠାରୁ ବଲାଙ୍ଗିର ଆସିଥିବା ବିଶାଳ କୃଷକ ଶୋଭାଯାତ୍ରାକୁ ମନେ ପକାଇ ଆଜି ଜାଗୃତି ଦିବସ ପାଳନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ବଲାଙ୍ଗିର ନାଗରିକ କମିଟି ସଭାପତି ଇଂ ବେଲାର ସିଂଭୋଇ, ସମ୍ପାଦକ ମନୋରଞ୍ଜନ ସାହୁ, ଗୋପଭୂଷଣ ନାଥ, ଜୟରାମ ମିଶ୍ର, ହରେକୃଷ୍ଣ ପଟେଲ, ଦୁର୍ଗାପ୍ରସନ୍ନ ଛୁରିଆ, ଦିବାକର ହୋତା, ବ୍ରଜରାଜ ପୁରୋହିତ, ଚକ୍ରପାଣି ଦାଶ, ଚିତ୍ତ ରଞ୍ଜନ ଦାଶ, ଅଖିଳ ହୋତା, ଅମନ ଅଂଶୁମାନ ଦାସ, ପ୍ରକାଶ ଦାଶ, ଅସିତ ମିଶ୍ର, ବୁଲୁ ଦାନୀ, ସୁରୁଲାଲ ମଟାରୀ, ଶୁଭ୍ରାଂଶୁ ପଣ୍ଡା, ଜୟନାରାୟଣ ବହିଦାର, ଯୁଧିଷ୍ଠିର ମେହେର, ଟଙ୍କଧର ଗଡତ୍ୟା, ଅଜୟ ବାଲି, କୈଲାସ ମିଶ୍ର, ଚୁଡାପାଲିର ଘାସିରାମ ବେହେରା, ଶରତ ନନ୍ଦ, ଜୟକୃଷ୍ଣ ମିଶ୍ର, ସୁବାସ ନନ୍ଦ, ସଞ୍ଜୟ ଭୋଇ, ଅକ୍ଷୟ ଘିବେଲା, ଲମ୍ବୋଦର ପଟେଲ, ସୁଶୀଳ ବେହେରା, ଯୋଗେଶ୍ୱର ଜେନା, ପଙ୍କଜ ମାଲ, ଦୀପକ ପଟେଲ, ବିଜୟ ନାହାକ, ବିଜୟ କୁମୁରା ଓ ଚୁଡାପାଲି ତଥା ଆଖପାଖ ଅଞ୍ଚଳର ଶତାଧିକ ମହିଳା, ପୁରୁଷ ଓ ସ୍କୁଲ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.